ବିଭୁତିଦେବ ଚମ୍ପକ ରାଜ୍ୟ ଉପରେ ରାଜୁତି କରୁଥିଲେ । ଲୋକେ କହୁଥିଲେ, ବିଭୁତିଦେବଙ୍କୁ ଦାତାପଣ ଓ ସତ୍ୟବାଦିତାରେ ପୁରାଣ ଯୁଗର ରାଜା ହରିଶ୍ଚନ୍ଦ୍ରଙ୍କ ସହ ତୁଳନା କରାଯାଇ ପାରେ ।
ରାଜା ବିଭୁତିଦେବଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଗଲା । ତେଣୁ ଅନ୍ୟ ରାଜାମାନେ ତାଙ୍କ ପ୍ରତି ଇର୍ଷାନ୍ୱିତ ହେଲେ । ସେ ଦାନୀ ଏବଂ ନ୍ୟାୟପରାୟଣ, କେବଳ ଏହା ସେମାନଙ୍କ ଇର୍ଷାର କାରଣ ନୁହେଁ, ସେ ଏତେ ଜନପ୍ରିୟ, ତାଙ୍କ ପ୍ରଜାମାନେ ତାଙ୍କୁ ଦେବତା ଜ୍ଞାନ କରନ୍ତି, ଏହାହିଁ ସେ ଇର୍ଷାର ମୂଳ କାରଣ ।
ସବୁଠାରୁ ମଜା କଥା ହେଲା, ତାଙ୍କ ଖ୍ୟାତିରେ ରାଜାମାନେ ଯେପରି ଇର୍ଷାପରାୟଣ ହେଲେ, ଗନ୍ଧର୍ବମାନେ ଠିକ୍ ସେତିକି ବିସ୍ମିତ ମଧ୍ୟ ହେଲେ । ଗନ୍ଧର୍ବ ସଭାରେ ଦିନେ ଜଣେ ଗନ୍ଧର୍ବ ପ୍ରସ୍ତାବ ଦେଲେ କି ରାଜା ବିଭୁତିଦେବଙ୍କୁ ଥରେ ପରୀକ୍ଷା କରାଯାଉ । ତାଙ୍କ କଥାଶୁଣି ଅନ୍ୟ ଗନ୍ଧର୍ବମାନେ ବି ଏଥିରେ ଏକମତ ହେଲେ । ମୃଗାଙ୍କ ନାମକ ଜଣେ ଗନ୍ଧର୍ବ ଏହି ପରୀକ୍ଷାର ଦାୟିତ୍ୱ ନେଲେ ।
ମୃଗାଙ୍କ ଜଣେ ବାବାଜୀ ବେଶରେ ଯାଇ ଚମ୍ପକ ରାଜ୍ୟ ଉପରେ ଅବତରଣ କଲେ । ଗୋଟାଏ ବଡ ଗାଁ ମଝି ଦେଇ ଯାଉ ଯାଉ ସେ ଦେଖିଲେ ଗାଁ ଛକ ଉପରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି । କୌଣସି ବିଷୟରେ ସେଠାରେ ସଭା ହେଉଛି । ସାଧୁବେଶୀ ମୃଗାଙ୍କ ସେ ସଭା ପାଖରେ ପହଁଚିବାରୁ ବିଶିଷ୍ଟ ଲୋକେ ଉଠିପଡି ତାଙ୍କୁ ଅଭିବାଦନ ଜଣାଇଲେ ।
ସେମାନଙ୍କ ଅଭିବାଦନ ସ୍ୱୀକାରପୂର୍ବକ ମୃଗାଙ୍କ ଅଳ୍ପ ହସି କହିଲେ, “ଏ ଗାଁରେ ତ ଭଲ ସଡକ ନାହିଁ କି ବଡ ଜଳାଶୟ ବି ନାହିଁ । କୌଣସି ଅତିଥିଭବନ ବା ମନ୍ଦିର ମଧ୍ୟ ମୋ ଆଖିରେ ତ ଏଯାଏଁ କାହିଁ ପଡିନାହିଁ । କଥା କ’ଣ?”
ଏପରି କଥା ଶୁଣି ବୟସ୍କ ଗ୍ରାମବାସୀମାନେ ପରସ୍ପର ଆଡେ ଅନାଇଲେ । ଜଣେ କହିଲେ, “ମହାଶୟ, ଆମ ଏ ଗାଁର ଲୋକମାନେ ଅତ୍ୟନ୍ତ ଗରୀବ । ଆମର ସଙ୍ଗତି କାହିଁ ଯେ ଆମେମାନେ ଅତିଥିଶାଳା, ମନ୍ଦିର ଇତ୍ୟାଦି ନିର୍ମାଣ କରିବୁ?”
ଏକଥା ଶୁଣି ମୃଗାଙ୍କ ହସିଲେ ଓ କହିଲେ, “ତମେମାନେ କେଡେ ଅଜ୍ଞ! ତମେମାନେ ବିପୁଳ ଧନସମ୍ପଦ ଉପରେ ବସିଛ, ଅଥଚ ସେକଥା ଜାଣନା । ମୁଁ ଦେଖି ପାରୁଛି, ଏ ବରଗଛ ତଳେ କାହିଁ କେତେକାଳରୁ ଛଅଟି ଗରାଭର୍ତ୍ତି ସୁନା ପୋତା ହୋଇ ରହିଛି ।”
ସାଧୁଙ୍କ ମୁହଁରୁ ଏଭଳି କଥା ଶୁଣି ସେଠିକା ଗ୍ରାମବାସୀମାନେ ଖୁବ୍ ଆଶ୍ଚର୍ଯ୍ୟ ଓ କୌତୁହଳୀ ହେଲେ । ଏହାପରେ ତତ୍କ୍ଷଣାତ୍ ସେମାନେ ସେଠାରେ ମାଟି ଖୋଳା ଆରମ୍ଭ କଲେ । ଦେଖିବା ବେଳକୁ ସତକୁ ସତ ଛଅଗରା ଭର୍ତ୍ତି ସୁନା ପୋତାହୋଇ ରହିଥିଲା ।