ତେନାଲୀରାମା ଜାଣିଥିଲେ ଯେ ରାଜା କୃଷ୍ଣଦେବ ରାୟ ବୁଦ୍ଧିମାନ ଏବଂ ଗୁଣବାନ୍ ବ୍ୟକ୍ତିଙ୍କୁ ଯଥାର୍ଥ ସମ୍ମାନ ପ୍ରଦର୍ଶନ କରନ୍ତି । ତେଣୁ ସେ ଥରେ ଭାବିଲେ, ରାଜାଙ୍କ ଦରବାରକୁ ଯାଇ ସେ ବା କାହିଁକି ଏହି ସମ୍ମାନର ଭାଗୀଦାର ନ ହୋଇପାରିବେ । କିନ୍ତୁ କୌଣସି କାମ ନଥାଇ ରାଜାଙ୍କ ପାଖକୁ ସେ ଯିବେ ବା କିପରି? ଏହି କଥା ଚିନ୍ତା କରିକରି ସେ ସୁଯୋଗ ଅପେକ୍ଷାରେ ରହିଲେ ।
ଏହି ସମୟ ମଧ୍ୟରେ ତେନାଲୀରାମାଙ୍କ ବିବାହ ପାଖ ଗାଁର ‘ମଗମ୍ମା’ ନାମ୍ନୀ ଏକ ସୁନ୍ଦରୀ ରମଣୀଙ୍କ ସହିତ ସମ୍ପର୍ଣ୍ଣ ହୋଇଯାଇଥିଲା । ବିବାହର ବର୍ଷେ ପରେ ତେନାଲୀରାମାଙ୍କର ଏକ ପୁଅ ହେଲା ।
ସେହି ଦିନ ରାଜା କୃଷ୍ଣଦେବ ରାୟଙ୍କର ରାଜଗୁରୁ ସହିତ ତେନାଲୀରାମାଙ୍କର ମଙ୍ଗଳଗିରି ନାମକ ସ୍ଥାନରେ ଦେଖା ହେଲା । ରାଜଗୁରୁଙ୍କୁ ଦେଖିବା ମାତ୍ରକେ ତେନାଲୀରାମା ତାଙ୍କୁ ସନ୍ତୁଷ୍ଟ କରିବାରେ ଲାଗିପଡିଲେ । ଶେଷରେ ରାଜଗୁରୁଙ୍କୁ ସେ ତେନାଲୀରାମା ତାଙ୍କର ମନକଥା କହିଲେ ।
ରାଜଗୁରୁ ଉପରେ ଉପରେ ତେନାଲୀରାମାଙ୍କୁ ମଧୁର କଥା କହୁଥିଲେ ସିନା କିନ୍ତୁ ଭିତରେ ଭିତରେ ସେ ରାଜଗରୁ ତାଙ୍କ ଉପରେ ରାଗରେ ଖାଲି ଜଳିଯାଉଥିଲେ । ରାଜଗୁରୁ ଭାବିଲେ, ଏତେ ବୁଦ୍ଧିମାନ୍ ବ୍ୟକ୍ତି ଯଦି ରାଜ ଦରବାରରେ ରହିପାରିବ ତା’ହେଲେ ମୋତେ ରାଜା ଆଉ ସେତିକି ସମ୍ମାନ ପ୍ରଦର୍ଶନ କଦାପି କରିବେ ନାହିଁ । ଏହା ଭାବି ରାଜଗୁରୁ ତେନାଲୀରାମାଙ୍କୁ କହିଲେ, “ତୁମେ ଆଦୌ ବ୍ୟସ୍ତ ହୁଅ ନାହିଁ । ମୋର ଯେବେ ଅବସର ନେବା ସମୟ ଆସିବ, ସେତେବେଳେ ମୁଁ ତୁମକୁ ହିଁ ରାଜାଙ୍କ ପାଖକୁ ଡକାଇବି ।”