ଯମଦଗ୍ନିଙ୍କ ଶରୀର ହଠାତ୍ ସ୍ଥିର ହୋଇଗଲା ଓ ତାଙ୍କର ମୃତଦେହ ତଳେ ପଡିଗଲା । ରେଣୁକାଦେବୀ ସ୍ୱାମୀଙ୍କ ମୃତ ଶରୀର ନିକଟରେ ମଥାପିଟି କାନ୍ଦିବାକୁ ଲାଗିଲେ । ଠିକ୍ ସେତିକିବେଳେ ପର୍ଶୁରାମ ବଣରୁ ତାଙ୍କ ଆଶ୍ରମକୁ ଫେରି ଏପରି ଘଟଣା ଦେଖି କ୍ରୋଧରେ ପାଗଳ ହୋଇଗଲେ ଓ ନିଜର ପର୍ଶୁଟି ଧରି ମାହେଷ୍ମତୀ ନଗର ଅଭିମୁଖେ ଧାଇଁଲେ ।
ଇତିମଧ୍ୟରେ ମହର୍ଷି ଭୃଗୁ ବୁଲୁ ବୁଲୁ ଆସି ଯମଦଗ୍ନିଙ୍କ ଆଶ୍ରମରେ ପହଁଚିଲେ । ରେଣୁକାଙ୍କ ଆକୁଳ କ୍ରନ୍ଦନରେ ତାଙ୍କ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଲା । ସେ ରେଣୁକାଙ୍କୁ ସାନ୍ତ୍ୱନା ଦେଲେ ଓ ନିଜର ତପସ୍ୟା ଶକ୍ତି ଦ୍ୱାରା ଯମଦଗ୍ନିଙ୍କୁ ପୁନଃଜୀବିତ କରାଇଲେ ।
ତେଣେ ମାହେଷ୍ମତୀ ନଗରରେ ସୈନିକମାନେ ଯଜ୍ଞଧେନୁ ଉପରେ ଅକଥନୀୟ ଅତ୍ୟାଚାର କରୁଥା’ନ୍ତି । କାରଣ ସେମାନଙ୍କ ଇଚ୍ଛା ଅନୁସାରେ ଧେନୁ ସେସବୁ କିଛି ଦେଉ ନଥିଲା । ପର୍ଶୁରାମ ସେଠାରେ ଉଗ୍ରମୂର୍ତ୍ତି ଧାରଣ କରି କ୍ରୋଧରେ କମ୍ପି କମ୍ପି ଯାଇ ପହଁଚିଲେ ଓ ସୈନ୍ୟଦଳଙ୍କୁ ଆକ୍ରମଣ କଲେ । ଚାହୁଁ ଚାହୁଁ ମୁହୂର୍ତ୍ତକ ମଧ୍ୟରେ ସମଗ୍ର ସୈନ୍ୟଦଳ ଛିନ୍ନଛତ୍ର ହୋଇ କୁଆଡେ ପଳାଇଲେ । ସେ ଧେନୁକୁ ଆଦରର ସହିତ ଆଉଁସି ଦେଲେ ଓ ତାକୁ ନିର୍ଭୟରେ ଆଶ୍ରମ ଫେରିଯିବାକୁ ନିର୍ଦ୍ଧେଶ ଦେଲେ । ତା’ପରେ ପୁଣି ସେ କୁଠାର ଉତ୍ତୋଳନ କରି ରାଜାଙ୍କ ପ୍ରାସାଦ ଅଭିମୁଖରେ ଧାଇଁଲେ । ବାହାରେ ଥାଇ ସେ ଡାକ ଦେଲେ, “ଆରେ ଦୁଷ୍ଟ, ରାଜା ତ ପ୍ରଜାର ରକ୍ଷକ ହୋଇଥାଏ । ଯଦି ନିଜର କର୍ତ୍ତବ୍ୟ ଭୁଲି ରାଜା ଅପରାଧ କରେ, ତେବେ ତାକୁ ଦଣ୍ଡହିଁ ପ୍ରାପ୍ୟ । ପ୍ରାସାଦରୁ ବାହାରି ଆସି ପାପର ଫଳ ଏବେ ଭୋଗ କର ।” ପର୍ଶୁରାମଙ୍କର ରୁଦ୍ରରୂପ ଦେଖି ସମସ୍ତେ ଡରିଗଲେ । ସେତେବେଳେ ସେ ସାକ୍ଷାତ୍ କାଳ ପରି ଦେଖା ଯାଉଥା’ନ୍ତି ।
ତାଙ୍କର ସେପରି ବିକଟାଳ ରୂପ ଦେଖି ଓ ଭୟଙ୍କର ରଡି ଶୁଣି ଦ୍ୱାରପାଳ ଓ ସୈନ୍ୟମାନେ ତାଙ୍କଠାରୁ ଦୂରେଇ ଠିଆ ହୋଇଥା’ନ୍ତି । ସେ ପ୍ରାସାଦର ଅନ୍ଦର ମହଲରେ ପଶି ପୁଣି ଡାକ ଦେଲେ, “ଆରେ ପାପୀ ରାଜା, ତୁ କାହିଁକି ଏବେ ଘରେ ଲୁଚିଛୁ? ମୋର ପର୍ଶୁ ତୋର ରକ୍ତ ପିଇବା ପାଇଁ ଅପେକ୍ଷା କରିଛି । ଯାହା ରାଜ୍ୟରେ ଗୋ, ବ୍ରାହ୍ମଣ, ଋଷିମୁନି ମାନଙ୍କ ଉପରେ ଅତ୍ୟାଚାର କରାଯାଏ, ସେ ରାଜା ହତ୍ୟାର ଯୋଗ୍ୟ ।”
ପର୍ଶୁରାମଙ୍କର ଯୁଦ୍ଧ ଡାକରାରେ କାର୍ତବୀର୍ଯ୍ୟ ବାହାରି ଆସିଲେ । ଦୁହିଁଙ୍କ ଭିତରେ ତୁମୁଳ ସଂଗ୍ରାମ ହେଲା । ଯୁଦ୍ଧ କରୁ କରୁ ରାଜାଙ୍କର ଧାରଣା ହେଲା କି ସେ ତ ଚକ୍ରପୁରୁଷ, ଯେତେ ଶୀଘ୍ର ପୃଥିବୀ ଛାଡିଗଲେ ସେ ପୁଣି ଚକ୍ରରେ ଲୀନ ହୋଇଯିବେ । କ୍ରମେ ଯୁଦ୍ଧ କରିବାରୁ ତାଙ୍କର ଆଗ୍ରହ କମିଗଲା ଓ ସେ ଦୁର୍ବଳ ହୋଇପଡି ନିହତ ହେଲେ । ମୃତ୍ୟୁ ପରେ ସେ ଯାଇ ସୁଦର୍ଶନ ଚକ୍ରରେ ଲୀନ ହୋଇଗଲେ ।
ପର୍ଶୁରାମ ଏବେ ସନ୍ତୋଷର ସହିତ ଆଶ୍ରମ ଫେରି ଆସିଲେ । ପିତାଙ୍କୁ ଜୀବିତାବସ୍ଥାରେ ଦେଖି ସବୁ ଘଟଣା ସେ ବର୍ଣ୍ଣନା କଲେ । ସବୁ ଶୁଣି ଯମଦଗ୍ନି କହିଲେ, “ଦେଖ ପୁତ୍ର, ଆମେ ହେଲୁ ବ୍ରାହ୍ମଣ । ତୁମେ ଯେଉଁ ହତ୍ୟାକାଣ୍ଡ କଲ ତାହା ଆମର ସ୍ୱଧର୍ମ ନୁହେଁ । ତେଣୁ ସେ ପାପର ପ୍ରାୟଶ୍ଚିତ ପାଇଁ ତୁମେ ଏବେ ତପସ୍ୟା କର ।”
ଏହା ଶୁଣି ପର୍ଶୁରାମ କହିଲେ, “ପିତା, ମୁଁ ଆପଣଙ୍କ ଆଦେଶ ଅନୁସାରେ ତପସ୍ୟା କରିବି କିନ୍ତୁ ପ୍ରାୟଶ୍ଚିତ କରିବା ପାଇଁ ନୁହେଁ ।” ତା’ପରେ ତପସ୍ୟା କରିବା ସକାଶେ, ସେ ବଣକୁ ଚାଲିଗଲେ ।
ଏଣେ କାର୍ତବୀର୍ଯ୍ୟଙ୍କର ଏକହଜାର ପୁତ୍ର ପର୍ଶୁରାମଙ୍କ ଅନୁପସ୍ଥିତିରେ ତାଙ୍କ ଆଶ୍ରମ ଉପରେ ଆକ୍ରମଣ କଲେ । ସେମାନେ ଆସି ଯମଦଗ୍ନି ତପସ୍ୟା କରୁଥିବା ସମୟରେ ତାଙ୍କର ଶିରଛେଦନ କଲେ ଓ ସେହି କଟା ମୁଣ୍ଡକୁ ବହୁ ଦୂରକୁ ନେଇ ଫୋପାଡି ଦେଲେ । ଏସବୁ ଦେଖି ତାଙ୍କ ପତ୍ନୀ ରେଣୁକା ଦେବୀ ଏକୋଇଶବାର ଆର୍ତ୍ତ ଚିତ୍କାର କଲେ । ତପସ୍ୟାରତ ପର୍ଶୁରାମଙ୍କ କାନରେ ତାହା ବାରମ୍ବାର ଶୁଭିଲା । ଏଥିରେ ସେ ଖୁବ୍ ବିଚଳିତ ହୋଇ ପଡିଲେ ଓ ବୁଝିପାରିଲେ ଯେ, କିଛି ନା କିଛି ବିଘ୍ନ ନିଶ୍ଚୟ ଘଟିଛି । ଏହାପରେ ସେ ତପସ୍ୟା ଛାଡି ପର୍ଶୁ ଧରି ଆଶ୍ରମ ଆଡକୁ ଧାଇଁଲେ । ଆସି ଦେଖିଲେ ତାଙ୍କ ଆଶ୍ରମ ଘର ସବୁ ପୋଡି ଛାରଖାର ହୋଇଛି । ଆଶ୍ରମବାସୀ ଅଧିକାଂଶ ମୃତ । ଯମଦଗ୍ନି ଓ ରେଣୁକା ଦୁହେଁ ମୃତ ଓ ସେହି ଅଗ୍ନିରେ ହିଁ ଦୁହିଁଙ୍କ ଶରୀର ଜଳି ଯାଇଛି । ଅଦୂରରେ ଯମଦଗ୍ନିଙ୍କ ମୁଣ୍ଡଟି ଗଡି ଗଡି ଦୁଇଟି ପଥର ମଝିରେ ଅଟକି ଯାଇଥଲା । ତାକୁ ଦେଖି ତାଙ୍କର କ୍ରୋଧ ଦ୍ୱିଗୁଣିତ ହେଲା । ସେ ମୁଣ୍ଡଟିକୁ ହାତରେ ଧରି ପର୍ଶୁରାମ କହିଲେ, “ମୋର ହୃଦୟର ଜ୍ୱାଳାରେ ମୋ ଆଖିରୁ ଅଶ୍ରୁ ଶୁଖି ଯାଇଛି । ପିତା, କ୍ଷତ୍ରିୟ ରକ୍ତରେ ଆପଣଙ୍କ ଶରୀରକୁ ଡୁବାଇ ପାରିଲେ ଯାଇ ମୁଁ ଆପଣଙ୍କର ଅନ୍ତ୍ୟେଷ୍ଟିକ୍ରିୟା କରିବି ।”