ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବ୍ରହ୍ମଜ୍ଞାନୀ ଶୁକମୁନି

ଏକଦା ପାର୍ବତୀମାତା ଈଶ୍ୱରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କଲେ । ତେଣୁ ଈଶ୍ୱର, ପାର୍ବତୀଙ୍କୁ ନିଜ ସାଙ୍ଗରେ ନେଇ ନୈମିଷ୍ୟାରଣରେ ପହଁଚିଲେ । ନୈମିଷ୍ୟାରଣ ହେଉଛି ଗୋଟିଏ ସୁନ୍ଦର ଓ ପବିତ୍ର ସ୍ଥାନ । ସେଠାରେ ମୁନି ଋଷିମାନେ ବାସ କରନ୍ତି । ଈଶ୍ୱର ଓ ପାର୍ବତୀ ଦୁହେଁ ସେହି ଅରଣ୍ୟର ଏକ ନିକାଂଚନ ସ୍ଥାନରେ ଯାଇ ଉପସ୍ଥିତ ହେଲେ । ସେଠାରେ ଗୋଟିଏ ବିରାଟ ଚମ୍ପାଗଛ ଥାଏ । ସେହି ଚମ୍ପାଗଛରେ ଫୁଲଫୁଟି ତାହା ଅତ୍ୟନ୍ତ ରମଣୀୟ ଦିଶୁଥାଏ । ଚମ୍ପାଫୁଲତ ସହଜେ ଶିବଙ୍କର ଅତି ପ୍ରିୟ । ତେଣୁ ସେହି ଗଛତଳେ ଈଶ୍ୱର ପାର୍ବତୀ ଦୁହେଁ ଯାଇ ବସିଗଲେ । ତାପରେ ଈଶ୍ୱର ପାର୍ବତୀମାତାଙ୍କୁ ବ୍ରହ୍ମଜ୍ଞାନ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ ।

ସେହି ଚମ୍ପାଗଛର କୋରଡରେ କାହିଁ କେଉଁ କାଳରୁ ଗୋଟିଏ ମୃତ ଶୃକପକ୍ଷୀର କଙ୍କାଳଟିଏ ପଡି ରହିଥିଲା । ବ୍ରହ୍ମଜ୍ଞାନ ଶୁଣି ସେ ଶୁକପକ୍ଷୀର କଙ୍କାଳ ଉପରେ ମାଂସ, ଚର୍ମ ଓ ଡେଣା ଇତ୍ୟାଦି କଅଁଳି ଉଠିଲା । କିଛି ସମୟ ପରେ ତା’ ଦେହରେ ଜୀବନର ସଂଚାର ବି ହେଲା ।

ଜୀବନ ଲାଭ କଲାପରେ ପକ୍ଷୀଟି ନିଜର ସ୍ୱଭାବବଶତଃ ରାବ କରିବାକୁ ଲାଗିଲା । ଗଛ ଡାଳରେ ପକ୍ଷୀଟିଏ ରାବ କରିବାରୁ ଶିବ ହଠାତ୍ ବିଚଳିତ ହୋଇ ପଡିଲେ । କାରଣ ବ୍ରହ୍ମଜ୍ଞାନ ତ ଅନ୍ୟ କେହି ଶୁଣିବା ଆଦୌ ଉଚିତ୍ ନୁହେଁ ।

ସାମାନ୍ୟ ଶୁକପକ୍ଷୀଟି ପୁଣି ବ୍ରହ୍ମଜ୍ଞାନର ଅଧିକାରୀ ହୋଇଗଲା । ଏହା ତ ବଡ ଅନ୍ୟାୟ । ସେ ଶୁକପକ୍ଷୀକୁ ଭସ୍ମ କରିଦେବେ ବୋଲି ଶିବ ବିଚାରିଲେ । ଶିବଙ୍କୁ ଦେଖି ସେ ଶୁକ ପକ୍ଷୀଟି ଅତି ଭୟରେ ସେଠାରୁ ପଳାଇଗଲା । ସେ ପକ୍ଷୀଟି ତାର ଆତ୍ମରକ୍ଷା କରିବା ପାଇଁ ସ୍ୱର୍ଗ, ମର୍ତ୍ୟ, ପାତାଳ ତିନିପୁରରେ ଯାଇ ବୁଲିଆସିଲା । କେହି ବି ଶିବଙ୍କ ଭୟରେ ସେ ପକ୍ଷୀଟିକୁ ଆଦୌ ଆଶ୍ରୟ ଦେଲେ ନାହିଁ । ଶେଷରେ ସେ ଶୁକପକ୍ଷୀଟି ଯାଇ ବିଷ୍ଣୁଙ୍କ ପାଖରେ ଶରଣ ପଶିଲା । ଭଗବାନ ବିଷ୍ଣୁ ତ ସହଜେ ଅତ୍ୟନ୍ତ ଦୟାଳୁ । ତେଣୁ ବିଷ୍ଣୁ ଅତି ଆଦରରେ ସେ ପକ୍ଷୀଟିକୁ ଆଉଁସି ଦେଲେ । ବର ପ୍ରଦାନ କରି ତାକୁ କହିଲେ, “ତୁ ମହର୍ଷି ବ୍ୟାସଦେବଙ୍କ ପୁତ୍ର ହୋଇ ଜନ୍ମଗ୍ରହଣ କରିବୁ । ତୁ ହେବୁ ମହାଜ୍ଞାନୀ । ତୋରି ଜରିଆରେ ମୋର ଯଶଃ ଏ ଜଗତରେ ପ୍ରଚାରିତ ହେବ । ଆଜିଠାରୁ ଶୁକପକ୍ଷୀ ଜାତିରେ ଯେଉଁମାନେ ଜନ୍ମଗ୍ରହଣ କରିବେ, ସେମାନେ ସକାଳୁ ଉଠି ରାମକୃଷ୍ଣ ନାମ ଜପ କରିବେ । ଏହି ନାମ ଶୁଣି ଲୋକମାନେ ବି ଏ ପାପସଂସାରରୁ ଉଦ୍ଧାର ପାଇବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ