ବିଷ୍ଣୁ ତ ଶ୍ରୀମତୀଙ୍କୁ ନେଇ ବୈକୁଣ୍ଠ ଚାଲିଗଲେ । ନାରଦ ବା ପର୍ବତ ଋଷି ବୁଝିପାରିଲେ ନାହିଁ ଘଟଣାଟା କାହିଁକି ଏପରି ଘଟିଲା । ଦୁହେଁ ଯେତେବେଳେ ଉପଲବ୍ଧି କଲେ ଯେ ପରସ୍ପର ପ୍ରତି ଈର୍ଷ୍ୟା ଭାବ ଯୋଗୁଁ ଦୁହିଁଙ୍କର ମୁଖ ବିକୃତ ରୂପ ଧାରଣ କରିଛି, ସେମାନେ ଲଜ୍ଜାରେ ଓ କ୍ରୋଧରେ ହତଜ୍ଞାନ ହୋଇଗଲେ ।
ଦୁହେଁ ଯାଇ ବୈକୁଣ୍ଠରେ ପହଁଚିଲେ ଓ ଶ୍ରୀମତୀଙ୍କୁ ସେଠାରେ ଦେଖି ଆହୁରି ରାଗିଗଲେ । ତେଣୁ ନାରଦ ଶ୍ରୀବିଷ୍ଣୁଙ୍କୁ ଅଭିଶାପ ଦେଇ କହିଲେ, “ଯେଉଁ ଶ୍ରୀମତୀଙ୍କୁ ଆପଣ କୌଶଳ କରି ଅନ୍ୟ ମାନଙ୍କୁ ଠକାଇ ପାଇଲେ ସେ ଅପହୃତା ହୋଇଯିବେ ଓ ଆପଣ ପତ୍ନୀ ବିଚ୍ଛେଦରେ ବହୁ କଷ୍ଟ ଭୋଗିବେ । ମୋତେ ଯେଉଁ ମର୍କଟ ରୂପ ଦେଇ ଅପମାନିତ କରିଛନ୍ତି ସେଇ ମର୍କଟ ମାନଙ୍କର ସାହାଯ୍ୟ ନେଇ ଆପଣ ସ୍ତ୍ରୀଙ୍କୁ ଉଦ୍ଧାର କରିବେ ।”
ନାରଦଙ୍କ ଅଭିଶାପ ଶୁଣି ଶ୍ରୀବିଷ୍ଣୁ ଖାଲି ହସିବାକୁ ଲାଗିଲେ । ଶ୍ରୀମତୀ ନିଜର ରୂପ ଅର୍ଥାତ୍ ଲକ୍ଷ୍ମୀରୂପ ନେଇ ଦେଖାଦେଲେ ଓ ଶ୍ରୀବିଷ୍ଣୁ ନାରଦ ଓ ପର୍ବତ ଋଷିଙ୍କ ଚକ୍ଷୁମଧ୍ୟରୁ ମାନୁଷୀମାୟା ଅପସାରିତ କରିଦେଲେ । ଦୁହେଁ ଶ୍ରୀବିଷ୍ଣୁ ଓ ଶ୍ରୀଲକ୍ଷ୍ମୀଙ୍କ ଚରଣରେ ପ୍ରଣାମ କରି ତାଙ୍କଠାରୁ କ୍ଷମା ପ୍ରାର୍ଥନା କଲେ ।
ନାରଦଙ୍କ ମନରେ ଗ୍ଳାନିବୋଧ ଆସିବାରୁ ସେ କାନ୍ଦି କାନ୍ଦି ବହୁତ ପଶ୍ଚାତାପ କଲେ । ଶ୍ରୀବିଷ୍ଣୁ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ତମେ ତ ତ୍ରିକାଳଦର୍ଶୀ, ତମେ ଜାଣ ଭବିଷ୍ୟତରେ କ’ଣ ହେବ । ତେଣୁ ଏତେ ଦୁଃଖ କରିବାର କ’ଣ ଅଛି? ତୁମର ଅଭିଶାପ ମୋର ସଂକଳ୍ପରୁହିଁ ଉତ୍ପନ୍ନ । ତୁମର ଅଭିଶାପ ରାମ ଅବତାରରେ କାମ କରିବ ଏବଂ ତଦ୍ୱାରା ପୃଥିବୀର ଲୋକମାନଙ୍କର କଲ୍ୟାଣ ସାଧନ ହେବ ।”
ଏସବୁ ପରେ ସୂତମୁନି ସେଇ ଇକ୍ଷ୍ୱାକୁ ବଂଶର ଭକ୍ତ ରାଜା ଅମ୍ବରୀଷ ଓ ଦୁର୍ବାସା ଋଷିଙ୍କ କାହାଣୀ କହିବାକୁ ଆରମ୍ଭ କଲେ ।
ଦିନେ ଦୁର୍ବାସା ଋଷିଙ୍କ ଆଶ୍ରମରେ ଦେବର୍ଷି ନାରଦ ଆସି ପହଁଚିଲେ । ଦୁର୍ବାସା ଥଟ୍ଟା କରି କହିଲେ, “ଆଜି ତ ମୁଖ ବଡ ପ୍ରସନ୍ନ ଦିଶୁଛି । କ’ଣ କଳହରେ ପେଟ ପୂର୍ଣ୍ଣ ହୋଇ ଯାଇଛି କି?”
ନାରଦ ଋଷିଙ୍କୁ ଅଭିବାଦନ କରି କହିଲେ, “ଏପରି ଭୋଜନ ତ ଏବେ ମିଳିନାହିଁ, ସେଥିପାଇଁ ବହୁତ ଭୋକ ଲାଗୁଛି । କିନ୍ତୁ ଏବେ ପରମଭକ୍ତ ରାଜା ଅମ୍ବରୀଷଙ୍କ ପାଖରୁ ଆସିଲି । ସତରେ ତାଙ୍କ ଭକ୍ତି ଦେଖି ମୋର ମନ, ପ୍ରାଣ ଅତି ଆନନ୍ଦରେ ପୁରି ଉଠୁଛି ।”
ଅମ୍ବରୀଷଙ୍କ ପ୍ରଶଂସା ଶୁଣି ଦୁର୍ବାସା ଟିକିଏ ଗମ୍ଭୀର ଦେଖାଗଲେ । ତା’ପରେ ସେ ପଚାରିଲେ, “କ’ଣ ଅମ୍ବରୀଷ ଏତେ ବଡ ଭକ୍ତ ଯେ ତାକୁ ଦେଖିବା ମାତ୍ରେ ତୁମ ମନ ଆନନ୍ଦରେ ପୁରି ଉଠିଲା?”
“ନିଃସନ୍ଦେହରେ କହିପାରେ ଯେ ଭଗବାନ୍ ବିଷ୍ଣୁଙ୍କର ବିଶେଷ କୃପା ନ ଥିଲେ ଏଭଳି ଭକ୍ତ ସେ କେବେବି ହୋଇ ପାରନ୍ତେ ନାହିଁ । ଅଦ୍ୱିତୀୟ ଭକ୍ତ । ସେ ରାଜା ହୋଇ ବି ମହାନ୍ ଋଷି । ତାଙ୍କୁ ଦର୍ଶନ କଲେ ଆପଣ ମଧ୍ୟ ମୋ କଥାର ସତ୍ୟତା ଠିକ୍ ଉପଲବ୍ଧି କରିପାରିବେ । ସେ ଜଣେ ମହାନ ବ୍ୟକ୍ତି ଓ ଶ୍ରୀବିଷ୍ଣୁଙ୍କର ପରମପ୍ରିୟ ଭକ୍ତ । ଆପଣଙ୍କୁ ଦର୍ଶନ କଲେ ସେ ନିଜକୁ କୃତାର୍ଥ ମନେ କରିବେ ।” ଏତିକି କହି “ନାରାୟଣ” “ନାରାୟଣ” ଜପୁ ଜପୁ ନାରଦ ହଠାତ୍ ସେଠାରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।
ନାରଦଙ୍କ କଥା ଦୁର୍ବାସାଙ୍କ ମନରୁ ଆଉ ଯାଉନାହିଁ । ସେ ଭାବିଲେ, “ଦେଖିବି ସେ କେତେ ବଡ ଭକ୍ତ । ମୁଁ ତାକୁ ପରୀକ୍ଷା କରିବି ।” ତା’ପରେ ସେ ରାଜା ଅମ୍ବରୀଷଙ୍କୁ ଦେଖିବା ପାଇଁ ଚାଲିଲେ ।
ରାଜା ଏକାଦଶୀ ଓ ଦ୍ୱାଦଶୀ ବ୍ରତ ଖୁବ୍ ନିୟମ ସହକାରେ ପାଳନ୍ତି । ବ୍ରତ ପାରଣା ପୂର୍ବରୁ ସେ ଶୁଣିଲେ ଦୁର୍ବାସା ଋଷି ଆସୁଛନ୍ତି । ଦୁର୍ବାସା ସେଠାରେ ପହଁଚିବା ମାତ୍ରେ ସେ ତାଙ୍କୁ ପାଦ୍ୟ ଓ ଅର୍ଘ୍ୟ ନେଇ ପୂଜା କଲେ ଓ ପ୍ରସାଦ ସେବନ କରିବାକୁ ଅନୁରୋଧ କଲେ ।
ଦୁର୍ବାସା ପ୍ରସାଦ ସେବନର ନିମନ୍ତ୍ରଣ ସ୍ୱୀକାର କରି ସ୍ନାନ କରିବାକୁ ଗଲେ । ସେଇ ଯେ ଗଲେ ଆଉ ଫେରୁ ନାହାଁନ୍ତି । ଅମ୍ବରୀଷ ତାଙ୍କ ପାଇଁ ଅପେକ୍ଷା କରି କରି ଦେଖିଲେ ବ୍ରତ ଉଦ୍ୟାପନର ସମୟ ହୋଇ ଯାଉଛି ଆଉ ସେ ଯଦି ପାରଣା ନ କରନ୍ତି ତେବେ ପାପ ହେବ । ଏଣେ ଦୁର୍ବାସା ମଧ୍ୟ ରାଗିବେ । ସେ କିଂକର୍ତ୍ତବ୍ୟବିମୂଢ ହୋଇ ବ୍ରାହ୍ମଣ, ପୁରୋହିତ ଓ କୂଳଗୁରୁ ପ୍ରଭୃତିଙ୍କୁ ପଚାରିଲେ । ଆଉ ଅପେକ୍ଷା ନ କରି ପ୍ରସାଦ ସେବନ କହିବାକୁ ସମସ୍ତେ ସମସ୍ୱରରେ କହିଲେ, ରାଜା ପ୍ରସାଦ ସେବନ ନ କରି କେବଳ ପୂଜାଜଳ ମାତ୍ର ମୁଖରେ ଦେଇଛନ୍ତି ଠିକ୍ ଏଇ ସମୟରେ ଦୁର୍ବାସା ସ୍ନାନ କରି ସେଠାରେ ଆସି ପହଁଚିଗଲେ ।