ମୁକୁନ୍ଦନଗର ନାମକ ଏକ ସହର ଥିଲା । ସେହି ସରରରେ ଜଣେ ପଣ୍ଡିତ ବାସ କରୁଥିଲେ । ଆଜି କାଲିକା ଯୁଗ ଯେ ଓଲଟା ହୋଇଗଲା, ଦେବତା ବ୍ରାହ୍ମଣମାନଙ୍କୁ ଆଉ ଲୋକେ ମାନିଲେ ନାହିଁ । ଦେବତାଙ୍କ ପୂଜା କରିବାକୁ ହେଲେ ତ ବ୍ରାହ୍ମଣ ପଣ୍ଡିତମାନଙ୍କର ଲୋଡ଼ା । ଲୋକେ ତ ଦେବତା ମାନିଲେ ନାହିଁ । ବ୍ରାହ୍ମଣମାନଙ୍କୁ କାହିଁକି ଖୋଜିବେ ବା ମାନିବେ, ଏଥିପାଇଁ ପଣ୍ଡିତେ ଧନ ରୋଜଗାର କରିବାରେ ବହୁତ ହଇରାଣ ହେଲେ । ଦୁଇଓଳି ଦୁଇ ମୁଠା ପରିବାରର ଲୋକଙ୍କୁ ଖାଇବାକୁ ଦେଇ ପାରିଲେ ନାହିଁ,ଏହାଦ୍ୱାରା ଗୃହରେ ସଦାସର୍ବଦା ଅଶାନ୍ତି ଦେଖାଦେଲା । ଛୁଆଙ୍କର ବିକଳ ଭୋକା ମୁହଁକୁ ଦେଖି ପଣ୍ଡିତ ଆଉ ସହ୍ୟ କରିପାରିଲେ ନାହିଁ । ସେହିଯୋଗୁଁ ନିରୂପାୟ ହୋଇ ଶେଷରେ ଅନ୍ୟ ପନ୍ଥାଟିଏ ବାଛି ନେଲେ – ଏହାପରେ ସମସ୍ତଙ୍କର ଅଜଣାରେ ନାନା ପ୍ରକାର ଚୋରୀ କାର୍ଯ୍ୟରେ ଲିପ୍ତ ହୋଇଗଲେ ସତ ହେଲେ ଲୋକଙ୍କ ଆଗରେ ସେ ପଣ୍ଡିତ ବୋଲି ପରିଚୟ ଦେଇ ଚାଲିଲେ ।
ଦିନକର କଥା । ପଣ୍ଡିତେ ଜାଣିବାକୁ ପାଇଲେ ଯେ, ତାଙ୍କରି ସହରକୁ ଚାରିଜଣ ବ୍ରାହ୍ମଣ ଆସିଛନ୍ତି । ସ୍ୱଜାତି ହେଲେ ସେମାନେ କ’ଣ ସହରରେ ଯେଜମାନି କାର୍ଯ୍ୟ କରିବେ ନା’ କ’ଣ? ତାହା ଯଦି ସତ୍ୟ ହୋଇଯାଏ ତାହାହେଲେ ନିଜର ଭେଳାକ ବୁଡ଼ିଲା । ସହଜେ ତ ଲୋକେ ଦେବତା ବ୍ରାହ୍ମଣଙ୍କର ପୂଜା କରୁନାହାଁନ୍ତି । କାଁ ଭାଁ କେତେବେଳେ ଗୋଟାଏ କର୍ମ ପଡ଼ିଗଲେ ଏହି ପଣ୍ଡିତଙ୍କୁ ଲୋଡ଼ିଥାଆନ୍ତି । ଏମାନେ ଯଦି ସେ ସମସ୍ତ କାମ ତୁଲାଇଦେବେ ତାହାହେଲେ ପିଲା ଛୁଆମାନେ ମୋର ଠୋ ଠୋ ଠି ହୋଇ ଯିବେ ।ଏପରି ଭାବି ପଣ୍ଡିତେ ସେହି ପଣ୍ଡିତମାନଙ୍କର ଅନ୍ୱେଷଣରେ ରହିଲେ ।