ଏକଦା ରାଜା ଶିକାର କରିବାକୁ ବାହାରିଲେ । ସାଙ୍ଗରେ ଗଲେ ସେନାପତି ଓ କେତେଜଣ ସୈନ୍ୟ । ଜଙ୍ଗଲ ଟିକେ ଦୂରରେ ଥିଲା । ଭାରି ଶୋଷ ଲାଗିଲା ରାଜାଙ୍କୁ । ବାଟରେ ଥିଲା ଅନ୍ଧ ସୁରଦାସଙ୍କ କୁଡିଆ । କୁଡିଆ ବାହାରେ ଥିଲା ପାଣି ମାଠିଆ । ପାଣି ମାଠିଆ ନିକଟରେ ସୁରଦାସ ବସିଥିଲେ । ରାଜା ଜଣେ ସୈନ୍ୟଙ୍କୁ ଆଦେଶ ଦେଲେ – “ଯାଅ, ସେଠାରୁ ପାଣି ମୁନ୍ଦିଏ ମାଗିଆଣ ।”
ସୈନ୍ୟ ସୁରଦାସଙ୍କ ନିକଟକୁ ଯାଇ କହିଲା – ‘ହେ ଅନ୍ଧ ! ପାଣି ଦେଲୁ !’ ସୁରଦାସ କହିଲେ – ‘ତୁ ଏଠାରୁ ଚାଲିଯା । ତତେ ପାଣି ମିଳିବ ନାହିଁ ।’
ସୈନ୍ୟ ଖାଲି ହାତରେ ଫେରିଆସିବା ଦେଖି ସେନାପତି ଗଲେ ସୁରଦାସଙ୍କ ନିକଟକୁ । ସେ ମଧ୍ୟ ସେହିପରି ଅହଂଭରା ଆଚରଣ ପ୍ରଦର୍ଶନ କରି ପାଣି ମାଗିଲେ । ସୁରଦାସ ବି ପାଣି ନଦେଇ ସେନାପତିଙ୍କୁ ଫେରାଇ ଦେଲେ ।
ଶେଷରେ ରାଜା ନିଜେ ଗଲେ ସୁରଦାସଙ୍କ ନିକଟକୁ । କହିଲେ – “ବାବା ! ଭାରି ଶୋଷ ଲାଗୁଛି । ମୁନ୍ଦିଏ ପାଣି ଯଦି ମିଳନ୍ତା…”
ରାଜାଙ୍କ କଥା ଶେଷ ହେବା ପୂର୍ବରୁ ସୁରଦାସ କହିଲେ – ‘ରାଜନ୍ ! ଆପଣ ଏ ମାଠିଆରୁ ମନଭରି ପାଣି ପିଅନ୍ତୁ । ଆଉ ଯଦି କୌଣସି ଜିନିଷ ଆବଶ୍ୟକ ତେବେ କୁହନ୍ତୁ ।’ ରାଜା ପାଣି ପିଇ ସାରି ପଚାରିଲେ – ‘ବାବା’ ! ‘ଆପଣ ତ ଦେଖି ପାରୁ ନାହାଁନ୍ତି । ତଥାପି ରାଜାଙ୍କୁ କିପରି ଚିହ୍ନିପାରିଲେ?’ ସୁରଦାସ କହିଲେ – ‘ରାଜନ୍ ! କଥାରୁ ଓ ଆଚରଣରୁ ବ୍ୟକ୍ତିର ଶ୍ରେଷ୍ଠତା ସମ୍ପର୍କରେ ଜଣାପଡିଯାଏ ।’