ପ୍ରାଚୀନ କାଳର କଥା । ଥରେ ଲକ୍ଷ୍ମଣପୁର ଗ୍ରାମରେ ବର୍ଷା ହେଲା ନାହିଁ । ବର୍ଷା ନହେବାରୁ ନଈ, ନାଳ, ପୋଖରୀ, କୂଅ ସବୁ ଶୁଖିଗଲା । ଫସଲ ମଧ୍ୟ ନଷ୍ଟ ହୋଇଗଲା । ଏହା ଦେଖି ଗ୍ରାମବାସୀମାନେ ଚିନ୍ତାରେ ପଡିଗଲେ । ସମସ୍ତେ ଏକତ୍ରିତ ହୋଇ ଗ୍ରାମର ମୁଖିଆଙ୍କ ପାଖରେ ପହଁଚିଲେ । ମୁଖିଆଙ୍କୁ କହିଲେ – “ମୁଖିଆ ମହାଶୟ! ଆପଣ ତ ଜାଣୁଛନ୍ତି କିଛି ଦିନ ହେବ ଏଠାରେ ବର୍ଷା ହେଉନାହିଁ । ଆମ୍ଭେମାନେ ଯଦି ଏହି ଗାଁରେ ରହିବୁ ତା’ ହେଲେ ଭୋକ, ଉପାସରେ ମରିଯିବୁ । ତେଣୁ ଆପଣ ଆମ୍ଭମାନଙ୍କ କଥା ଚିନ୍ତା କରନ୍ତୁ ।”
ଲୋକମାନଙ୍କର କଥା ଶୁଣି ମୁଖିଆ ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ଭାଇମାନେ! ଏପରି ଧୈର୍ଯ୍ୟ ହରା ହେଲେ କୌଣସି କାମ ହେବ ନାହିଁ । ତୁମେ ମାନେ କହୁଛ ଏହି ଗାଁ ଛାଡି ଅନ୍ୟତ୍ର ଚାଲିଯିବ । ହେଲେ କେଉଁ ସ୍ଥାନକୁ ଯିବ ତାହା କ’ଣ ତମେମାନେ ଠିକ୍ କରିଛ । ଘର ଭାଙ୍ଗି ଦେଇ ଚାଲିଯିବା ଠାରୁ ପୁଣି ନୂଆ କରି ଘର ତୋଳିବା କାଠିକର ପାଠ । ତେଣୁ ଭାଇମାନେ ମୋ କଥା ମାନ । ଏ ଗାଁ ଛାଡି ଆଉ କୁଆଡେ ଯାଅ ନାହିଁ ।” ମୁଖିଆଙ୍କର କଥା ଶୁଣି ‘ରାମା’ ନାମକ ଏକ ଯୁବକ ଜୋର୍ରେ ରାଗିଗଲା । କିଛି ନବୁଝି ମୁଖିଆଙ୍କୁ କହିଲା, “ମୁଖିଆ ମହାଶୟ! ଆମେ ଏଠାରେ ଆଉ ଗୋଟିଏ ମୂହୁର୍ତ ରହିପାରିବୁ ନାହିଁ । ଏଠାରେ ରହିଲେ ଆମେ ଭୋକ ଉପାସରେ ମରିଯିବୁ ।” ‘ରାମା’ ର କଥାଶୁଣି ମୁଖିଆ କହିଥିଲେ, “ବାପାରେ! ଯାହା କରିବା କଥା ଆମକୁ ଧୈର୍ଯ୍ୟର ସହିତ କରିବାକୁ ପଡିବ । ଯିବା ପୂର୍ବରୁ ଆମକୁ ସାଙ୍ଗରେ ତ’ ଆମର ଅତ୍ୟାବଶ୍ୟକ ଜିନିଷ ଦ୍ରବ୍ୟ କିଛି ନେବାକୁ ପଡିବ । ସେ ସବୁତ ଆମେ ଯୋଗାଡ କରିବା । ତା’ପରେ ତୁମେ ମାନେ ଏକଥା ଭଲ ଭାବରେ ଜାଣିଛ ଯେ ଆମ ଗାଁକୁ ଚତୁର୍ଦ୍ଧିଗରୁ ମରୁଭୂମି ଘେରି ରହିଛି ।”