ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବଲ୍ଲଭର ବ୍ୟାଧି

ବଲ୍ଲଭ ନାମରେ ଜଣେ ଯୁବକ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦେଖିଲା ଗୋଟିଏ ବରଗଛ ତଳେ ଜଣେ ବ୍ୟକ୍ତି ଶୋଇଛନ୍ତି; ଗୋଟିଏ ବିଷାକ୍ତ ସାପ ତାଙ୍କୁ ମାରିବାକୁ ଯାଉଛି । ବଲ୍ଲଭ ଦୌଡି ଯାଇ ସାପର ଲାଙ୍ଗୁଡ ଧରି ଟାଣି ଆଣି ଘୁରାଇ ଘୁରାଇ ତାକୁ ଦୂରକୁ ଫିଙ୍ଗିଦେଲା ।

ଇତିମଧ୍ୟରେ ଶୋଇଥିବା ଲୋକଟି ଉଠି ପଡିଲା । ତା’ର ନାମ ଶୀତଳ । ସେ ଜାଣିପାରିଲା ଯେ ବଲ୍ଲଭ କିପରି ତା’ର ଜୀବନ ବଂଚାଇଛି । ଶୀତଳ କହିଲା, “ପୁଅ, ତମେ ଠିକ୍ ସମୟରେ ଆସି ମୋର ଜୀବନ ରକ୍ଷା କରିଛ । ତୁମ ଉପକାର ତ ମୁଁ କେବେବି ହେଲେ ଭୁଲି ପାରିବି ନାହିଁ । ମୁଁ ତୁମକୁ ପୁରସ୍କାର ସ୍ୱରୂପ ଏ ଯାଦୁଥଳୀଟି ଦେଉଛି । ତୁମେ ତାକୁ ଯେତେବେଳେ ଖାଇବା ମାଗିବ, ସେତେବେଳେ ସେ ତାହା ତୁମକୁ ଦେବ । ହେଲେ ମନେ ରଖିବ, ନିହାତି ଦରକାର ହେଲେ ଯାଇ ତାହାର ସାହାଯ୍ୟ ନେବ । କିନ୍ତୁ କେବେ ମଧ୍ୟ ଏହାର ଦୁରୁପଯୋଗ କରିବ ନାହିଁ ।”

ବଲ୍ଲଭ ଆଶ୍ଚର୍ଯ୍ୟ ହୋଇ ଶୀତଳକୁ ପଚାରିଲା, “ଯାଦୁର ଥଳୀ ଆପଣ କିପରି ପାଇଲେ?”

ଶୀତଳ କହିଲା, “ପୁଅ, ମୁଁ ଜଣେ ବଡ ଧନୀ ଲୋକ ଥିଲି । ମୋର ବନ୍ଧୁ ବାନ୍ଧବମାନେ ଚିକଣିଆ ଚିକଣିଆ କଥା କହି, ମିଥ୍ୟା କଥା କହି ମୋଠାରୁ ସବୁ ସମ୍ପତ୍ତି ନେଇ ମୋତେ ସେମାନେ କାଙ୍ଗାଳ କରିଦେଲେ । ମୁଁ ପ୍ରଥମେ ପ୍ରଥମେ ତ ଏସବୁ କିଛି ବୁଝିପାରୁ ନଥିଲି, ମାତ୍ର ପରେ ମୁଁ ବିଚାରପତିଙ୍କ ପାଖରେ ଅଭିଯୋଗ କଲି । ହେଲେ ସେ ମଧ୍ୟ ଶେଷକୁ ସେମାନଙ୍କଠାରୁ ଲାଂଚ ଖାଇ ମୋ ବିରୁଦ୍ଧରେ ଗଲେ । ଖାଲି ସେତିକି ନୁହେଁ ମୋ ଉପରେ ମିଥ୍ୟା ଦୋଷାରୋପ କରି ମୋତେ ସେମାନେ ଗ୍ରାମରୁ ବାହାର କରିଦେଲେ । ମୁଁ ଜଙ୍ଗଲକୁ ଯାଇ ସେଠାରେ ଫଳମୂଳ ଖାଇ କୌଣସି ମତେ ନିଜ ଜୀବନ ଧାରଣ କରି ରହିଥାଏ । ଥରେ ଜଣେ ସାଧୁଙ୍କ ସହିତ ମୋର ଦେଖାହେଲା । ସେ ମୋ ଜୀବନର ସମସ୍ତ ଦୁଃଖପୂର୍ଣ୍ଣ କାହାଣୀ ଶୁଣି ମୋ ପ୍ରତି ଦୟାପରବଶ ହୋଇ ଏହି ଯାଦୁଥଳୀଟି ସେ ମୋତେ ଦେଲେ, ଯେପରିକି ମୋର ଜୀବନରେ ଆଉ ଖାଦ୍ୟକଷ୍ଟ ମୋଟେ ରହିବ ନାହିଁ । ମୁଁ ଆଜି ତୁମକୁ ଦେଖି ବହୁତ ଖୁସି । ବହୁତ ଦିନ ପରେ ମୁଁ ଜଣେ ଭଲମଣିଷର ସଙ୍ଗଲାଭ କଲି ।”

ବଲ୍ଲଭ ପଚାରିଲା, “ଏହି ଯାଦୁଥଳୀଟି ମୋତେ ଦେଇଦେଲେ ଆପଣ କିପରି ଚଳିବେ?”

ଶୀତଳ କହିଲା “ଆଜିପର୍ଯ୍ୟନ୍ତ ଯିଏ ମୋର ଉପକାର କରେ ମୁଁ ମଧ୍ୟ ତା’ର ଉପକାର କରି ଆସିଛି । ମୋର ଦୁର୍ଦ୍ଦିନ ପରେ ତୁମେହିଁ ପ୍ରଥମ ଲୋକ ଯିଏକି ମୋର ଉପକାର କଲ । ସାଧୁଙ୍କ କଥା ତ ଭିନ୍ନ । ତେଣୁ ପ୍ରତ୍ୟୁପକାର କିପରି କରିବି? କ’ଣ ବା ମୋ ପାଖରେ ଅଛି? ଆଉ କେତେଦିନ ବା ମୁଁ ବଂଚିବି ଯେ; ଯେମିତି ହେଲେ ଭଗବାନଙ୍କ ଇଚ୍ଛାରୁ ଦିନ ଭଲରେ କଟିଯିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ