ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ପୁଷ୍ପ

(ରାକ୍ଷସ ଜନ୍ତୁକୁ ଖୋଜିବାକୁ ଯାଇ ଦଳନାୟକ ନାଗସିଂହ ସମୁଦ୍ରରେ ଉତୁଙ୍ଗଙ୍କୁ ଠେଲି ପକାଇ ଦେଲା । ଉତୁଙ୍ଗ କିନ୍ତୁ ଅକ୍ଷତ ଅବସ୍ଥାରେ ଫେରି ଆସି ରାଜାଙ୍କୁ ସେହି ସମାଚାର ଶୁଣାଇଲେ; ରାଜା ସେନାପତି ଓ ସୈନ୍ୟଦଳ ନେଇ ସମୁଦ୍ରତଟରେ ପହଁଚିଲେ; ରାକ୍ଷସଜନ୍ତୁ ନାଗସିଂହର ନୌକା ପଛରେ ଆସୁଥାଏ । ରାଜା ଓ ଉତୁଙ୍ଗଙ୍କ ଆଦେଶ ଅନୁସାରେ ସୈନ୍ୟମାନେ ରାକ୍ଷସଜନ୍ତୁ ଉପରକୁ ଜଳନ୍ତା ତୀର ଓ ମଶାଲ ଫିଙ୍ଗିଲେ । ଫଳରେ ରାକ୍ଷସଜନ୍ତୁ ଦେହରେ ଅଗ୍ନି ସଂଯୋଗ ହେଲା । ଯେ ଭସ୍ମ ହୋଇ ପାଣିରେ ଚୁଡି ଗଲା । ରାଜା ଓ ଅନ୍ୟମାନେ ରାଜଧାନୀକୁ ଫେରି ଆସିଲେ । ଏଥର ଆଗକୁ ପଢନ୍ତୁ)

                ଉତୁଙ୍ଗ ଓ ତିନିଜଣ ସୈନିକ ହାତରେ ମଶାଲ ଧରି ସମୁଦ୍ର ତଟକୁ ନିରୀକ୍ଷଣ କରୁଥା’ନ୍ତି । ଅନ୍ଧକାରରେ କିଛି ଦେଖାଯାଉ ନଥାଏ । କିଛି ସମୟ ପରେ ଦେଖା ଗଲା ଯେ ଜଣେ ସୈନିକ ପ୍ରାଣପଣେ ଚେଷ୍ଟା କରି ପହଁରି ପହଁରି କୂଳକୁ ଆସୁଛି । ଉତୁଙ୍ଗ ପାଣିକୁ ଡେଇଁ ପଡି ତାର ହାତଧରି ଧୀରେ ଧୀରେ କୂଳକୁ ଆଣିଲେ । ତା’ର ଅର୍ଦ୍ଧର୍ମୂଚ୍ଛା ଅବସ୍ଥା । ଉତୁଙ୍ଗ ତା’ର ହାତପାଦ ଘସି ଘସି ତାକୁ ସାଷ୍ଟମ କଲେ । କିଛି ସମୟ ପରେ ଟିକିଏ ସୁସ୍ଥ ହେବାରୁ ସେ ନିଜେହିଁ ପଚାରିଲା, “ରାକ୍ଷସଜନ୍ତୁକୁ ଦେଖିଲେ?” ଆଖିରେ ତା’ର ଭୟ । ଉତୁଙ୍ଗ କହିଲେ, “ସେ ତ ସମୁଦ୍ରରେ ଜଳିଜଳି ବୁଡିଗଲା, ଏଠାକୁ ତ କାହିଁ ସେ ଆସି ନାହିଁ ।” ନାଗସିଂହ କୁଆଡେ ଗଲେ?”

                ଏକଥା ଶୁଣି ସୈନିକଟି କହିଲା, “ଦୁଷ୍ଟ ନାଗସିଂହର ମୃତ୍ୟୁ ହୋଇଛି । ସେ ନିଜେ ରାଜା ହେଲେ ଆମକୁ ଯଥେଷ୍ଟ ଧନ ଦେବ ଓ ବଡ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଆମକୁ ସେହି ବିପଦ ମଧ୍ୟକୁ ନେଇଥିଲା । ଅଧିକାଂଶ ମରିଲେ । ମୁଁ ତ ଭଗବାନଙ୍କ ଦୟାରୁ କୌଣସି ମତେ ନିଜ ପ୍ରାଣ ଧରି ଫେରି ଆସିଛି । ଆମେ ନୌକାରେ ଆସୁଥିଲୁ, ହଠାତ୍ ରାକ୍ଷସଜନ୍ତୁ ବାହାରିଲା । ଅଳ୍ପ “ଶତାଦ୍ଦିକା” ପୁଷ୍ପ ନାଗସିଂହ ସମୁଦ୍ରରେ ବିଂଚିଦେବାରୁ ସେ ଅଧିକ ପ୍ରଲୋଭିତ ହୋଇ ନୌକାକୁ ଧରିବାକୁ ଚେଷ୍ଟା କରୁଥାଏ । ସେତିକିବେଳେ ଜଳନ୍ତା ତୀରସବୁ ତା’ଉପରେ ପଡିଲା । ସେ ଥରେ ପାଣିରେ ବୁଡିଗଲା ଓ ଆମ ନୌକା ତଳୁ ଉଠିଲା । ତେଣୁ ସମସ୍ତେ ପାଣିରେ ପଡିଗଲେ । ଅବଶ୍ୟ ନୌକାସବୁ ଖେଳନା ପରି ହାତରେ ଧରି ସେ ଫିଙ୍ଗୁଥାଏ । ନାଗସିଂହକୁ ମଧ୍ୟ ସେ ଧରି ମଝି ସମୁଦ୍ରକୁ ଫିଙ୍ଗି ଦେଲା । ଅନେକ ସୈନ୍ୟ ମଧ୍ୟ ଠିକ୍ ସେହିପରି ମରି ଗଲେ । ଆଉ କେହି ଯଦି ମୋ ପରି ପ୍ରାଣ ଧରି ଫେରିଥିବ ତେବେ ସକାଳ ହେଲେ ଯାହାକିଛି ଜଣା ପଡିବ ।”

ଉତୁଙ୍ଗ କହିଲେ, “ମୋତେ ତ ନାଗସିଂହ ସମୁଦ୍ରକୁ ଠେଲିଦେଲେ, ତା’ପରେ କ’ଣ ହେଲା?”

ସୈନିକ କହିଲା, “ନାଗସିଂହ ଆମକୁ କହିଲା, ରାକ୍ଷସଜନ୍ତୁ ଉପରକୁ ଦଉଡି ପକାଇ ବାନ୍ଧ । ତାକୁ ରାଜମହଲକୁ ନେବା । ସେଠାରେ ସେ ସମସ୍ତିଙ୍କର ସର୍ବନାଶ କରିବ । ତା’ପରେ ମୁଁ ରାଜା ହେବି ।” କିନ୍ତୁ ସେ ରାକ୍ଷସ ଜନ୍ତୁ ପ୍ରଥମେ ନାଗସିଂହଙ୍କୁହିଁ ଆକ୍ରମଣ କରି ମାରିଲା । ତା’ପରେ ଯାଇ ଆପଣମାନଙ୍କ ମଶାଲରେ ସେ ମଲା ।”

ଉତୁଙ୍ଗ କହିଲେ, “ଏଥର ଚାଲ ଆମେ ଏସବୁକଥା ସେନାପତିଙ୍କୁ କହିବା ।” ସେତେବେଳେ ରାତି ପାହିଲାଣି । ଉତୁଙ୍ଗ ଦେଖିଲେ ସମୁଦ୍ର ତଟରେ ଶବସବୁ ଲାଗିଛି । ମୃତ ରାକ୍ଷସ ଜନ୍ତୁର ବିରାଟ ଶବ ମଧ୍ୟ ଲାଗିଥାଏ । ଉତୁଙ୍ଗ ଚିହ୍ନିଲେ ଓ କହିଲେ, “ଏବେ ଆମେ ରାଜଧାନୀ ଯାଇ ରାଜାଙ୍କୁ ସବୁକଥା ଖବର ଦେବା ।”

ଉତୁଙ୍ଗ ରାଜଧାନୀରେ ପହଁଚି ସେନାପତିଙ୍କୁ ଦେଖା କଲେ । ସେତେବେଳେ କାବୁଇ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସେନାପତି ଉତୁଙ୍ଗଙ୍କୁ ପଚାରିଲେ, “ସୈନ୍ୟମାନେ ସକୁଶଳ ଫେରିଛନ୍ତି ତ? ନାଗସିଂହଙ୍କର କ’ଣ ହେଲା?”

“ନାଗସିଂହଙ୍କୁ ରାକ୍ଷସଜନ୍ତୁ ମାରି ପକାଇଛି । ଅନ୍ୟସବୁ କଥା ଏହି ଏକମାତ୍ର ଜୀବିତ  ସୈନିକ କହିବେ ।” ଏତିକି କହି ଉତୁଙ୍ଗ ସୈନିକଙ୍କୁ ଆଙ୍ଗୁଳି ନିର୍ଦେଶ କଲେ ।

ସୈନିକଙ୍କଠାରୁ ସମସ୍ତ କଥା ଶୁଣିସାରି ସେନାପତି କହିଲେ, “ଭଲ ହେଲା ନାଗସିଂହ ସବୁଦିନ ପାଇଁ ଶେଷ ହୋଇଛି । କିନ୍ତୁ ରାଜା ତା’ର ମୃତ୍ୟୁ ଖବରରେ ଦୁଃଖିତ ହେବେ; କାରଣ ସେ ରାଣୀଙ୍କର ନିଜଭାଇ ତ ।” ତା’ପରେ ସମସ୍ତେ ରାଜାଙ୍କ ପାଖକୁ ଗଲେ ।

ରାଜାଙ୍କୁ ସେମାନେ ସମସ୍ତ ଘଟଣା ଶୁଣାଇଲେ । ତା’ପରେ ରାଜା ଉତୁଙ୍ଗଙ୍କୁ କହିଲେ, “ତୁମ ଯୋଗୁଁ ମାଣିକ୍ୟପୁରୀ ଓ ଆମରାଜ୍ୟ ଦୁଇଟି ଯାକ ବିପଦରୁ ରକ୍ଷା ପାଇଲା । ତୁମର ବୀରତ୍ୱ ଓ ସାହସ ଅତ୍ୟନ୍ତ ପ୍ରଶଂସନୀୟ । ତୁମର ଧୈର୍ଯ୍ୟ ଓ ସାହସ ଅନ୍ୟ ଯୁବକମାନଙ୍କ ପାଇଁ ଏକ ଆଦର୍ଶ । ତମେ ଯଦି ଏହା ସ୍ୱୀକାର କରିବ ତ ମୁଁ ତୁମକୁ ନାଗସିଂହ ସ୍ଥାନରେ ଦଳନାୟକ ପଦ ଦେବି ।”

ରାଜାଙ୍କ ଏଭଳି ପ୍ରସ୍ତାବରେ ସେନାପତି କହିଲେ, “ରାଜନ୍, ଆପଣଙ୍କର ବିଚାର ଖୁବ୍ ସୁନ୍ଦର । ଉତୁଙ୍ଗ ଦଳନାୟକ ହେଲେ ପାହାଡୀ ଯୁବକମାନେ ନିଶ୍ଚୟ ଖୁସିରେ ସୈନ୍ୟବିଭାଗରେ ଯୋଗ ଦେବେ ।”

କାବୁଇ ଆନନ୍ଦ ହୋଇ କହିଲେ, “ଉତୁଙ୍ଗ ଦଳନାୟକ ହେଲେ ଆମର ମଧ୍ୟ ସେ ନେତା ହୋଇଯିବେ ।” କିନ୍ତୁ ଉତୁଙ୍ଗ କିଛି ସମୟ ନୀରବ ରହିବା ପରେ କହିଲେ, “ଆପଣମାନଙ୍କ ସ୍ନେହ ଯୋଗୁଁ ମୁଁ ଆପଣମାନଙ୍କ ନିକଟରେ ଚିର କୃତଜ୍ଞ । ଆପଣମାନେ ଜାଣନ୍ତି ମୁଁ କାହିଁକି ମାଣିକ୍ୟ ପୁରୀରୁ ଆସିଥିଲି । ମୋର ଘନିଷ୍ଠ, ସହୃଦୟ ବ୍ୟକ୍ତିସବୁ ମୋ ପାଇଁ ଉଦ୍ଗ୍ରୀବ ହୋଇ ଅପେକ୍ଷା କରି ରହିବେ । ଏଣୁ ଆପଣମାନେ ମୋତେ ଶୀଘ୍ର ଫେରିଯିବା ସକାଶେ ଅନୁମତି ଦିଅନ୍ତୁ । ଆପଣମାନଙ୍କ ଏଭଳି ସ୍ନେହଶ୍ରଦ୍ଧା, ସାହାଯ୍ୟ, ସହଯୋଗ ମୁଁ କଦାପି ମଧ୍ୟ ଭୁଲିବି ନାହିଁ ।”

ରାଜା ଉତୁଙ୍ଗଙ୍କ ହାତ ଧରି କହିଲେ, “ଧନ୍ୟ ତୁମର ଦେଶଭକ୍ତି । ତୁମର ଯେପରି ଇଚ୍ଛା । ତୁମେ ନିଶ୍ଚୟ ନିଜ ଦେଶକୁ ଫେରିଯିବ । କିନ୍ତୁ ଆଜି ନୁହେଁ, ଗୋଟିଏ ଦିନ ଏଠାରେ ଅବସ୍ଥାନ କର । ତୁମର ଯଥାର୍ଥ ସତ୍କାର କରିବାପରେ ଯାଇ ମୁଁ ତୁମକୁ ଏଠାରୁ ବିଦାୟ ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ