ଏକଦା ବ୍ରହ୍ମଦତ କାଶୀ ରାଜ୍ୟରେ ରାଜତ୍ୱ କରୁଥା’ନ୍ତି । ସେତେବେଳେ ତାଙ୍କ ରାଜ୍ୟରୁ ଗୋଟିଏ ବୋଇତ ଅନେକ ଲୋକ ଓ ଜିନିଷ ଧରି ଦେଶାନ୍ତରକୁ ବାଣିଜ୍ୟ ଉଦ୍ଧେଶ୍ୟରେ ଗଲା । କିନ୍ତୁ ଅଧ ବାଟରେ ଝଡ ହେବାରୁ ସେହି ବୋଇତଟି ଅଚାନକ ବୁଡିଗଲା ଓ ଜଣେ ବ୍ୟକ୍ତି ଛଡା ବାକି ଅନ୍ୟ ସମସ୍ତେ ବୁଡି ମରିଗଲେ । ଗୋଟିଏ କାଠକୁ ଧରି ଭାସି ଭାସି ଯାଇ ସେ କରମ୍ବି ନଗରର ଉପକୂଳରେ ପହଁଚିଲା । ସେଇଠି ସେ ଏଠୁ ସେଠୁ ମାଗିଯାଚି ଖାଇ ବଂଚିବାକୁ ମନସ୍ଥ କଲା । ସେ ନଗରୀର ଲୋକେ ତା’ ଅବସ୍ଥା ଦେଖି ଦୟାକରି ତାକୁ ଅନେକ ଜିନିଷ ଦେଲେ । କିନ୍ତୁ ହଠାତ୍ ସେ କହିପକାଇଲା, “ଏତେ ଜିନିଷର ପ୍ରୟୋଜନ କ’ଣ? ମୋର ତ ଖାଇବାକୁ ଦି’ଟା ଓ ପିନ୍ଧିବାକୁ ଖଣ୍ଡେ ହେଲେ ହେଲା!”
ଏ କଥାଟି ସେ ଭାବିଚିନ୍ତି ଯେ କହିଥିଲା, ତାହା ନୁହେଁ । ଖାଲି ତା’ ମୁହଁରୁ ବାହାରି ପଡିଥିଲା । କିନ୍ତୁ ଏହାର ଫଳ ଅପ୍ରତ୍ୟାଶିତ ହେଲା ।
ତାଙ୍କ କଥାରେ ଲୋକମାନେ ଭାବିଲେ, “ଓହୋ, ଇଏ ତ ବଡ ସନ୍ନ୍ୟାସୀ । ନହେଲେ ଏପରି କଥା ସେ କେବେବି କହନ୍ତେ ନାହିଁ ।” ତେଣୁ ସେମାନେ ତା’ ପାଇଁ ଛୋଟ ଘରଟିଏ କରିଦେଲେ ଓ ସବୁଦିନ କିଛି କିଛି ଖାଦ୍ୟ ଦେଇଯା’ନ୍ତି । ଲୋକଟି ଦେଖିଲା ଦ୍ୱୀପର ଲୋକେ ଖୁବ୍ ସରଳ । ଟିକିଏ ଅଭିନୟ କଲେ ସେମାନଙ୍କୁ ଖୁବ୍ ପ୍ରଭାବିତ କରିହେବ । ତେଣୁ ସେ ତାହାହିଁ କରି ଚାଲିଲା । ସେ କୁଟୀରରେ ରହି ସେ ନିଜକୁ କରମ୍ବି ମହାମୁନି ବୋଲି ବୋଲାଇଲା । କରମ୍ବି ମୁନିଙ୍କ ପାଖକୁ ରାଜା ମଧ୍ୟ ଥରେ ଦେଖା କରିବାକୁ ଆସିଲେ ।
ତା’ପରେ ଥରେ ସର୍ପରାଜା ପଣ୍ଡରିକ ଓ ପକ୍ଷୀରାଜା ରୂପେ ଜନ୍ମ ନେଇଥିବା ବୋଧିସତ୍ୱ ମଧ୍ୟ ତାଙ୍କ ସହିତ ଦେଖା କରିବାକୁ ଆସିଲେ । କ୍ରମେ ସେ ଦୁହିଁଙ୍କ ସହ ଏ ଲୋକର ବିଶେଷ ମିତ୍ରତା ହୋଇଗଲା । କଥା କ’ଣ କି, ପଣ୍ଡରିକ ଓ ବୋଧିସତ୍ୱ କାହାକୁ ସନ୍ଦେହ କରୁ ନଥିଲେ ।
ଦିନେ ପକ୍ଷୀ ରାଜା ବୋଧିସତ୍ୱ ଆସି କରମ୍ବି ମୁନିକୁ ପ୍ରଣାମ କରି କହିଲେ, “ମହାଶୟ, ଯେବେ ସର୍ପ ଓ ପକ୍ଷୀମାନଙ୍କ ମଧ୍ୟରେ ଯୁଦ୍ଧ ହୁଏ ପକ୍ଷୀମାନେ ହାରିଯା’ନ୍ତି । ଏକଥା ସତ ଯେ ସର୍ପମାନଙ୍କୁ କିପରି ଧରି ଉଡିବାକୁ ହୁଏ ସେକଥା ଆମେ ଭଲ ଭାବରେ ଜାଣିନାହୁଁ । ତେଣୁ ଅସୁବିଧା ହୁଏ । ଆପଣ ଏ ରହସ୍ୟ ସର୍ପରାଜଠାରୁ ଜାଣି ମୋତେ କହନ୍ତୁ ।”
କରମ୍ୱି ମୁନି ପକ୍ଷୀରାଜଙ୍କ କଥା ମନରେ ରଖିଲେ । ଯେତେବେଳେ ସର୍ପରାଜ ସେଠାକୁ ଆସିଲେ, ସେ ତାଙ୍କୁ କହିଲେ, “ସର୍ପରାଜ, ମୁଁ ଶୁଣିଛି ଯେତେବେଳେ ପକ୍ଷୀମାନେ ତୁମକୁ ଧରନ୍ତି ତୁମେମାନେ କିଛି କୌଶଳ କର ଯେଉଁଥିରେ କି ସେମାନେ ତୁମକୁ ଖାଇ ପାରନ୍ତି ନାହିଁ । ବରଂ ସେମାନେ ନିଜେ କଷ୍ଟ ପାଆନ୍ତି । ଏହାର ରହସ୍ୟ କ’ଣ?”
ତହୁଁ ସର୍ପରାଜ କହିଲେ, “ଦେଖନ୍ତୁ ମହାମୁନି, ମୁଁ ଯଦି ସେହି ରହସ୍ୟ ଆପଣଙ୍କ ଆଗରେ ପ୍ରକଟ କରିଦିଏ ତେବେ ମୁଁ ନିଜ ପ୍ରତି ଓ ସାରା ସର୍ପଜାତି ପ୍ରତି ବିଶ୍ୱାସ ଘାତକତା କରିବି । ତେଣୁ କୃପା କରି ସେ ପ୍ରଶ୍ନ ବ୍ୟତୀତ ଆଉ ଯାହା ଇଚ୍ଛା ପଚାରନ୍ତୁ ।”