ଦ୍ୱାପର ଯୁଗରେ ଯଦୁବଂଶରେ ଭଗବାନ୍ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କଲେ । ସେତେବେଳେ ତ ପୃଥିବୀ କଂସ ପ୍ରଭୃତି ଅନେକ ଅସୁରଙ୍କ ଦ୍ୱାରା ଅତ୍ୟାଚାରିତ ହେଉଥିଲା । ଶ୍ରୀକୃଷ୍ଣ ସେମାନଙ୍କୁ ବଧ କରି ପୃଥିବୀ ଭାର ନିବାରଣ କଲେ । ତାଙ୍କ ଜ୍ୟେଷ୍ଠ ଭ୍ରାତା ବଳରାମ ମଧ୍ୟ ବଡ ଯୋଦ୍ଧା ଥିଲେ । ଶ୍ରୀକୃଷ୍ଣ ନରକାସୁରକୁ ବଧ କଲେ । ସତ୍ୟଭାମା ସେ ଯୁଦ୍ଧରେ ଶ୍ରୀକୃଷ୍ଣଙ୍କୁ ସାହାଯ୍ୟ କରିଥିଲେ । ସେହିଦିନଠାରୁ ସେ ଭାବନ୍ତି ଯେ ଶ୍ରୀକୃଷ୍ଣଙ୍କ ଅଷ୍ଟପାଟରାଣୀଙ୍କ ମଧ୍ୟରୁ ତାଙ୍କ ଆଧିପତ୍ୟ ସବୁଠୁ ବେଶି । ତେଣୁ ଏଥିପାଇଁ ସେ ବହୁତ ଗର୍ବ ବି କରୁଥିଲେ ।
ଦିନେ ନାରଦ ଦେବଲୋକରୁ ପାରିଜାତ ପୁଷ୍ପ ଆଣି ରୁକ୍ମିଣୀଙ୍କୁ ଦେଲେ । ଏ ଘଟଣା ଶୁଣି ସତ୍ୟଭାମା କହିଲେ, “ନାରଦ କ’ଣ ଜାଣନ୍ତି ନାହିଁ କି ମୁଁ ଶ୍ରୀକୃଷ୍ଣଙ୍କର ପ୍ରିୟତମା । ସେ ପାରିଜାତ ଫୁଲ ଆଣି ମୋତେ ନ ଦେଇ ରୁକ୍ମିଣୀକୁ କାହିଁକି ଦେଲେ । ଇଏ କି ଦୁର୍ବୁଦ୍ଧି ।” ତା’ପରେ ସେ ଋଷି ବସିଲେ । ଶ୍ରୀକୃଷ୍ଣ ତାଙ୍କୁ ଖୁସି କରିବା ପାଇଁ ତାଙ୍କୁ ଗରୁଡ ଉପରେ ବସାଇ ଦେବଲୋକକୁ ଗଲେ ଓ ପାରିଜାତ ବୃକ୍ଷଟିକୁ ଉପାଡି ନେଇ ଆସିଲେ । ଇନ୍ଦ୍ର ଗରୁଡଙ୍କ ଉପରେ ବଜ୍ର ମାରିଲେ କିନ୍ତୁ ଗରୁଡଙ୍କର ଆଦୌ କିଛି ବି କ୍ଷତି ହେଲା ନାହିଁ । ତେଣୁ ସେହି ଦିନଠାରୁ ଗରୁଡ ମଧ୍ୟ ନିଜ ବଳକୁ ନେଇ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ । ସତ୍ୟଭାମା ପାରିଜାତ ବୃକ୍ଷକୁ ନିଜ ବଗିଚାରେ ଲଗାଇଲେ । ତାଙ୍କର ଆଉ ଗର୍ବର ସୀମା ରହିଲା ନାହିଁ । ନାରଦ ଦେଇ ଥିବା ଅପମାନର ଯଥାର୍ଥ ପ୍ରତିଶୋଧ ନିଆ ଗଲା ।