ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବାଜି ଜିତି ବାହା

ବିକ୍ରମାଦିତ୍ୟଙ୍କ ସମୟରେ ଭୋଜ ନାଁରେ ଆଉଜଣେ ରାଜା ଆଉ ଏକ ରାଇଜରେ ରାଜପଣ କରୁଥିଲେ । ତାହାଙ୍କଠିଁ ଯେତେ ଗୁଣ ଥିଲେବି କୁହୁକ ବିଦ୍ୟାରେ ସେ ପୋଖତ ଥିଲେ ବୋଲି ତାଙ୍କର ଖୁବ୍ ନାମଡାକ ଥିଲା । ସେମିତିକା ଅଦ୍ଭୁତ କୁହୁକ ବିଦ୍ୟା ଯେ ଦେଖୁଥିଲା, ସେ ଅବାକ୍ ହୋଇ ନିଜ ଆଖିକୁ ବି ମଧ୍ୟ ବିଶ୍ୱାସ କରିପାରୁ ନଥିଲା । ଲୋକେ କହନ୍ତି ତାହାଙ୍କଠୁଁ ସେହି ଆଶ୍ଚର୍ଯ୍ୟକର ବିଦ୍ୟା ଆରମ୍ଭ ହୋଇଥିଲା ବୋଲି ତାହାକୁ ଭୋଜବିଦ୍ୟା କହନ୍ତି । କାହିଁ କେତେ ବରଷ ତଳର ପୁରୁଣା କଥା ହେଲେ ବି ସେଇ ଭେଳିକି ବିଦ୍ୟାର କରାମତି ଆଜି ଆମ୍ଭେମାନେ ପଢି ଧାରଣା କରିପାରୁ ନାହୁଁ ଯେ ସତେ କଣ ଭେଳିକିରେ ଇମିତିକା ଆଶ୍ଚର୍ଯ୍ୟ କାମ ହୋଇପାରୁଥିଲା! ଯୁଗ ବହୁତ ଆଗେଇଯାଇଛି । ଏବେ ବି ସେଇ ପ୍ରକାର ଭୋଜବିଦ୍ୟା ଦେଖାଇ ପାରିଲା ଭଳି କେହି ଯୋଗ୍ୟର ଲୋକ ବାହାରିଛନ୍ତି କି ନାହିଁ ସନ୍ଦେହ ଲାଗେ । ଭୋଜରାଜାଙ୍କ ଝିଅଟି ଅପୂର୍ବ ସୁନ୍ଦରୀ । ଗୋଟିଏ ଚାଉଳରେ ଗଢା ଚିତ୍ର ପ୍ରତିମା । ନାଁଟି ତାହାର ଭାନୁମତୀ । ଖାଲି ରୂପରେ ନୁହେଁ, ଗୁଣରେ ବି ସେ ଖୁବ୍ ସୁଲକ୍ଷଣୀ । ଇମିତିକା ସର୍ବାଙ୍ଗ ସୁନ୍ଦରୀ, ଗୁଣବତୀ ଝିଅକୁ ଯେ ବାହାହେବ, ସେ ବି ସେମିତିକା ଗୁଣର ସୁପାତ୍ର ହୋଇଥିବା ଦରକାର । ରାଜା ଅନେକ ଭାବିଚିନ୍ତି ସ୍ଥିର କଲେ, ଯେ କୁହୁକ ବିଦ୍ୟାରେ ତିନିଥର ଜିତି ପାରିବ, ତାହାକୁହିଁ ସେ ତାଙ୍କ ଝିଅଟିକୁ ବାହା ଦେବେ । ସେହି ମରମରେ ଚିଟାଉ ଲେଖାଗଲା । ଭୋଜ ରାଜା ସବୁ ଦେଶର ରାଜାଙ୍କ ପାଖକୁ ଦୂତ ହାତରେ ଚିଟାଉ ପଠାଇଲେ ।

ରଜାପୁଅମାନେ ତ ଯେଝା ସଉକରେ ମଉଜରେ ଅୟେସରେ ବଢିଛନ୍ତି, ସେ କିଆଁ ଏ କୁହୁକ ବିଦ୍ୟା କଥା ଜାଣିବେ । କେତେକ ରଜାପୁଅ କନିଆର ରୂପ ଲୋଭରେ ଲାଳେଇ ପାଳେଇ ହୋଇ ଆସିଲେ । ହେଲେ କଣ ହେବ, ଏ ଭୋଜ ରାଜାଙ୍କର କୁହୁକ ବିଦ୍ୟା ଦେଖି ତାଙ୍କର ବୁଦ୍ଧିବଣା ହୋଇଗଲା, ତା’ପରେ ସେମାନେ ବାଟେ ବାଟେ ଆପଣା ହାତରେ କାନମୋଡା ଖାଇ ଯେଝା ରାଇଜକୁ ପଳାଇଲେ । ଆଉ କେତେକ ରଜାପୁଅ ଭୋଜରାଜାଙ୍କ କୁହୁକ ବିଦ୍ୟା ନାଁ ଶୁଣି ମନେ ମନେ ମନମାରି ମୁହଁ ପୋତିଦେଇ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ