ଭଲ୍ଲୁକଚର୍ମଧାରୀମାନେ ଉଗ୍ରଦତଙ୍କୁ ସୁଡଙ୍ଗ ମାର୍ଗରେ ନିଜ ସର୍ଦ୍ଦାର କନ୍ଧ ପାଖକୁ ନେଇଗଲେ । କନ୍ଧ କହିଲା, ବ୍ୟାଘ୍ରଚର୍ମଧାରୀ ଦଳର ନେତା ଏକପାଦକୁ ସଂହାର କରିବା ନିମନ୍ତେ ସେ ରାକ୍ଷସମାନଙ୍କ ସହାୟତା କାମନା କରେ । ସେ ଉଗ୍ରଦତଙ୍କୁ ଚେତାଇଦେଲା କି ଏକପାଦକୁ ମାରିବା ଏତେ ସହଜ ନୁହେଁ । କାରଣ ସିଏ ଯାହାର ରକ୍ତ ଦେଖିବ, ସିଏ ମରିଯିବ । ଆଉ ଯିଏ ତା’ର ରକ୍ତ ଦେଖିବ, ସିଏ ବି ମରିଯିବ । ତା’ପରେ…
ବ୍ୟାଘ୍ରଚର୍ମଧାରୀଙ୍କ ନେତା ଏକପାଦର ଏଭଳି ଅପୂର୍ବ ଶକ୍ତି କଥା ଶୁଣି ଉଗ୍ରଦତ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲେ ।
ତେଣେ ସାମନ୍ତ ରଜା ସୁଦର୍ଶନଙ୍କ କନ୍ୟା ଚନ୍ଦ୍ରଲେଖାଙ୍କର କ’ଣ ହେଲା, ସେକଥା ଜାଣିବା ସକାଶେ ମଧ୍ୟ ତାଙ୍କ ମନ ଖୁବ୍ ବ୍ୟାକୁଳ ହେଉଥାଏ ।
ସର୍ଦ୍ଦାର କନ୍ଧ ଏକପାଦ ବିଷୟରେ ଆହୁରି ମଧ୍ୟ କହିଲା, “ତାକୁ ମାରିବା ବାସ୍ତବିକ ଜଟିଳ କଥା । ଥରେ ମୋ ଅନୁଚରମାନେ ସୁଯୋଗ ପାଇ ତାକୁ ବନ୍ଦୀ ବନାଇଥିଲେ । ତେବେ ସେମାନେ ତାକୁ ଠିକ୍ ମାରିବା ପୂର୍ବରୁ ସେ ନିଜେ ଗୋଟିଏ ଛୁରୀରେ ନିଜ ଦେହରୁ ରକ୍ତ ବାହାର କରି ପକାଇଲା । ସେ ରକ୍ତ ଦେଖିବା ମାତ୍ରେ ମୋ ଅନୁଚରମାନେ ସଙ୍ଗେ ସଙ୍ଗେ ଟଳି ପଡିଲେ ।
ଉଗ୍ରଦତ ନିରାଶ କଣ୍ଠରେ ପ୍ରଶ୍ନ କଲେ “ଅର୍ଥାତ୍, ତା’ ଆଗକୁ ଯିବାହିଁ ବିପଦର କଥା । ସେ ଦୃଷ୍ଟିରୁ ଆମେ ତାକୁ କିପରି ମାରିବା?”
ଉଗ୍ରଦତ ଏହିପରି ନାନା କଥା ଭାବୁଛନ୍ତି, ସର୍ଦ୍ଦାର କନ୍ଧ ତାଙ୍କ ପାଖକୁ ଯାଇ କହିଲା, “ଉଗ୍ରଦତ, ତମେ ଆଉ କ’ଣ ଭାବୁଛ? ତମ ପାଳକ ପିତାଙ୍କ ସହାୟତା ପ୍ରାର୍ଥନା କରି ତାଙ୍କ ପାଖକୁ ସନ୍ଦେଶ ପଠାଇବା ନା ନାହିଁ?”
ସର୍ଦ୍ଦାର କନ୍ଧ ଆଉ କିଛି କହିବା ପୂର୍ବରୁ ରୁଦ୍ର କହିଲା, “ମୋତେ ଯିବାକୁ ଅନୁମତି ଦିଅ । ମୁଁ କପିଳପୁର ଯାଇ ଉଗ୍ରାକ୍ଷଙ୍କୁ ସବୁ କଥା କହି ତାଙ୍କ ସହାୟତା ହାସଲ କରିବି ।”
ଉଗ୍ରଦତ ଓ କନ୍ଧ ଉଭୟ ଏଥିରେ ସମ୍ମତ ହେଲେ । ସର୍ଦ୍ଦାର କନ୍ଧ ତା’ର ଚେତକ ନାମକ ଜଣେ ଅନୁଚରକୁ ଡାକି କହିଲା, “ଏ ବାବୁଙ୍କୁ ଗୋଟିଏ ପକ୍ଷୀ ଉପରେ ବସାଇ ନେଇଯାଅ । କପିଳପୁରର ବଣ ଭିତରେ ନେଇ ଛାଡିବ ।”
ଚେତକ ଡରିଯାଇ କହିଲା, “ସର୍ଦ୍ଦାର! ତମେ ତ ଜାଣ, ଯେତେବେଳଠୁଁ ବ୍ୟାଘ୍ରଚର୍ମଧାରୀମାନେ ଉଗ୍ରଦତ ରୁଦ୍ର ଓ ଅରୁଦ୍ରଙ୍କୁ ଏଠାକୁ ଧରିନେଇ ଆସିଲେଣି, ସେତେବେଳଠୁଁ ରାକ୍ଷସରାଜ ଉଗ୍ରାକ୍ଷ ଓ ତାଙ୍କ ଅନୁଚରମାନେ ଉତ୍ତେଜିତ ଭାବରେ ବଣକୁ ଜଗି ରହିଛନ୍ତି । ଭୟଙ୍କର ପକ୍ଷୀଟିଏ ଅବତରଣ କରିବାର ଦେଖିପକାଇବା ମାତ୍ରେ ସେମାନେ ଆକ୍ରମଣ କରି ଆମକୁ ମାରିଦେବେ । ଆମେ କିଏ ସେକଥା ବୁଝିଲା ଭଳି ଧୈର୍ଯ୍ୟ ସେମାନଙ୍କର ଆଉ ନଥିବ ।”
ଉଗ୍ରଦତ ଟିକିଏ ଚିନ୍ତା କରି କହିଲା, “ତେବେ ଆମକୁ ଗୋଟାଏ କାମ କରିବାକୁ ପଡିବ । ଆକାଶରୁ ରୁଦ୍ର ଏପରି କିଛି ଚିଜ ତଳକୁ ପଠାଇବା ଦରକାର, ଯାହା ଦ୍ୱାରା ତା’ର ପରିଚୟ ଜଣା ପଡିଯିବ । ତା’ପରେ ଯାଇ ପକ୍ଷୀ ତଳକୁ ଓହ୍ଲାଇବ । ଏକଥା ସତ ଯେ ଆମେମାନେ ହରଣଚାଲ ହୋଇ ଆସିବା ଫଳରେ ମୋ ପାଳକ ପିତା ଉଗ୍ରାକ୍ଷ ଭୀଷଣ କ୍ରୁଦ୍ଧ ହୋଇଥିବେ ଓ ଭୟଙ୍କର ପକ୍ଷୀମାନଙ୍କୁ ଦେଖିବା ମାତ୍ରେ ଆକ୍ରମଣ କରିବା ନିମନ୍ତେ ନିର୍ଦେଶ ଦେଇଥିବେ । ତେବେ ଏଇଆ କରାଯାଇ ପାରେ । ମୁଁ ଖଣ୍ଡିଏ ଚିଠି ଲେଖିଦେବି । କୌଣସି ଭାରି ଚିଜ ସାହାଯ୍ୟରେ ସେ ଚିଠି ତଳକୁ ସାବଧାନରେ ପକାଇବାକୁ ପଡିବ । ଚିଠି ଖଣ୍ଡିକ ପାଇଲେ ମୋ ପାଳକ ପିତା ସବୁ ଅବସ୍ଥା ବୁଝିଯିବେ । ତା’ପରେ ନିରାପଦରେ ଓହ୍ଲାଇ ରୁଦ୍ର ବାକି ସବୁ କଥା ବୁଝାଇଦେବ ।”
ସର୍ଦ୍ଦାର କନ୍ଧ, ରୁଦ୍ର ତଥା ଅନ୍ୟ ମାନଙ୍କୁ ଏ ପ୍ରସ୍ତାବ ବେଶ୍ ଯୁକ୍ତିଯୁକ୍ତ ମନେ ହେଲା । ସର୍ଦ୍ଦାର କନ୍ଧ କହିଲା, “ଯାତ୍ରା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାମାନ କର ।” ଏହା ପରେ ଉଗ୍ରଦତ ବିଶ୍ରାମ କରିବା ନିମନ୍ତେ ଗୋଟିଏ ବିଶ୍ରାମଗାର ଦେଖାଇଦେଇ ଚାଲିଗଲା ।
ତେଣେ ଉଗ୍ରାକ୍ଷ ତା’ ଦୁର୍ଗ ଆଗରେ ଖଣ୍ଡିଏ ପଥର ଉପରେ ଚିନ୍ତାମଗ୍ନ ହୋଇ ବସିଥିଲା । ଦୁଇଜଣ ଅନୁଚର ଧଇଁସଇଁ ହୋଇ ଦୌଡି ଆସି କହିଲେ, “ମାଲିକ! ଆମେ ବଡ ଆଶ୍ଚର୍ଯ୍ୟର କଥା ଦେଖିଲୁ । ସେକଥା କହିଲେ ଆପଣ ଆଦୌ ବିଶ୍ୱାସ କରିବେ ନାହିଁ । ବୋଧେ ଶତ୍ରୁ ପକ୍ଷର ବୁଦ୍ଧି ବଣା ହେଲାଣି ବୋଲି ମନେ ହୁଏ ।”
ଉଗ୍ରାକ୍ଷ ତା’ ଆଖି ଲାଲ୍ କରି ସେ ଅନୁଚରମାନଙ୍କୁ ପଚାରିଲା “କ’ଣ ହୋଇଛି ସ୍ପଷ୍ଟ କରି ନକହି ଏତେ ଭୂମିକା ଦେବା କ’ଣ ଦରକାର? କାହାର ବୁଦ୍ଧି ବଣା ହେଲାଣି?”
ଅନୁଚରମାନେ ତା’ର ଭଙ୍ଗୀ ଓ ସ୍ୱର ଶୁଣି ପ୍ରଥମେ ଡରିଗଲେ । ତା’ପରେ କହିଲେ, “ମାଲିକ! ବହ୍ନିଦ୍ୱୀପରୁ କୌଣସି ଆଗନ୍ତୁକ ଏକ ଭୟଙ୍କର ପକ୍ଷୀ ଉପରେ ସବାର୍ ହୋଇ ବଣ ମୂଲକ ଉପରେ ଉଡି ବୁଲୁଛି । ଖାଲି ସେତିକି ନୁହେଁ, ତଳକୁ ଓହ୍ଲାଇବା ନିମନ୍ତେ ସେ ଚେଷ୍ଟା ବି କରୁଛି । ଆମେ ତାକୁ ଲକ୍ଷ୍ୟ କରି ଗଦା ଫୋପାଡିଲୁ ଓ ତୀର ମଧ୍ୟ ମାରିଲୁ । କିନ୍ତୁ ଫଳ ମୋଟେ କିଛି ହେଲା ନାହିଁ । ସେ ପକ୍ଷୀ ନା ଯାଉଛି, ନା ତଳେ ବସି ପାରୁଛି! ପକ୍ଷୀର ସବାର୍ ତଳକୁ କୌଣସି ଚିଜ ଫୋପାଡି ଦେଇଛି ।”
ଉଗ୍ରାକ୍ଷ କଡା କଣ୍ଠରେ ପଚାରିଲା “କି ଚିଜ? ତାହା ଆଣିଛ?”
ସେ ଦୁହେଁ କହିଲେ “ନା ମାଲିକ । କେଉଁଠି କୌଣସି ଗଛ ମୂଳରେ ତାହା ପଡିଛି । କେତେଜଣ ତାକୁ ଖୋଜୁଛନ୍ତି ।”
ଉଗ୍ରାକ୍ଷ ହୁଙ୍କାର ଛାଡି କହିଲା “ତମେ ଦୁଇଟା ବୁଦ୍ଧୁ । ଚାଲ, ଚାଲ, କେଉଁଠି ସେ ଚିଜ ପଡିଛି, ମୋତେ ଦେଖାଇଦେବ ଚାଲ ।” ତା’ପରେ ସେ ସେହି ଦୁଇ ଅନୁଚରଙ୍କ ସହ ବାହାରିଗଲା । ଉଗ୍ରଦତ ହରଣଚାଲ ହୋଇଯିବା ପରଠାରୁ ଉଗ୍ରାକ୍ଷ ସବୁ କଥାରେ ଖାଲି ଚିଡି ଯାଉଥିଲା ।