କଂଚନପୁରର ଧନୀ ବ୍ୟବସାୟୀ ବିଶାଳଙ୍କର ଏକମାତ୍ର ପୁତ୍ର ବିଶୁ ତା’ ପିଲାଟିଦିନରୁ ବଡ ଆଦରରେ ମଣିଷ ହୋଇଥାଏ । ତା’ର ଯେତିକି ଇଚ୍ଛା ସେ ସେତିକି ପଢେ, ତାକୁ କେହିବି ଗାଳି ଦିଅନ୍ତି ନାହିଁ । ଏମିତି ସବୁଥିରେ ଅତ୍ୟଧିକ ସ୍ୱାଧିନତା ପାଇ ସେ ସରଳ ଭାବରେ ବଢୁଥାଏ । କ୍ରମେ ଯୁବକ ବୟସ ହେବାରୁ ତା’ର ପିତା ତାକୁ ବ୍ୟବସାୟରେ ରଖିବାକୁ ଚାହିଁଲେ । ହେଲେ ବିଶୁର ସାଂସାରିକ ଜ୍ଞାନ ଆଦୌ ନଥାଏ । ବ୍ୟବସାୟ ପାଇଁ ପ୍ରଖର ବୁଦ୍ଧି ଦରକାର; ତାହା ନଥିବାରୁ ତାକୁ ସମସ୍ତେ ଅଯୋଗ୍ୟ ବୋଲି କହୁଥା’ନ୍ତି ।
ତା’ର ଏପରି ସବୁ ଚାଲିଚଳଣ ଦେଖି ଦିନେ ତା’ର ପିତା ବିଶାଳ ତାକୁ କହିଲେ, “ଆରେ ବିଶୁ, ଦେଖିବାକୁ ତ ତୁ ମାମୁଁ ପରି ସୁନ୍ଦର ହୋଇଛୁ, ମାମୁଁ ପରି କାଣିଚାଏ ବୁଦ୍ଧି ହେଲେ ତୋର ଥା’ନ୍ତା । ମୁଁ ତ ଏଣିକି କ୍ରମେ ବୁଢା ହେଲିଣି । ତୁ ବ୍ୟବସାୟ ନ ସମ୍ଭାଳିଲେ ଘର କେମିତି ଚଳିବ? ଥରେ ଯାଇ ମାମୁଁ ଘରେ ରହି ମାମୁଁ ଠାରୁ ବ୍ୟବସାୟ ବୁଦ୍ଧି ଶିଖି ଆସ । ସେ କିପରି ସେଠାରେ ବ୍ୟବସାୟରେ ସଫଳ ହୋଇଛି ଆଉ ପୁଣି ଜନପ୍ରିୟ ମଧ୍ୟ ହୋଇଛି ।”
ବିଶୁ ଏ ବିଷୟରେ ଗଭୀର ଚିନ୍ତା କଲା । ପ୍ରକୃତରେ ମାମୁଁଙ୍କ ବିଷୟରେ ବହୁତ କିଛି ସେ ଶୁଣିଛି । କିଛିଦିନ ଯାଇ ସେଠାରେ ରହି ଆସିଲେ ଭଲ ହେବ । ପିତା ବିଶାଳ ଦିନେ ତାଙ୍କ ପୁଅକୁ ଡାକି କହିଲେ, “ଆରେ ବିଶୁ, ତୁ ଏଥର ମାମୁଁ ଘରକୁ ଯାଇ ବୁଝି ଆସ ଯେ ଏପର୍ଯ୍ୟନ୍ତ କାହିଁକି ଲଙ୍କା ଓ ତେନ୍ତୁଳି ବୀକ୍ରି ପାଇଁ ସେ ପଠାଇ ନାହିଁ । ତାଙ୍କ ଗାଁରେ ସେସବୁ ତ ବହୁତ ଶସ୍ତା । ଆମେ ଜିନିଷ ପାଇଁ ଏଠି ଅପେକ୍ଷା କରୁଛୁ । କହିଦବୁ ଯେ, ଆଉ ଦୁଇବସ୍ତା ଲଙ୍କା ଅଧିକା ଦେବେ । ଆଉ ଯାହା ଯାହା ପଠାଇବା କଥା ଶୀଘ୍ର ପଠାଇ ଦେବେ, ଯମାରୁ ବିଳମ୍ବ କରିବେ ନାହିଁ । ଯିବାବେଳେ ତୁ ତୋ ହାତରେ କିଛି ଟଙ୍କା ନେଇଯାଆ ।”
ପରଦିନ ବିଶୁ ଯାଇ ତା’ ମାମୁଁ ଘରେ ପହଁଚିଲା । ବାହାରୁ ଦେଖିଲା ଉଷା ଏକାକୀ ବସି ରହି ପଢୁଛି । ବିଶୁ ଜାଣିଥିଲା ଯେ ମାମୁଁଙ୍କର ଦୁଇପୁଅ । ଝିଅ ନଥିବାରୁ ମାଇଁଙ୍କ ଭାଇର ଝିଅ ଉଷାକୁ ପିଲାଟିଦିନରୁ ନିଜ ଝିଅ ଭାବରେ ସେମାନେ ପାଳିଥାନ୍ତି । ଉଷା ନିଜ ପଢାରେ ଏତେ ମନ ଲଗାଇ ଥାଏ ଯେ ବିଶୁ ସେଠାରେ ପହଁଚିବା ସେ ମୋଟେ ଜାଣିପାରି ନାହିଁ । ବିଶୁ କିଛି ଶବ୍ଦ କରିବାରୁ ସେ ମୁଣ୍ଡଟେକି ଚାହିଁଲା ଓ ବିଶୁକୁ ଦେଖି ପଢା ଛାଡି ଉଠି ଆସିଲା । ସେ ବିଶୁକୁ ନମସ୍କାର କରି ସମସ୍ତିଙ୍କର କୁଶଳ ବିଷୟ ପଚାରିଲା । ବିଶୁ ଉଷାକୁ ତ ଛୋଟବେଳେ ଯାହା ଦେଖିଥିଲା । ମାତ୍ର ଏବେ ତ ସେ ବଡ ହୋଇଗଲାଣି, ସୁନ୍ଦର ମଧ୍ୟ ହୋଇଗଲାଣି । ଚାରିଆଡକୁ ଚାହିଁ ସେ ଦେଖିଲା ଓ ପଚାରିଲା, “ମନେ ହେଉଛି ଘରେ କେହିବି ନାହାଁନ୍ତି, ସବୁ ଗଲେ କୁଆଡେ?”
ଉଷା କହିଲା, “ପାଖ ଗ୍ରାମରେ ହେଉଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ସମସ୍ତେ ସେଠାକୁ ଯାଇଛନ୍ତି । ଏବେ ଫେରିବେ । ମୋର ପରୀକ୍ଷା ଥିବାରୁ ମୁଁ ଯାଇନାହିଁ ।” ତା’ପରେ ବିଶୁ ଗୋଡହାତ ଧୋଇ ଆସିଲା ଓ ଉଷା ତା’ ପାଇଁ ଖାଇବାକୁ ବାଢିଦେଲା । ସେତିକିବେଳେ ଜଣେ ବୁଢୀ ବାହାରୁ ଭିତରକୁ ଆସି କହିଲା, “ଉଷା, ମା’ ବାପା ଆସିଲେଣି? ସଂଧ୍ୟା ପୂର୍ବରୁ ତାଙ୍କର ଆସିବା ଉଚିତ୍ । ଏକେଲା ତୋତେ ଛାଡିଦେଇ ଏତେବେଳ ପର୍ଯ୍ୟନ୍ତ ସେମାନେ ଗଲେ କୁଆଡେ?”
ଉଷା ପଚାରିଲା “ଆଈ, ସେମାନେ ଏବେ ପର୍ଯ୍ୟନ୍ତ ଆସି ନାହାଁନ୍ତି । ବାଟରେ ହୁଏତ ଆସୁଥିବେ । ବାହାଘରରେ ଏପରି ବିଳମ୍ବ ହେବାଟାତ ସ୍ୱାଭାବିକ୍ । ଆଈ, ଆପଣଙ୍କର କ’ଣ କିଛି ଦରକାର କି?”
ନୂଆ ଲୋକ ଦେଖି ବୁଢୀ ବିଶୁ ଆଡକୁ ବାରମ୍ବାର ଚାହିଁଲା । ତା’ପରେ ସେ କହିଲା, “ଗାଁରୁ ଲଳିତା ଓ ଛୁଆମାନେ ଆସି ପହଁଚିଛନ୍ତି । ଦୁଧ ଥିଲେ କ’ଣ ହେବ? ଘରେ ତ ଚିନି ଟିକିଏ ବି ନାହିଁ । କିପରି ଚାହା କରିବି? ଆଗରୁ ଏକଥା ଜାଣିଥିଲେ କିଣି ରଖିଥା’ନ୍ତି । ଏବେ ଏତେବେଳେ କୁଆଡକୁ ଯିବି?”
“ବାସ୍ ଏତିକି ମାତ୍ର କଥା ତ? ମୁଁ ଚିନି ଦେଇ ଦେଉଛି ।” ଏହା କହି ଉଷା ରନ୍ଧାଘରୁ ଡବାଏ ଚିନି ଆଣି ସେ ବୁଢୀକୁ ଦେଲା । ବୁଢୀ ଖୁସି ହୋଇ ଉଷାକୁ ଅନେକ ଆଶୀର୍ବାଦ କରି ଚିନି ଧରି ସେଠୁ ଚାଲିଗଲା ।
ବିଶୁ ଏସବୁକିଛି ମନଦେଇ ଦେଖୁଥିଲା । ବୁଢୀ ଯିବା ପରେ ସେ କହିଲା, “ଉଷା, ତୋର ମାମୁଁଙ୍କ ପରି ସଂସାର ବୁଦ୍ଧି ଅଛି ନା ନାହିଁ? ଏଇ ଯେଉଁ ବୁଢୀକୁ ଏତେ ଚିନି ଦେଲୁ ସେ ତାହା ଫେରାଇବ ନା ନାହିଁ?”