ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସହିତ ଅସରାଏ ଲେଖାଏଁ ଝିପିଝିପି ବର୍ଷା ବି ହୋଇଯାଉଥାଏ । ଗଛଲତା ଗହନରୁ ସାଏଁ ସାଏଁ ଶବ୍ଦ ସବୁ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନ ଶ୍ୱାପଦଙ୍କ ରଡି ମଝିରେ ଅଶରିରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।
କିନ୍ତୁ ରାଜା ବିକ୍ରମାର୍କ ଏଥିରେ ତିଳେ ହେଲେ ବି ମଧ୍ୟ ବିଚଳିତ ବୋଧ ନହୋଇ ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଏବଂ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ଯେତେବେଳେ ତାକୁ ସେ ନିଜ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କଲେ, ଶବସ୍ଥିତ ବେତାଳ କହିଲା, “ରାଜା! ଏ ଦୁର୍ଯ୍ୟୋଗପୂର୍ଣ୍ଣ ରାତିରେ ପ୍ରାସାଦର ସୁଖ ସମ୍ଭୋଗଠାରୁ ଦୂରେଇ ଆସି ତମେ ଶ୍ମଶାନରେ ବିଚରଣ କରିବାର ମାନେ କ’ଣ ହୋଇପାରେ? ତୁମେ କ’ଣ ନିଜ ପ୍ରେରଣାରେ ଏହା କରୁଛ ନା ଏହା ପଛରେ କୌଣସି ଅଲୌକିକ ଶକ୍ତିର ପ୍ରେରଣା ରହିଛି? ଅଲୌକିକ ଶକ୍ତି ସମ୍ପର୍କରେ ତମର ଧାରଣ କ’ଣ ତା’ ତ ମୁଁ ଜାଣେନା, କିନ୍ତୁ ଅନେକ ସମୟରେ ସେସବୁ କେବଳ କଳ୍ପନାମାତ୍ର । ମୋର ଏହି କଥାଟିର ସାରମର୍ମ ବୁଝାଇଦେବା ନିମନ୍ତେ ମୁଁ ଗୋଟାଏ ଦୃଷ୍ଟାନ୍ତ ଦେଉଛି । ମନ ଦେଇ ତାହା ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ମନେ ହେବ ।”
ଏହାପରେ ସେ ବେତାଳ ଗପିଲା : ଅନେକ ଦିନ ତଳର କଥା । ବୈତରଣୀ କୂଳରେ ଛୋଟ ରାଜ୍ୟଟିଏ ଥିଲା । ରାଜକୁମାର ବିଶ୍ୱଦତ, ସେନାପତି ପୁତ୍ର ଅଭିଜିତ, ପୁରୋହିତ ପୁତ୍ର ଶଶିଧର ଏବଂ ମନ୍ତ୍ରୀକନ୍ୟା ମାଧୁରୀ ପିଲାବେଳଠୁଁ ଏକା ସାଙ୍ଗରେ ଖେଳାଧୂଳା କରୁଥାନ୍ତି । ସମୟ କ୍ରମେ ରାଜକୁମାର ବିଶ୍ୱଦତ ଓ ଅଭିଜତ୍ ଗୁରୁକୂଳରେ ଯାଇ ବିଦ୍ୟାଧ୍ୟୟନ କଲେ ।
ଅଧ୍ୟୟନ ଶେଷ ହୁଅନ୍ତେ ଦୁଇ ତରୁଣ ରାଜଧାନୀକୁ ଲେଉଟି ଆସିଲେ । ରାଜକୁମାର ତେଣିକି କିଛି କିଛି ସମୟଦେଇ ଶାସନକାର୍ଯ୍ୟ ଶିଖିବାକୁ ଲାଗିଲେ । ସେ ସ୍ୱଭାବରେ ନମ୍ର ଥିଲେ; ଆଚାର ବ୍ୟବହାରରେ ଭଦ୍ର ଥିଲେ । ରାଜ୍ୟର ଅମାତ୍ୟମାନେ ଓ ସାଧାରଣଲୋକେ ସେଥିସକାଶେ ତାଙ୍କୁ ଯଥେଷ୍ଟ ସ୍ନେହ ଶ୍ରଦ୍ଧା କରୁଥିଲେ ସତ, କିନ୍ତୁ ଅଭିଜିତ ଓ ଶଶିଧର ତାଙ୍କୁ ଭାରି ଈର୍ଷ୍ୟା କରୁଥିଲେ । ସେମାନଙ୍କର ଏହି ଈର୍ଷ୍ୟାର କାରଣ ହେଉଛି ମନ୍ତ୍ରୀ କନ୍ୟା ମାଧୁରୀ । କାହିଁକିନା ସେ ତିନିଜଣ ଯାକ ଯୁବକ ମାଧୁରୀକୁ ବିଭା ହେବାକୁ ଚାହୁଁଥିଲେ । କିନ୍ତୁ ଶଶିଧର ବ୍ରାହ୍ମଣ ହୋଇଥିବାରୁ ମାଧୁରୀଙ୍କୁ ତ ସେ କେବେବି ବିଭା ହୋଇ ପାରିବେ ନାହିଁ ବୋଲି ଜାଣିଥିଲେ । ଅଭିଜିତ ଡରୁଥିଲେ କି ମାଧୁରୀ ରାଜପୁତ୍ରଙ୍କୁ ଛାଡି ତାଙ୍କୁ ବିଭା ହେବାକୁ କେବେବି ମଙ୍ଗିବେ ନାହିଁ ।
କିନ୍ତୁ ବିଶ୍ୱଦତ ସେମାନଙ୍କ ମନକଥା ଜାଣୁ ନଥିଲେ । ତେବେ ମାଧୁରୀ ତାଙ୍କୁ ଭଲ ପାଆନ୍ତି ବୋଲି ତାଙ୍କ ଧାରଣାଥାଏ ।