ଶ୍ୱେତାମ୍ବର ନାମକ ଜଣେ ବୈଦ୍ୟ ମଧୁପୁର ଗ୍ରାମରେ ରହୁଥିଲେ । ସେ ଦେହର ଘା’ ଘଉଡ ଚିକିତ୍ସା କରିବାରେ ସୁଦକ୍ଷ ଥିଲେ । ଥରେ ସେହି ଦେଶର ରାଜାଙ୍କର ଏକ ବଡ ଘା’ ହେଲା । ଘା’ଟି ସାଧାରଣ ବା ବିଷାକ୍ତ ଜଣାପଡୁ ନଥାଏ । ବହୁ ଚିକିତ୍ସକ ଆସି ତାଙ୍କୁ ଚିକିତ୍ସା କଲେଣି ହେଲେ ଫଳ କିଛି ହେଉନାହିଁ । ଏପରି ଅବସ୍ଥାରେ ରାଜାଙ୍କୁ କେହି ଶ୍ୱେତାମ୍ବରଙ୍କ ବିଷୟରେ କହିଲେ । ସୁତରାଂ ସେ ମନ୍ତ୍ରୀଙ୍କୁ କହିଲେ “ମଣିଷ ଜାଣିପାରେ ନାହିଁ । ବେଳେବେଳେ ମହାନ୍ ପ୍ରତିଭାବାନ ଲୋକଙ୍କର ପ୍ରତିଭା ଲୁଚି କରି ଥାଏ । ସେ ଲୋକକୁ ଡକାଇ ଆଣ, ଦେଖା ଯାଉ ।”
ମନ୍ତ୍ରୀ ଅବିଳମ୍ବେ ଶ୍ୱେତାମ୍ବରଙ୍କୁ ଡକାଇ ପଠାଇଲେ । ସେଥିପାଇଁ ସେ ପାଲିଙ୍କି ଓ କେତେକ ସୈନ୍ୟ ପଠାଇଲେ । ଶ୍ୱେତାମ୍ବର ମହା ସମ୍ମାନର ସହିତ ଆସିବା କଥା । ଠିକ୍ ବାହାରିବା ମୁହୂର୍ତ୍ତରେ ସେ ଯିବାକୁ ମନା କରିଦେଲେ । କହିଲେ, “ଯଦି ମହାରାଜାଙ୍କର ମୋ ଚିକିତ୍ସା ଉପରେ ଏତେ ବିଶ୍ୱାସ, ତେବେ ସେ ନିଜେ ଏଠାକୁ କାହିଁକି ନ ଆସିଲେ?”
ସୈନିକମାନେ ପାଲିଙ୍କି ସହ ରାଜଧାନୀ ଫେରିଗଲେ । ତଥା ରାଜାଙ୍କ ପାଖରେ ଶ୍ୱେତାମ୍ବର ଦେଇଥିବା ଖବର ପହଁଚାଇଲେ; ସେତେବେଳେ ରାଜାଙ୍କ ସେନାପତି ମଧ୍ୟ ସେଠାରେ ଥିଲେ । ସେ ଏ ଖବର ଶୁଣି ରାଗିଯାଇ କହିଲେ, “ତାଙ୍କର ପୁଣି ଏତେ ସାହସ? ଚେର ମୂଳିକାର ଔଷଧ ଦେବାରେ ପୁଣି ଗର୍ବ ଦେଖ; ମହାରାଜ, ଆଜ୍ଞା ଦିଅନ୍ତୁ ତାଙ୍କୁ ମୁଁ ବନ୍ଦୀ କରି ନେଇ ଆସିବି ।”
କିନ୍ତୁ ମହାରାଜା ତାଙ୍କୁ ଶାନ୍ତ କରାଇ କହିଲେ, “ହୁଏତ ସେ ପତ୍ରଚେର ବାଛି ତା’ର ରସ କାଢୁଛନ୍ତି । ହେଲେ ସେସବୁ ଔଷଧ ଗଛ ତ କେବଳ ସେହିଁ ଚିହ୍ନନ୍ତି । ତାଙ୍କର ଦକ୍ଷତାକୁ ପ୍ରଶଂସା କରିବା ଦରକାର । ମୁଁ ନିଜେ ତାଙ୍କ ପାଖକୁ ଯିବି । ଏଥର ମୋର ସେଠାକୁ ଯିବାପାଇଁ ବ୍ୟବସ୍ଥା କର ।” ଏହାପରେ ତୁରନ୍ତ ରାଜାଙ୍କର ଯିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଗଲା । ରାଜାଙ୍କ ସହିତ ତାଙ୍କ ପରିବାରର କେତେକ ଲୋକ ମଧ୍ୟ ଗଲେ । ସେଠାରେ ସେମାନଙ୍କର ରହିବା ପାଇଁ ମଧ୍ୟ ଅସ୍ଥାୟୀ ଘର ବନାହେଲା ।
ନିଜେ ସେନାପତି ବୈଦ୍ୟଙ୍କ ଘରକୁ ଯାଇ ଶ୍ୱେତାମ୍ବରଙ୍କୁ କହିଲେ, “ମହାରାଜ ଆପଣଙ୍କ ଗ୍ରାମର ବାହାର ସୀମାରେ ପହଁଚିଛନ୍ତି ଓ ସେଠାରେହିଁ ରହିଛନ୍ତି । ଏଠାକୁ ଆସିବାକୁ ମୁଁ ତାଙ୍କୁ କହିବି କି? ତାହା କିନ୍ତୁ ବଡ ଅସୁନ୍ଦର ହେବ ।”
ବୈଦ୍ୟ ଏସବୁ ବୁଝିଲେ କି ନାହିଁ କେଜାଣି, ସେ ରାଜାଙ୍କ ଶିବିର ପର୍ଯ୍ୟନ୍ତ ଗଲେ ଓ ରାଜାଙ୍କ କ୍ଷତସ୍ଥାନକୁ ଦେଖିବାରେ ଲାଗିଲେ । କିନ୍ତୁ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ସେ କହିଲେ, “ମହାରାଜ, ଯନ୍ତ୍ରଣାକୁ ଦୂର କରିବା ପାଇଁ ଚିକିତ୍ସା ଯେତେ ଜରୁରୀ, ତା’ଅପେକ୍ଷା ପଥ୍ୟ ମଧ୍ୟ ସେତେ ଜରୁରୀ । ତେଣୁ ମୁଁ ମୋ ଘରୁ ଯେଉଁ ଖାଦ୍ୟ ପଠାଇବି ଆପଣ କେବଳ ତାକୁହିଁ ଖାଇବେ । ମୁଁ ପୂର୍ବରୁ କହି ରଖୁଛି ଆପଣଙ୍କୁ ନିଜ ଜିହ୍ୱାର ଲାଳସାକୁ କିଛିଦିନ ପାଇଁ ତ୍ୟାଗ କରିବାକୁ ପଡିବ ।”