ଖଲିଫା ହାରାନୁଲ୍ ରସିଦଙ୍କ ଦରବାରରେ ବୃହଲୁଲ୍ ନାମକ ଜଣେ ବିଦୁଷକ ଥିଲେ । ସେ ମଧ୍ୟ ଜଣେ ବଡ ଜ୍ଞାନୀ ଥିଲେ । ଦିନେ ଖଲିଫା ତାଙ୍କୁ ପଚାରିଲେ, “ବୃହଲୁଲ୍, ତମେ କହିପାରିବ କି ଆମ ବାଗଦାଦ୍ରେ କେତେଜଣ ମୂର୍ଖ ଅଛନ୍ତି?”
ସେ ଉତ୍ତର ଦେଲେ “ଆଜ୍ଞା ଜାହାଁପନା, ମୁଁ ଜାଣେ ।” ଖଲିଫା କହିଲେ “ତେବେ ତୁମେ ସେମାନଙ୍କ ନାମ ଲେଖି ଗୋଟିଏ ତାଲିକା ପ୍ରସ୍ତୁତ କର । ଭୁଲ୍ରେ ଯେପରି କାହାକୁ ଛାଡି ନ ଯାଅ ।”
ଖଲିଫାଙ୍କର ଏକଥା ଶୁଣି ବିଦୁଷକ ହସିହସି କହିଲେ, “ଏହାଠାରୁ ଉତ୍ତମ ହେବ ଯଦି ମୁଁ ଜ୍ଞାନୀମାନଙ୍କ ସଂଖ୍ୟା କହିବି ।”
ଖଲିଫା ଦିନେ ଦରବାରକୁ ଆସି ନଥା’ନ୍ତି । ବିଦୁଷକ ତାଙ୍କ ସିଂହାସନ ଉପରେ ବସିପଡିଲେ । ତାଙ୍କର ଏପରି ଦୁଃସାହସ ଦେଖି ଦରବାରର ଅନ୍ୟମାନେ ତାଙ୍କୁ ଧରି ଖୁବ୍ ପିଟିଲେ ।
ଖଲିଫା ସେଠାରେ ପହଁଚି ଦେଖିଲେ ବିଦୁଷକ କାନ୍ଦି କାନ୍ଦି ନୟାନ୍ତ । ଖଲିଫା ପଚାରି ବୁଝିଲେ କାରଣ କ’ଣ । ତା’ପରେ ସେ ତାଙ୍କୁ ସାନ୍ତ୍ୱନା ଦେଲେ ।
ବିଦୁଷକ କହିଲେ “ଆଜ୍ଞା, ଆପଣ ଭୂଲ୍ ବୁଝିଛନ୍ତି । ମୋତେ ପିଟିବାରୁ ମୁଁ କାନ୍ଦୁ ନାହିଁ । ମୁଁ ଅଳ୍ପ ସମୟ ପାଇଁ ସିଂହାସନ ଉପରେ ବସିଥିଲି । କିନ୍ତୁ ଆପଣ ତ ପୁରା ସମୟ ଏଠାରେ ବସିଛନ୍ତି, ପୁଣି ବସି ଚାଲିଥିବେ ମଧ୍ୟ । ସେଇକଥା ଭାବି ମୁଁ କାନ୍ଦୁଛି କି ହାୟରେ ଆପଣ ସେଥିପାଇଁ କେତେ ମାଡ ନ ଖାଇବେ?”
ବୃହଲୁଲ୍ ବିବାହ କରିବାକୁ ଆଦୌ ଇଚ୍ଛୁକ ନ ଥିଲେ । ଏକଥା ଜାଣିବା ପରେ ଖଲିଫା ତାଙ୍କ ଅନ୍ତଃପୁରରୁ ଏକ ସୁନ୍ଦରୀ ଝିଅ ବାଛି ତାଙ୍କ ସହିତ ବିବାହ କରାଇ ଦେଲେ । ରାତିରେ ଝିଅଟି କିଛି ଖାଦ୍ୟ ଧରି ଯିମିତି ବିଦୁଷକଙ୍କ ପାଖକୁ ଆସିଛି, ସେ “ରକ୍ଷାକର, ରକ୍ଷାକର” କହି ଚିତ୍କାର କରି ଖଲିଫାଙ୍କ ମହଲ ଆଡେ ଦୌଡିଲେ । ଖଲିଫା ତାଙ୍କୁ ଡାକି ରାଗିଯାଇ କହିଲେ, “ଶୈତାନ୍, ଏତେ ସୁନ୍ଦର ରୂପବତୀ, ଗୁଣବତୀ ଝିଅଟିଏ ମୁଁ ନିଜେ ଦେଖି ତୁମକୁ ତା’ସହିତ ବାହାଦେଲି; ଆଉ ତୁମେ ଚିତ୍କାର କରି ଏଠାରେ ଆସି ହାଜର୍? ଏମିତି କ’ଣ କେହି କରେ?”
ବିଦୁଷକ କହିଲେ, “କ୍ଷମା କରନ୍ତୁ । ମୁଁ କ’ଣ ନାହିଁ କରୁଛି କି ସେ ରୂପବତୀ, ଗୁଣବତୀ ନୁହେଁ । କିନ୍ତୁ ସେ ଯେମିତି ଆସି ମୋ ପାଖରେ ବସିପଡିଛି, ମୁଁ ବାହାରୁ ମଧ୍ୟ କିଛି ଶବ୍ଦ ତା’ଛାତି ଭିତରୁ ଆସୁଥିବାର ଶୁଣିପାରିଲି । ସେ ଶବ୍ଦ ହେଉଛି, “ମୋର ଦାମିକା ପୋଷାକ ଓ ଗହଣା ଲୋଡା ।” ଏହି ଶବ୍ଦ ଶୁଣି ମୁଁ ବହୁତ ଡରିଗଲି ଓ ସେଥିପାଇଁ ଚିତ୍କାର କରି ଦୌଡି ଦୌଡି ଆପଣଙ୍କ ପାଖକୁ ଆସିଲି ।”
ବିଦୁଷକ ଏକଥା କହିବାର ଉଦ୍ଧେଶ୍ୟ ଖଲିଫାଙ୍କଠାରୁ ଧନ ଆଦାୟ କରିବା ପରି ମତଲବ ନଥିଲା । କାରଣ ଖଲିଫା ଥରେ ତାଙ୍କୁ ହଜାରେ ସୁନାମୋହର ଦେଇଥିଲେ, ତାକୁ ନେବାକୁ ସେ ମନା କରି ଦେଇଥିଲେ । ପୁଣି ଥରେ ମଧ୍ୟ ତାଙ୍କୁ ସୁନାମୋହର ପୁରସ୍କାର ଦିଆଗଲା, ସେ ମନା କରିଦେଲେ ।
ଖଲିଫା ପଚାରିଲେ, “ମୁଁ ତୁମକୁ ଏତେ ଧନ ଦେଉଛି ଆଉ ତୁମେ ବାରମ୍ବାର ମନା କରୁଛ?”
ସେ କିଛି ଉତ୍ତର ନ ଦେଇ ଖଲିଫାଙ୍କ ମୁହଁ ସାମନାରେ ନିଜ ପାଦକୁ ରଖିଦେଲେ । ତାଙ୍କର ଏପରି ଦୁଃସାହସ ଦେଖି ଖଲିଫାଙ୍କର ଦେହରକ୍ଷୀମାନେ ତାଙ୍କୁ ପିଟିଲେ । ଖଲିଫା ସେମାନଙ୍କୁ ସେମାନଙ୍କ କାମରେ ବାଧା ଦେଇ ପଚାରିଲେ, “ଏପରି ବ୍ୟବହାର କାହିଁକି?”
ବିଦୁଷକ ସେତେବେଳେ କହିଲେ “କାରଣ, ଆପଣ ବୁଝୁନାହାଁନ୍ତି? ହାତ ଦେଖାଇଲେ ତ ଅବଶ୍ୟ ମିଳିବ । କିନ୍ତୁ ମୁଁ ପାଇବାକୁ ଚାହେଁନାହିଁ । ସେପରି ପାଇବାର ହୋଇଥିଲେ ମୁଁ କିପରି ପାଦ ଦେଖାଇ ପାରିଥା’ନ୍ତି?”
ଖଲିଫା ଥରେ ଯୁଦ୍ଧ ଜିତି ଫେରୁଥା’ନ୍ତି । ବିଦୁଷକ ତାଙ୍କ ସାଥିରେ ଥିଲେ । ଦିନେ ଅଧ ରାତିରେ ତାଙ୍କୁ ଶୋଷ ହେବାରୁ ବିଦୁଷକ ତାଙ୍କୁ ପାଣି ଆଣି ଦେଲେ ଓ କହିଲେ, “ପାଣି ପିଇବା ପୂର୍ବରୁ କୁହନ୍ତୁ, ଏ ପାଣି, ମିଳୁନଥିବା ସ୍ଥଳେ ମୁଁ ଆଣି ଦେଲି, ଏହାର କେତେ ମୂଲ୍ୟ ଦେଇ ପାରିବେ?” “ଅଧା ରାଜ୍ୟ ଦେଇ ଦେଇଥା’ନ୍ତି ।” ଏହା କହି ଖଲିଫା ପାଣି ପିଇଲେ, ବିଦୁଷକ କହିଲେ “ପାଣି ପିଇଲେ ତାହା ପରିସ୍ରା ହୋଇ ବାହାରି ଆସିବା କଥା; ଯଦି ପରିସ୍ରା ନହେଲା ତେବେ ପରିସ୍ରା କରାଇବାକୁ ଦେବେ?”
ଖଲିଫା କହିଲେ “ଅଧେ ରାଜ୍ୟ ।”
ବିଦୁଷକ ହସି ହସି କହିଲେ “ଅର୍ଥାତ୍ ପାଣି ଓ ପରିସ୍ରାର ମୂଲ୍ୟ ଗୋଟିଏ ସମ୍ପୂର୍ଣ୍ଣ ରାଜ୍ୟ । ଦୁଇଟି ପାଇଁ ଅଧା ଅଧା ଗୋଟିଏ ରାଜ୍ୟ ଦେଇଦେବେ? ତେବେ ଜୟ କରିଥିବା ରାଜ୍ୟର ମୂଲ୍ୟ କ’ଣ ଏତିକି?” ସେତେବେଳେ ଖଲିଫା କଥାର ଯଥାର୍ଥ ମନୋଭାବ ହୃଦୟଙ୍ଗମ କରି ପାରିଲେ ଓ ଲଜ୍ଜାରେ ନିଜ ମୁଣ୍ଡ ତଳକୁ କଲେ ।