(ମାଣିକୀପୁରୀର ଦକ୍ଷିଣରେ ଥିବା ସମୁଦ୍ରତଟସ୍ଥିତ, କେତେକ ଗ୍ରାମ ଅକସ୍ମାତ୍ ଧରାଶାୟୀ ହୋଇଗଲା । ଗ୍ରାମବାସୀମାନେ ଭୟରେ ଗ୍ରାମଛାଡି ପଳାଇଲେ । ନିଜର ପ୍ରାଣ ବଂଚାଇବା ପାଇଁ କେତେକ ଲୋକ ଆସି ରାଜଧାନୀରେ ପହଁଚିଗଲେ । ରାଜା, ରାଜକୁମାରୀ ଓ ସେନାପତି ସେମାନଙ୍କୁ ଆଶ୍ରୟ ଦେଇ ଥଇଥାନ କରିବାରେ ଲାଗିଗଲେ । ସମୁଦ୍ରତଟରୁ ଫେରିଥିବା ସୈନିକମାନେ କହିଲେ କି ସେପରି ଧ୍ୱଂସର କାରଣ ହେଉଛି ଏକ ରାକ୍ଷସ । ସେ ରାତ୍ରିରେ ସମୁଦ୍ର ମଧ୍ୟରୁ ବାହାରି ଯୁଆଡେ ଯାଏ । ତା’ର ପାଦତଳେ ସବୁ ଧ୍ୱଂସ ହୋଇଯାଏ । ସେ ବିରାଟ, ଅତିକାୟ ରାକ୍ଷସ ଦେଖିବାକୁ ବଡ ଭୟଙ୍କର । ଏଣିକି ଆଗକୁ ପଢନ୍ତୁ ।)
ସେନାପତି ଗମ୍ଭୀରସିଂହ ସିଧା ରାଜପ୍ରାସାଦରେ ଯାଇ ପହଁଚିଲେ ଓ ରାଜାଙ୍କୁ ଦେଖା କରି ସବୁକଥା କହିଲେ । ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, “କ’ଣ ହେଲା? ରାକ୍ଷସ ଜନ୍ତୁ? ରାକ୍ଷସ ତ ବହୁକାଳ ପୂର୍ବରୁ ଥିଲେ । ଏ ଯୁଗରେ ପୁଣି ରାକ୍ଷସ? ଏକଥା ତ ଅସମ୍ଭବ ଲାଗୁଛି । ଯେଉଁମାନେ ଏହି ଜନ୍ତୁକୁ ଆଖିରେ ଦେଖିଛନ୍ତି, ସେମାନଙ୍କ ମଧ୍ୟରୁ ତ କାହିଁ କେହିବି ଏଠାକୁ ଆସିନାହାଁନ୍ତି ସୈନିକମାନେ କହିଥିବା କଥା ଦଳପତି ତୁମକୁ କହିଛନ୍ତି । ଏବେ ଆମେ ଗଭୀର ଭାବରେ ଚିନ୍ତା କରି ଦେଖିବା ଯେ କଥାଟା କେତେଦୂର ସତ୍ୟ?”
ଗମ୍ଭୀରସିଂହ କହିଲେ “ଆଜ୍ଞା, ମହାରାଜ, ଦଳପତି ବୀରସିଂହ ଧ୍ୱସ୍ତବିଧ୍ୱସ୍ତ ଗ୍ରାମସବୁ ଦେଖିଛି । କିନ୍ତୁ ସେ ରାକ୍ଷସକୁ ଦେଖିନାହିଁ । ତେବେ ସେହି ଗ୍ରାମସବୁ ଧ୍ୱଂସ କିପରି ହେଲା? କୌଣସି ପ୍ରାକୃତିକ ବିପର୍ଯ୍ୟୟ ତ ଆଉ ହୋଇ ନାହିଁ? ସୈନିକଙ୍କ କଥା ମିଛ କି ନୁହେଁ, ବରଂ ପ୍ରକୃତ ଘଟଣା ବୁଝିବା ପାଇଁ ମୋତେ ଯିବାକୁ ଅନୁମତି ଦିଅନ୍ତୁ ।”
ତା’ପରେ ରାଜା କିଛି ସମୟ ଭାବିବା ପରେ କହିଲେ, “ଆଚ୍ଛା ତୁମେ ଯାଅ । କିନ୍ତୁ ଯାହା ଘଟୁ ପଛେ ପ୍ରଜାମାନଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ । ନହେଲେ ସେମାନଙ୍କର ଆମଉପରୁ ବିଶ୍ୱାସ ତୁଟିଯିବ । ରାଜା ଜନତାଙ୍କ ପାଇଁ ଜୀବନ ଉତ୍ସର୍ଗ କରିବା ଉଚିତ୍ । ତମେ ଜାଣ ଯେ ଆମ ରାଜ୍ୟ ପରମ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ । ଆମ ରାଜ୍ୟ ଭଲରେ ଚଳୁଛି ବୋଲି ଅନ୍ୟମାନେ ସେଥିପ୍ରତି ଈର୍ଷ୍ୟାଭାବ ଦେଖାଉଛନ୍ତି । ତେଣୁ ସେମାନେ ଆମ ଦେଶରେ ଶାନ୍ତି ଭଙ୍ଗ କରିବାକୁ ଚାହାଁନ୍ତି । ଏପରି ଧ୍ୱଂସ ପଛରେ ହୁଏତ କୌଣସି ଷଡଯନ୍ତ୍ର ମଧ୍ୟ ଥାଇପାରେ । ଏସବୁ ବିଷୟ ମନରେ ରଖି ପରିସ୍ଥିତିକୁ ଗଭୀର ଭାବରେ ଅନୁଧ୍ୟାନ କର । ମୁଁ ମଧ୍ୟ ଭବିଷ୍ୟତ ବିଷୟରେ ରାଜଗୁରୁଙ୍କୁ ଡାକି ପଚାରିବି ।”
ସେନାପତି ରାଜାଙ୍କଠାରୁ ବିଦାୟ ନେଇ ଶରଣାର୍ଥୀ ଶିବିରରେ ଯାଇ ପହଁଚିଲେ । ସେଠାରେ ସମସ୍ତେ ଭଲରେ ଥା’ନ୍ତି । କାରଣ ଅଳ୍ପସମୟ ପୂର୍ବରୁ ରାଜକୁମାରୀ ମଧ୍ୟ ସେଠାକୁ ଆସି ସବୁ ବୁଝିଯାଇଥା’ନ୍ତି । ଗମ୍ଭୀରସିଂହ ଘୋଡାରୁ ଓହ୍ଲାଇ ଭିତରକୁ ଗଲେ । ଦେଖିଲେ ରାଜକୁମାରୀ ତାଙ୍କର ଦୁଇ ପରିଚାରିକାଙ୍କ ସହିତ ଅଛନ୍ତି । ତାଙ୍କୁ ଦେଖି ସେ ବାହାରକୁ ଆସିଲେ ଓ କହିଲେ, “ସେନାପତି, ଏଠାରେ ଥିବା ଲୋକ ମାନଙ୍କର ଖାଇବା ପିଇବାରେ କୌଣସି କଷ୍ଟ ନାହିଁ । ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯେପରି ଭଲ ରହେ । ସେଥିପାଇଁ ମୁଁ ଅଧିକ ଯତ୍ନ ନେଇଛି । ଶିଶୁମାନଙ୍କ କଥା ମୁଁ ରାଜ ବୈଦ୍ୟଙ୍କୁ ମଧ୍ୟ କହି ଦେଇଛି ।”
ସେନାପତି କହିଲେ, “ରାଜକୁମାରୀ, ଆପଣଙ୍କ କଥା ଶୁଣି ମୁଁ ବହୁତ ଖୁସି ହେଲି । ଶିଶୁମାନଙ୍କ ପ୍ରତି ଆପଣଙ୍କର ଶ୍ରଦ୍ଧା ପ୍ରଶଂସନୀୟ । ଆମେ ସେ ବିଷୟରେ ପ୍ରଥମରୁହିଁ ସାବଧାନ ରହିବା ।”
ରାଜକୁମାରୀ କହିଲେ, “ଏଠାରେ ଯେତେ ସ୍ତ୍ରୀ ଅଛନ୍ତି, ସେମାନେ ସମସ୍ତେ ଖୁସି ଅଛନ୍ତି, କେବଳ ତାଙ୍କ ସ୍ୱାମୀମାନଙ୍କ କଥା ଭାବୁଛନ୍ତି । ତେଣୁ ସେହି ପୁରୁଷମାନେ ଯେପରି ଥରେ ଏଠାକୁ ଆସି ସେମାନଙ୍କ ପତ୍ନୀ ଓ ପିଲାପିଲିଙ୍କି ଦେଖି ଯା’ନ୍ତୁ ।”
“ଆପଣଙ୍କ ଇଚ୍ଛା ପୁରଣ ହେବ । କାଲି ସଂଧ୍ୟା ପୂର୍ବରୁ କେତେ ଲୋକଙ୍କୁ ଏଠାକୁ ପଠାଇବାର ବନ୍ଦୋବସ୍ତ କରିବି ।” ସେନାପତି ଏତିକି କହି ଅନ୍ୟ ଏକ ଶିବିରକୁ ଗଲେ ।
ଇତିମଧ୍ୟରେ ବୀରସିଂହ ଫେରି ଆସି ସେନାପତିଙ୍କୁ ଦେଖାକରି କହିଲେ, “ଆଜି ମଧ୍ୟ କେତେକ ସୈନିକ ଆହାତ ହୋଇ ଫେରି ଆସିଛନ୍ତି । ଆମ ବୈଦ୍ୟ ସେମାନଙ୍କର ଚିକିତ୍ସା କରୁଛନ୍ତି । କିନ୍ତୁ ଭୟଭୀତ ସୈନିକ ସେହି ଜଳରାକ୍ଷସ କଥା ଭାବି ଭାବି ଭୟରେ କାତର ହୋଇ ପଡିଛନ୍ତି; ରାକ୍ଷସ କଥା ଛଡା ଆଉ କିଛି କହୁନାହାଁନ୍ତି କ୍ଷତସବୁ ମଧ୍ୟ ଗଭୀର । ସେମାନଙ୍କ କ୍ଷତ ଦେଖିଲେ ଜଣାଯାଏ ସେ ରାକ୍ଷସ କେତେ ପରାକ୍ରମଶାଳୀ । ଏବେ ଆମକୁ ପୁରା ସାବଧାନ ହୋଇ କାମ କରିବାକୁ ହେବ । ସେହି ରାକ୍ଷସକୁ ଯେମିତି ହେଲେବି ମାରି ଦେବାକୁ ହେବ ନହେଲେ ସମଗ୍ର ରାଜ୍ୟକୁ ସେ ଧ୍ୱଂସ କରି ପକାଇବ ।”
ସେନାପତି କହିଲେ, “ଯଦି ତାଙ୍କ କଥା ସତ ହୋଇଥାଏ ତେବେ ଆମ ରାଜ୍ୟ ମହାବିପଦରେ ପଡିଛି । ଏହି ରାକ୍ଷସକୁ ବିନାଶ କରିବାକୁ ହେଲେ ଆମକୁ ଅନ୍ୟର ସହାୟତା ନେବାକୁ ପଡିବ । ଯାହାହେଉ ଏବେ ମୁଁ ନିଜେ ଯାଇ ରାକ୍ଷସ ବିଷୟରେ ସବୁ ଖବର ନେବି । ମୁଁ ବର୍ତ୍ତମାନ ଦକ୍ଷିଣ ପ୍ରାନ୍ତ ଆଡକୁ ଯାଉଛି । ତମେ ମଧ୍ୟ ମୋ ସହିତ ଆସ । ସଂଧ୍ୟା ପୂର୍ବରୁ ସବୁକିଛି କରିବାକୁ ହେବ ।”