ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଫଳରେ ଆଶା ରଖିବାନି

ଆଶିଷ୍ ଖୁବ୍ ଭଲ ପଢେ । ତେଣୁ ଶ୍ରେଣୀରେ ସଦାବେଳେ ସେ ପ୍ରଥମ ହୁଏ । କେବଳ ପାଠ ନୁହେଁ ନାଚ, ଗୀତ, ଚିତ୍ର, କୁଇଜ୍, ବକ୍ତୃତା ଓ ରଚନା ଲେଖାରେ ମଧ୍ୟ ସେ ଖୁବ୍ ଭଲ କରେ । ସେ ଗୋଟିଏ ଭଲ ପିଲା ବୋଲି ସାଇପଡିଶା, ଗୁରୁଜୀ ଗୁରୁମା ସମସ୍ତେ ତାକୁ ବେଶ ଆଦର କରନ୍ତି । ସେ ଆଶିଷ୍ ସଦାବେଳେ ଶ୍ରେଣୀ ପରୀକ୍ଷାପରି ସପ୍ତମ ବୋର୍ଡ ପରୀକ୍ଷାରେ ବି କିପରି ପ୍ରଥମ ହେବ ସେହି ଚିନ୍ତାରେ ସେ ରହୁଥାଏ ।

ଦିନେ ମା’ ସରସ୍ୱତୀ ଆସି ଆଶିଷ୍ ପାଖରେ ଠିଆ ହେଲେ । ତା’ ମନକଥା ଜାଣି ମା’ ତାକୁ କହିଲେ ଆଶିଷ୍ ! ତୁମ ପଢାରେମୁଁ ଅଧିକ ଖୁସି । ତୁମେ ଯାହା ମନରେ ଭାବୁଛ, ତାହା ହିଁ ନିଶ୍ଚୟ ହେବ । ଏତିକି କହି ସରସ୍ୱତୀ ସେଠାରୁ ଉଭାନ୍ ହୋଇଗଲେ । ସକାଳ ପାହିଲା । ଆଶିଷ୍ ନିଜ ଶେଜ ଛାଡି ତା ମା’ଙ୍କୁ ଗୋଟି ଗୋଟି କରି ସମସ୍ତ ସ୍ୱପ୍ନ କଥା ବଖାଣିଲା । ଏକଥା ଶୁଣି ମା’ବି ଅତ୍ୟନ୍ତ ଖୁସି ହୋଇ କହିଲେ ତାହେଲେ ଠିକ୍ ଅଛି ମା’ ତୋ କଣ୍ଠରେ ବିଜେ ହେବେ ତୁ ସବୁ ଠିକ୍ ଠାକ୍ ଲେଖି ପୁଣି ପ୍ରଥମ ହେବୁ । ତା’ପରେ ମା’ ସରସ୍ୱତୀଙ୍କୁ ତୁ ଭୋଗ ଦେବୁ ।

ଏହି କଥା ଶୁଣି ଖୁବ୍ ଧୁମ ଧାମ୍ରେ ଆଶିଷ ପାଠ ପଢିଲା । ବାପା, ବୋଉଙ୍କୁ ପ୍ରଣାମ କରି ସେ ଯାଇ ପରୀକ୍ଷାରେ ବସିଲା । ସରସ୍ୱତୀଙ୍କୁ ଆରାଧନା କରି ସେ ଲେଖିବା ଆରମ୍ଭ କଲା । ଯାହା ପଢିଥିଲା ସେଇ ପ୍ରକାରେ ସହଜିଆ ପ୍ରଶ୍ନର ଉତ୍ତର ସବୁ ତରତର ହୋଇ ସେ ଲେଖି ପକାଇଲା । ଗୋଟିଏ ଘଂଟା ଭିତରେ ସେ ପରୀକ୍ଷା ସାରିଦେଲା । ଭାବିଲା ଆଉ ଘଂଟାଏ ତ ଅଛି ଏଭିତରେ ସରସ୍ୱତୀଙ୍କୁ କ’ଣ ସବୁ ଭୋଗ ଦିଆଯିବ ତାର ଏକ ତାଲିକା ପ୍ରସ୍ତୁତ କରିବା । ଏହା ଭାବି ସେ ଗୁରୁଜୀଙ୍କ ଠାରୁ କାଗଜ ଖଣ୍ଡିଏ ଆଣି ଭୋଗର ତାଲିକା ତିଆରି କଲା । ବଳକା ପଇସାରେ ସାଙ୍ଗମାନଙ୍କୁ ତ ମିଠା ଦେବାକୁ ପଡିବ । ଏମିତି ଭାବିଭାବି ସେ ଚିନ୍ତାକଲା ଏତେ ଗୁଡାଏ ଭୋଗର ଆବଶ୍ୟକ କାହିଁ କେବଳ ଫୁଲଚନ୍ଦନ ଦେଇ ପୂଜା ସାରିଦେ ଆଉ ଘରୁ ଆଣି ଥିବା ଟଙ୍କାରେ ସେ ତା ସାଙ୍ଗ ମେଳରେ ଭଲ ଭୋଜିଟାଏ ହୋଇଯିବ । ଏମିତି ଭାବୁ ଭାବୁ ହଠାତ୍ ପରୀକ୍ଷାର ଖାତା ଦେବାର ଘଂଟି ବାଜି ଉଠିଲା । ତାପରେ ଆଶିଷ୍ ଗୁରୁଜୀଙ୍କୁ ଖାତା ଦେଇ ମନଆନନ୍ଦରେ ଘରକୁ ଆସିଲା । ଘରେ ବାପା ପଚାରିଲେ ଆଶିଷ ! ତୋର ପରୀକ୍ଷା କିପରି ହୋଇଛି କାଇଁ ଦେଖେଁ ! ପକେଟରୁ ପ୍ରଶ୍ନପତ୍ର ଆଣି ଦେବାକୁ ଗଲା ବେଳକୁ ଆଶିଷ୍ ଦେଖିଲା ଯେ ଭୋଗ ତାଲିକାଟି ଗୁରୁଜୀଙ୍କୁ ଦେଇ ପରୀକ୍ଷା ଉତ୍ତର ପତ୍ରକୁ ଧରି ଚାଲି ଆସିଛି ସେ । ଏସବୁ ଦେଖି ଆଶିଷ୍ ଖୁବ୍ କାନ୍ଦିଲା । ତାପରେ ତାକୁ ତାର ବାପା କହିଲେ ଠାକୁରଙ୍କୁ ଯିଏ ଅବମାନନା କରେ ତା’ ଫଳ ଏମିତି ହିଁ ହୁଏ ବୁଝିଲୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ