(ନାଗପୁରୀ ରାଜଭବନରୁ ଯେଉଁ “ଶତାଦ୍ଦିକା” ପୁଷ୍ପ ଚୋରି ହୋଇଥିଲା ତାହା ସମୁଦ୍ରତଟରେ ଥିବା ନୌକାରୁ ମିଳିଲା । ତା’ପରେ ଦଳପତି ନାଗସିଂହ ଓ କେତେକ ସୈନ୍ୟଙ୍କ ସହ ଉତୁଙ୍ଗ “ଶତାଦ୍ଦିକା” ଫୁଲ ନେଇ ରାକ୍ଷସ ଜନ୍ତୁକୁ ଖୋଜିବାକୁ ଗଲେ । ଅଳ୍ପବାଟ ଯିବା ପରେ ନାଗସିଂହ ଉତୁଙ୍ଗଙ୍କୁ ସମୁଦ୍ରରେ ଠେଲି ପକାଇଦେଲେ ଓ “ଶତାଦ୍ଦିକା” ଫୁଲ ଧରି ଗଲେ । ଉତୁଙ୍ଗ କୌଣସି ମତେ କୂଳ ଆଡକୁ ଆସିଲେ । ଏଣିକି ଆଗକୁ ପଢନ୍ତୁ)
ଉତୁଙ୍ଗ ଯିବାର ଏକ ସପ୍ତାହ ବିତିଗଲା; କିନ୍ତୁ ତାଙ୍କର କୌଣସି ଖବର ନପାଇ ତାଙ୍କ ଭଉଣୀ ରଜନୀ ଓ ରାଜକୁମାରୀ ପ୍ରିୟମ୍ବଦା ବହୁତ ଚିନ୍ତିତ ହୋଇ ପଡିଲେ । ରାକ୍ଷସ ଜନ୍ତୁର ଆକ୍ରମଣ ଯୋଗୁଁ, ନିଜନିଜର ଘର, ଗାଁ ଓ ସମ୍ପତ୍ତି ଛାଡି ଯେଉଁ ଲୋକମାନେ ପଳାଇ ଆସିଥିଲେ ଓ ଶରଣାର୍ଥୀମାନଙ୍କ ପରି ରହିଲେ ସେମାନଙ୍କର ଦେଖାଶୁଣା କରିବାର ଭାର ରାଜକୁମାରୀ ନିଜେ ହିଁ ଗ୍ରହଣ କଲେ । ସେମାନଙ୍କ ରହିବା ଖାଇବା ସବୁ ସେ ନିଜେ ବୁଝୁଥା’ନ୍ତି । ରଜନୀ ସର୍ବଦା ତାଙ୍କ ସାଥିରେ ଥାଏ; ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସେ କୌଣସି ପ୍ରକାରେ ଚିନ୍ତିତ ନଥିଲା । କିନ୍ତୁ ଏବେ ଭାଇ ନ ଫେରିବାରୁ ସେ ବଡ ବ୍ୟଥିତ ହୋଇ ପଡିଲା; କାହିଁକିନା ପିଲାଦିନଠାରୁ ଆଜି ପର୍ଯ୍ୟନ୍ତ ସେ କେବେ ବି ତା’ ଭାଇଠାରୁ ଅଲଗା ହୋଇ ରହି ନଥିଲା । ଭାଇକଥା ଭାବି ଭାବି ଶୋଇଥିଲା । ହଠାତ୍ “ଭାଇ” ବୋଲି ଚିତ୍କାର କରି ସେ ଉଠି ବସିଲା । ରାଜକୁମାରୀ ତା’ର ଚିତ୍କାର ଶୁଣି ତାଙ୍କ କକ୍ଷରୁ ବାହାରି ଆସି ରଜନୀକୁ ପଚାରିଲେ, “ତୁମ ଭାଇ କ’ଣ ଫେରି ଆସିଲେଣି କି?”
ତହୁଁ ସେ ରଜନୀ କାନ୍ଦି କାନ୍ଦି କହିଲା “ନା, ମୁଁ ସ୍ୱପ୍ନରେ ଦେଖିଲି ମୋ ଭାଇକୁ କେହି ସମୁଦ୍ର ମଧ୍ୟରେ ଠେଲି ଦେଲା ।”