ଅର୍ଗୋସର ରାଜା ପ୍ରୋଇଟସ୍ଙ୍କ ସହିତ ବେଲ୍ଲୋରୋଫନ୍ ନାମକ ଏକ ରାଜକୁମାର ସାକ୍ଷାତ୍ କରିବାକୁ ଆସି ତାଙ୍କ ପ୍ରାସାଦରେ ଅତିଥି ହୋଇ ରହିଥା’ନ୍ତି । ବେଲ୍ଲୋରୋଫନ୍ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ତଥା ବୁଦ୍ଧିମାନ୍ ଥିଲେ । ସେଥିପାଇଁ ରାଜା ପ୍ରୋଇଟସ୍ ତାଙ୍କୁ ଇର୍ଷ୍ୟା କରି ମାରିଦେବାକୁ ଚାହିଁଲେ । ସମ୍ମୁଖ ଯୁଦ୍ଧରେ ତ ସେ ତାଙ୍କର ଶତ୍ରୁଙ୍କୁ କେବେ ମଧ୍ୟ ମାରିପାରିବେ ନାହିଁ, ତେଣୁ ସେଥିପାଇଁ ସେ ଅନ୍ୟ ଏକ ପନ୍ଥା ଖୋଜିଲେ । ଦିନେ ରାଜା ତାଙ୍କୁ କହିଲେ, “ଯୁବକ, ମୁଁ ଲକ୍ଷ୍ୟ କରି ଦେଖିଛି ଯେ ତୁମେ ଘୋଡାକୁ ତ ବହୁତ ଦ୍ରୁତ ଗତିରେ ଦୌଡାଇ ପାରୁଛ । ମୋର ମାମୁଁ ଲିସିଆର ରାଜା ଜୋବେଟସ୍ଙ୍କ ନିକଟକୁ ମୋର ଏକ ଗୁପ୍ତ ସନ୍ଦେଶ ନେଇଯାଇ ପାରିବ କି?”
ବେଲ୍ଲୋରୋଫନ୍ ସଙ୍ଗେ ସଙ୍ଗେ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ସେ ଚିଠିରେ ଲେଖାଥିଲା କି, “ମାମୁଁ, କୌଣସି ମତେ ଆପଣ ଏହି ଯୁବକକୁ ନିପାତ୍ କରିଦେବେ ।” ଭଣଜାଙ୍କ ଚିଠି ପାଇ ମାମୁଁ ଏଥର ମହା ଅଡୁଆରେ ପଡିଲେ । ଶେଷକୁ ତାଙ୍କୁ ଗୋଟାଏ ଉପାୟ ଦିଶିଲା । ତାଙ୍କ ରାଜ୍ୟର ଏକ ପାହାଡ ଉପରେ ଚିମାଇରା ନାମକ ଏକ ଭୟଙ୍କର ରାକ୍ଷସ ରହୁଥାଏ । ଜୋବେଟସ୍ ଭାବିଲେ, “କୌଣସି ମତେ ମୁଁ ଏହି ଯୁବକକୁ ସେହି ରାକ୍ଷସ ପାଖକୁ ପଠାଇବି ।”ତେଣୁ ସେ କହିଲେ, “ଯୁବକ ମୁଁ ଶୁଣିଛି ତୁମେ ବଡ ବୀର । ଏହି ପର୍ବତ ଉପରେ ଭୟଙ୍କର ରାକ୍ଷସ ଚିମାଇରା ଅଛି । ତା’ର ଅତ୍ୟାଚାରରୁ ତୁମେ ମୋ ପ୍ରଜାମାନଙ୍କୁ ଉଦ୍ଧାର କରିପାରିବ କି? ” ଏକଥାରେ ବେଲ୍ଲୋରୋଫନ୍ ଆନନ୍ଦରେ ରାଜି ହେଲେ ଓ ଅସ୍ତ୍ରଶସ୍ତ୍ର ସହ ସେ ପାହାଡ ଉପରକୁ ତୁରନ୍ତ ନିଜ ଘୋଡା ଛୁଟାଇଲେ । ଚିମାଇରା ଏକ ବିଚିତ୍ର ଜୀବ ଥିଲା । ନିଜ ମୁଣ୍ଡ ଛଡା ତା’ର ଆଉ ଦୁଇଟି ମୁଣ୍ଡ ବି ଥିଲା ସେଥିରୁ ଗୋଟିଏ ସିଂହର ତ ଆଉ ଗୋଟିଏ ଛେଳିର । ତା’ ମୁହଁରୁ ସଦାବେଳେ ନିଆଁ ବାହାରୁ ଥାଏ । ତେଣୁ ଯିଏ ବି ତା’ ନିକଟକୁ ଆସେ ସେ ଅବିଳମ୍ବେ ପୋଡିଯାଏ । ବେଲ୍ଲୋରୋଫନ୍ ସେ ରାକ୍ଷସକୁ ଦୂରରୁ ଦେଖିଲେ । ସେ ଗୋଟେ ଭୟଙ୍କର ରାକ୍ଷସ । ଏହାକୁ ମାରିବା ତ ଆଉ ଏତେ ସହଜ ନୁହେଁ । ପୁଣି ତାକୁ ନ ମାରି ଫେରିଯିବାଟା ବି ବଡ ଲଜ୍ଜାର କଥା । ତେଣୁ ସେ କିଂକର୍ତ୍ତବ୍ୟବିମୁଢ ହୋଇ ଶେଷକୁ ନିଜର ଇଷ୍ଟଦେବୀ ମିନର୍ଭାଙ୍କୁ ସ୍ମରଣ କଲେ । ଦେବୀ ମିନର୍ଭା ତାଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କ ସମ୍ମୁଖରେ ଆବିର୍ଭୁତ ହେଲେ ଓ ତାଙ୍କୁ ପେଗାସସ୍ ନାମକ ଏକ ଉଡନ୍ତା ଘୋଡା ଦେଲେ ।