ଥରେ ବିଜୟନଗର ରାଜ୍ୟରେ ମୂଷଳ ଧାରାରେ ବର୍ଷା ହେଲା । ତେଣୁ ଚାରିଆଡେ ଖାଲି ପାଣି ଠିଆ ହୋଇଗଲା । ନଦୀରେ ବନ୍ୟା ଆସିଗଲା । ବନ୍ୟା ଜଳ ଗ୍ରାମରେ ପଶିବାରୁ ଝାଟିମାଟି ଘର ଗୁଡିକ ବି ଭାଙ୍ଗିଗଲା । ତା’ ସହିତ ଶହ ଶହ ପଶୁ ବର୍ଷା ପାଣିରେ ଭାସିଗଲେ । ଏମିତିକି ରାସ୍ତାରେ ପାଣି ସୁଅ ବି ଚାଲିଲା । ରାଜା କୃଷ୍ଣଦେବ ରାୟଙ୍କୁ ଏହି ସବୁ ଖବର ମଧ୍ୟ ମିଳିଲା ।
ତେଣୁ ରାଜା ସଂଗେ ସଂଗେ ତାଙ୍କ ମନ୍ତ୍ରୀଙ୍କୁ ଡକାଇ କହିଲେ, “ମନ୍ତ୍ରୀ ମହାଶୟ! ତୁରନ୍ତ ରାଜ୍ୟବାସୀଙ୍କ ସହାୟତା ନିମନ୍ତେ ରାଜକୋଷରୁ ବହୁ ଅର୍ଥ ଦେବାପାଇଁ ।” ଝାଟି ମାଟି ଘର ତଳେ ରହିଯାଇଥିବା ଲୋକମାନଙ୍କୁ ପ୍ରଥମେ ବାହାରକୁ ଆଣି ନିରାପଦ ସ୍ଥାନରେ ରଖାଗଲା । ଏଥିପାଇଁ ରାଜାଙ୍କ କର୍ମଚାରୀମାନେ ପୂରା ଦମ୍ରେ ମାତିଥାଆନ୍ତି । ବନ୍ୟା ପୀଡିତଙ୍କ ରହିବା, ଖାଇବା ଓ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଥାଏ । ମନ୍ତ୍ରୀ ମଧ୍ୟ ରାଜ କୋଷରୁ ତୁରନ୍ତ ଅର୍ଥ ଆଣି ରାଜ୍ୟବାସୀଙ୍କ ସହାୟତା କାର୍ଯ୍ୟରେ ବିନିଯୋଗ କରୁଥାଆନ୍ତି ।
କିଛିଦିନ ଗଲା । ମନ୍ତ୍ରୀଙ୍କୁ ଆଉ ରାଜଧାନୀରେ ଦେଖିବାକୁ ମିଳିଲା ନାହିଁ । ଏଣେ ରାଜା ଭାବୁଛନ୍ତି, ମନ୍ତ୍ରୀ ବୋଧହୁଏ ଦୁଃଖୀ ରଙ୍କୀଙ୍କ ସେବାରେ ଲାଗିପଡିଛନ୍ତି । କିଛି ଦିନ ପରେ ମନ୍ତ୍ରୀ ମହାଶୟ ଦରବାରରେ ଆସି ପହଁଚିଗଲେ । ରାଜାଙ୍କ ଆଗରେ ନିଜେ କିପରି ନଖାଇ ନପିଇ ବନ୍ୟା ପ୍ରପୀଡିତଙ୍କ ସେବା କରୁଥିଲେ ସେସବୁ ବର୍ଣ୍ଣନା କଲେ ।