ଅଞ୍ଜନା ଦେବୀ, ଆଗତ ଅତିଥିମାନଙ୍କୁ ଭଲ ଭାବରେ ସତ୍କାର କଲେ । ଭୋଜନ ପରେ ଶ୍ରୀରାମଙ୍କ ସହିତ ଅନ୍ୟମାନେ ଅଯୋଧ୍ୟା ଫେରିଗଲେ । ରାସ୍ତାରେ ସୀତା ଯଶୋଧାରାଙ୍କୁ କହିଲେ, “ଦେଖ, ମୁଁ କହିଥିଲି ନା ତୁମ ସ୍ୱାମୀଙ୍କ ଉପରେ କୌଣସି ବିପଦ ପଡି ନ ପାରେ । ହନୁମାନଙ୍କର ଶରଣ ଗଲେ ଜୀବନ ସାର୍ଥକ ହୁଏ ।”
ଯଶୋଧାରା କୃତଜ୍ଞତା ପ୍ରକଟ କରି କହିଲେ, “ସବୁକିଛି ତ ସୀତାରାମଙ୍କ କୃପା । ହନୁମାନଙ୍କ ହୃଦୟରେ ପ୍ରଭୂଙ୍କ ସହିତ ଆପଣଙ୍କୁ ଦେଖି ଆମ ଚକ୍ଷୁ ଧନ୍ୟ ହୋଇ ଗଲା ।” ପିଲାମାନେ ମଧ୍ୟ ଖୁସିରେ ସେଇଆ କହିଲେ । ସେତେବେଳେ ପିଲାମାନଙ୍କୁ ସୀତାଦେବୀ ବଡ ସ୍ନେହରେ ଚାହିଁ ରହିଥିଲେ । ଯଶୋଧାରା କହିଲେ, “ଦେବୀ, ଆପଣଙ୍କ ମୁଖମଣ୍ଡଳ ମାତୃତ୍ୱର ସ୍ନେହରେ ଛଳଛଳ କରୁଛି । ମନେ ହେଉଛି ଆପଣ ମଧ୍ୟ ବହୁତ ଶୀଘ୍ର ମା’ ହେବାକୁ ଯାଉଛନ୍ତି ।”
ସୀତା ଏଥିରେ ଲଜ୍ଜିତା ହୋଇ କହିଲେ, “ତମେ ତ ବୟସରେ ମୋଠାରୁ ସାନ । କିନ୍ତୁ ଏତେ ଅଳ୍ପ ବୟସରେ ଦୁଇଟି ସୁସନ୍ତାନ ରତ୍ନ ଲାଭ କରିଛ । ତୁମ ବଚନ ସାର୍ଥକ ହେଉ ।” ଏମିତି ନାନା କଥା କହୁ କହୁ ପାଲିଙ୍କିରେ ବସି ସେମାନେ ଅଯୋଧ୍ୟାରେ ଆସି ପହଁଚିଲେ ।
ଅଯୋଧ୍ୟାରେ ସେମାନେ କିଛିଦିନ ରହିବା ପରେ ନିଜ ରାଜ୍ୟକୁ ଲେଉଟି ଗଲେ । ପିଲାମାନଙ୍କର ଖେଳକୁଦ ଆନନ୍ଦ ଉଲ୍ଲାସ ସୀତାଙ୍କର ସ୍ନେହାଳୁ ମନକୁ ବଡ ଆପ୍ଲୁତ କରି ରଖିଥିଲା । ଦିନେ ପୂର୍ଣ୍ଣିମା ପଡିଥାଏ । ଶ୍ରୀରାମ ସୀତାଙ୍କ ସହ ବଗିଚାରେ ବିଚରଣ କରୁଥିଲେ, ଚନ୍ଦ୍ରୋଦୟ ହେବା ମାତ୍ରେ ଶ୍ରୀରାମ କହିଲେ, “ଦେଖ କି ସୁନ୍ଦର ଚନ୍ଦ୍ରୋଦୟ ।” ସୀତା ଅନ୍ୟମନସ୍କ ହୋଇ କହିଲେ, “ପୂର୍ବଦିଗ ନାମକ କୌଶଲ୍ୟା ଦେବୀଙ୍କ କୋଳରୁ ଯେପରି ରାମଚନ୍ଦ୍ରଙ୍କର ଉଦୟ ହେଉଛି ।”
ଶ୍ରୀରାମ କହିଲେ, “ସୀତା ଦେବୀଙ୍କ କୋଳରେ ମଧ୍ୟ ନିକଟ ଭବିଷ୍ୟତରେ ଚନ୍ଦ୍ରୋଦୟର ଯଥେଷ୍ଟ ସମ୍ଭାବନା ରହିଛି । ଏକଥା ପୂର୍ବଦିଗ ଯେପରି ଭବିଷ୍ୟତ ବାଣୀ ରୂପେ କହୁଛି ।”
ସୀତା କହିଲେ “ଏକଥା ମଧ୍ୟ କହୁଛି ଯେ ସେ ଚନ୍ଦ୍ର ରାମଚନ୍ଦ୍ରଙ୍କ ପରି ହେବ?”
ଶ୍ରୀରାମ ଅଳ୍ପ ହସି କହିଲେ, “ସେ ଚନ୍ଦ୍ର ଜାନକୀ ଦେବୀଙ୍କ ପରି ହେବ ।” ଦୁହେଁ ଆନନ୍ଦରେ ହସୁଥିଲେ । ସେମାନେ ବସିଥିଲା ସ୍ଥାନରେ ଏକ ଛୋଟ ସରୋବରରେ ଦୁଇଟି ଇନ୍ଦୀବର ବିକଶିତ ହେଉଥିଲେ । ଦେଖିବାକୁ ସେମାନେ ବଡ ସୁନ୍ଦର ଥିଲେ । ସେହି ସୁନ୍ଦର ଦୃଶ୍ୟ ଦେଖିବାକୁ ସେମାନେ ସେଠାରେ କିଛି ସମୟ ବସିବା ପରେ ଅନ୍ତଃପୁରକୁ ବାହୁଡି ଗଲେ । ଅନ୍ତଃପୁରରୁ ମଧ୍ୟ ସୀତାଦେବୀ ବହୁସମୟ ଧରି ସେସବୁ ଦେଖିଲେ । ସେହି ପ୍ରଶାନ୍ତ ବାତାବରଣ, ସୁନ୍ଦର ଜ୍ୟୋସ୍ନା ଓ ସୁନ୍ଦର ଦୁଇଟି ନୀଳ ଇନ୍ଦୀବର ।
ଅନେକ ବର୍ଷ ପରେ । ହନୁମାନ ସେହିଦିନଠାରୁ ଗନ୍ଧମାର୍ଦ୍ଦନ ପର୍ବତ ଉପରେ ବସି ଜପତପରେ ମଗ୍ନ ଥା’ନ୍ତି । ଏହି ଭିତରେ କେତେ ଯେ ସମୟ ବିତିଗଲାଣି ସେକଥା ମଧ୍ୟ ସେ ଜାଣିପାରି ନଥା’ନ୍ତି । ଦିନେ ଅଯୋଧ୍ୟାରୁ ଶ୍ରୀରାମଙ୍କର ଘନିଷ୍ଠ ସେବକ, ଭଦ୍ର ତାଙ୍କ ପାଖକୁ ଆସି କହିଲେ, “ଏଠୁ ଶୀଘ୍ର ଯିବା ପାଇଁ ତୁମକୁ ଶ୍ରୀରାମ ଡକାଇଛନ୍ତି ।”