ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବନ୍ଦୀ ରାଜଗୁରୁ

ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଏଣେ ସେ ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ନିକଟକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍, ମୋର କାହିଁ ମନେ ହୁଏ ତୁମର ବୁଦ୍ଧି ଭ୍ରଂଶ ହୋଇଛି । ତୁମ ସହ କେହି ଶଠତା କରି ତୁମକୁ ଏଭଳି କାମରେ ନିଯୁକ୍ତ କରିଛି । ଅବଶ୍ୟ ଯେଉଁସବୁ ଲୋକଙ୍କ ସହ ତୁମର ସଂପର୍କ, ସେମାନେ ସମସ୍ତେ ଜ୍ଞାନୀ, ଗୁଣୀ ହୋଇଥିବା ତ ସ୍ୱାଭାବିକ । କିନ୍ତୁ ସେଭଳି ଲୋକେ ମଧ୍ୟ ଶଠତା ବା ପ୍ରବଂଚନା କରି ପାରନ୍ତି । ମଣିଷ ବାସ୍ତବିକ୍ ବଡ ବିଚିତ୍ର ଜୀବ । ମୋ କଥାଟିର ଉଚିତ୍ ପ୍ରମାଣ ଦେବା ନିମନ୍ତେ ତମକୁ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନଦେଇ ତାହା ଶୁଣ । କାହିଁକିନା ତାହା ଶୁଣିଲେ ତୁମର ଶ୍ରମଭାର ଲାଘବ ହେବ ।”

                ଏହାପରେ ବେତାଳ କହିଲା : ଅନେକ ଦିନ ତଳର କଥା । ସେତେବେଳେ ନୀଳଦ୍ୱୀପ ଏବଂ ଲାବଣ୍ୟ ଦ୍ୱୀପ ନାମରେ ଦୁଇଟି ଛୋଟ ଛୋଟ ରାଜ୍ୟ ଥିଲା । ଦୁର୍ଭାଗ୍ୟକୁ ସେ ଦୁଇ ରାଜ୍ୟ ଭିତରେ ବହୁଦିନ ଧରି ଶତ୍ରୁତା ଲାଗିରହିଥାଏ । ଅବଶ୍ୟ କେହି କାହାରି କିଛି ଅନିଷ୍ଟ କରୁ ନଥାନ୍ତି । ନୀଳ ଦ୍ୱୀପର ସୈନ୍ୟସଂଖ୍ୟା ଅଧିକା । କିନ୍ତୁ ଲାବଣ୍ୟ ଦ୍ୱୀପର ରାଜଗୁରୁ ଜଣେ ତନ୍ତ୍ରମନ୍ତ୍ରବିଦ୍ । ତେଣୁ ନୀଳ ଦ୍ୱୀପର ରାଜା ତାଙ୍କ କରାମତିକୁ ଭାରି ଭୟ କରୁଥାନ୍ତି ।

                ନୀଳ ଦ୍ୱୀପର ରାଜାଙ୍କର ଅନେକ ଦିନ ପର୍ଯ୍ୟନ୍ତ କୌଣସି ସନ୍ତାନ ସନ୍ତତି ନଥିଲେ । ଯାହାହେଉ, ଶେଷରେ ତାଙ୍କର ପୁଅଟିଏ ହେଲା । ସେ ଯେତିକି ଯେତିକି ବଡ ହେଲା, ନିଜ ବୁଦ୍ଧି ବିଦ୍ୟାରେ ସମସ୍ତଙ୍କୁ ସେ ସେତିକି ସେତିକି ମୋହିତ କରିବାକୁ ଲାଗିଲା । ରାଜା, ରାଣୀ, ପାତ୍ରମିତ୍ର ତାକୁ ନିଜ ନିଜର ନୟନ ପିତୁଳା ଭଳି ସର୍ବଦା ଗୋଡେ ଗୋଡେ ଜଗିଥାନ୍ତି ।

                ଦିନେ ସେ ରାଜକୁମାର ବଗିଚା ଭିତରେ ଗୋଟାଏ ପେଣ୍ଡୁ ଗଡେଇ ଗଡେଇ ଖେଳୁଥାନ୍ତି । ସେହି ବଗିଚାର ଚାରି ଦିଗରେ ଉଚ୍ଚ ପ୍ରାଚୀର । ପ୍ରାଚୀର ସେପଟେ ଜଗୁଆଳିମାନେ ଥା’ନ୍ତି । ବଗିଚାଟି ରାଜପ୍ରାସାଦକୁ ଲାଗିଥାଏ । ତହିଁ ଭିତରକୁ ବାହାର ଲୋକ ପଶି ଆସିବାର କୌଣସି ସମ୍ଭାବନା ନଥିଲା । ତେଣୁ ରାଜକୁମାରଙ୍କ ଦେହରକ୍ଷୀଜଣକ ସବୁବେଳେ ରାଜକୁମାରଙ୍କ ଉପରେ ଆଖି ରଖିବା ଜରୁରୀ ମନେ କରୁନଥିଲା ।

                ପେଣ୍ଡୁ ଗଡେଇ ଗଡେଇ ରାଜକୁମାର କୁଆଡେ ଗଲେ କେଜାଣି, କିଛି ସମୟ ପରେ ତାଙ୍କର ଆଉ କୌଣସି ଦେଖା ଦର୍ଶନ ମିଳିଲା ନାହିଁ । ଏହି କଥାକୁ ନେଇ ପ୍ରାସାଦରେ ଚାଂଚଲ୍ୟ ଖେଳିଗଲା । ଫଳରେ ଦାସଦାସୀଙ୍କଠୁଁ ଆରମ୍ଭକରି ପାତ୍ର ମନ୍ତ୍ରୀ ସେନାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ସେହି ବଗିଚା ଭିତରକୁ ଧାଇଁଲେ । ଏଣେ ସମସ୍ତଙ୍କ ମନରେ ଭାରି ଉତ୍କଣ୍ଠା । ବଗିଚାସାରା ଖୋଜା ଚାଲିଲା । ତା’ପରେ ପ୍ରାସାଦ ଯାକ । ତା’ପରେ ପ୍ରାସାଦ ଚତୁର୍ଦ୍ଦିଗସ୍ଥ ଇଲାକା । କିନ୍ତୁ ଯେତେ ଯାହା କଲେ ବି ସେ ରାଜକୁମାର ଆଉ ମିଳିଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ