ଭରତ ନାମକ ଜଣେ ବଡ ଭଲ ମଣିଷ ଥିଲା । ସେ ବରାବର ପାଖ ପଡୋଶୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କୁ ସାହାଯ୍ୟ କରି ଆନନ୍ଦ ପାଉଥାଏ । ସେମାନେ କିନ୍ତୁ ତା’ପ୍ରତି କେବେବି ଭଲ ବ୍ୟବହାର କରନ୍ତି ନାହିଁ; ସେହି କାରଣରୁ ତା’ମନ ବଡ ବ୍ୟାକୁଳ ହୋଇଉଠେ ।
ଭରତର ସ୍ତ୍ରୀ ରାଣୀ ବଡ ଭଲ ସ୍ୱଭାବର ଝିଅ ଥିଲା । ଭରତର ଏପରି ଦୁଃଖ ସହି ନପାରି ଦିନେ ସେ କହିଲା, “ତୁମେ ଅନ୍ୟକୁ ସାହାଯ୍ୟ କରି ଯେଉଁ ଆନନ୍ଦ ପାଉଛ ତାହାଠାରୁ ଅଧିକ ମାତ୍ରାରେ ଚିନ୍ତା ତୁମକୁ ଖାଇଲା । ପ୍ରଥମେ ନିଜ କଥା ଭାବ, ନିଜର ଜୀବନ କଥା ଇତ୍ୟାଦି ବିଷୟରେ ଚିନ୍ତାକର, ଅନ୍ୟମାନଙ୍କ ବିଷୟରେ ଭାବିବା ତମେ ଏଥର ଛାଡିଦିଅ ।”
ସ୍ତ୍ରୀଠାରୁ ବରାବର ଏକଥା ଶୁଣିବା ପରେ ଶେଷରେ ସେ ସ୍ଥିର କଲା ଯେ ଏଣିକି ଆଉ ସେ କାହା ବିଷୟରେ ହେଲେ କିଛିବି ଭାବିବ ନାହିଁ ବା କାହାକୁ ସାହାଯ୍ୟ ମଧ୍ୟ କରିବ ନାହିଁ । ଭରତ ଘରର ସମ୍ମୁଖ ଘରେ ଶିବ ରହୁଥିଲା । ସେ ତା’ ଘର ବିକ୍ରି କରିଦେଇ ସହରରେ ବସବାସ କରିବାର ମନସ୍ଥ କରି ଘର ବିକ୍ରି ଦାୟିତ୍ୱ ଭରତକୁ ଦେଲା ।
ସେତେବେଳେ ଭରତ ତାକୁ କହିଲା, “ମୁଁ ଯାହାକୁ ବି ସାହାଯ୍ୟ କରିଛି ତା’ ସହିତ ପରେ ମୋର ନିଶ୍ଚୟ ମନୋମାଳିନ୍ୟ ହୋଇଛି । ତୁମେ ଗ୍ରାମ ଛାଡି ଚାଲିଯାଉଛ । ତୁମ ମୋ ମଧ୍ୟରେ ସେପରି କିଛି ହେଉ ବୋଲି ମୁଁ ଆଦୌ ଚାହେଁନାହିଁ । ତେଣୁ ଏହି ଦାୟିତ୍ୱ ତୁମେ ଆଉ କାହାକୁ ଦିଅ ।”
ଶିବ ଏଥିରେ ହସି ହସି କହିଲା, “ଠିକ୍ ଅଛି । ମୁଁ ତାହା ବନ୍ଦ କରି ଦେଇ ଯାଉଛି । ମୁଁ ଜାଣେ ତୁମେ କେତେ ଭଲ ଲୋକ । ତେଣୁ ଏଥିରେ ଖରାପ ଭାବିବାର ପ୍ରଶ୍ନ ଉଠୁଛି ବା କୁଆଡୁ? ଯଦି କେହି ଘର କିଣିବାକୁ ଆସେ ତ ତାକୁ ମୋର ଠିକଣା ଦେଇଦେବ ଓ ଚିଠିଟିଏ ଦେବ । ମୁଁ ନିଜେ ଆସି ତାହା ବିକ୍ରି କରିବି । କିନ୍ତୁ ତୁମଠାରୁ ପତ୍ର ଆଣିଥିବା ବ୍ୟକ୍ତିକୁ କେବଳ ମୁଁ ଜମିଘର ବିକ୍ରି କରିବି ।” ଏତିକି କହି ସେ ସେଠାରୁ ଚାଲିଗଲା ।
ଭରତର ଶ୍ୟାଳକ ଭୀମ ନିଜର ଗ୍ରାମ ଛାଡି ଏହି ଗ୍ରାମରେ ଆସି ବସବାସ କରିବାର ଇଚ୍ଛା ପ୍ରକାଶ କଲା । ତେଣୁ ସେ ଶିବର ଘରକୁ କିଣିବା ପାଇଁ ଇଚ୍ଛା ପ୍ରକାଶ କଲା । ଭରତ କିନ୍ତୁ ଭୀମକୁ ପତ୍ର ଲେଖି ଦେଲା ନାହିଁ । କାରଣ ସେ ଭାବିଲା ସେ ନିଜ ଲୋକଙ୍କ ପାଇଁ ଲେଖିଲେ ଶିବ ହୁଏତ ତାକୁ ଭୁଲ୍ ବୁଝିବ ।
ଭୀମ କହିଲା, “ଦେଖ ଭାଇ, ଏପରି ସୁନ୍ଦର ଘର ମୋତେ ଏହି ଗ୍ରାମରେ ଆଉ ମିଳିବ ନାହିଁ । ମୁଁ ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ହାତରୁ ଛାଡିପାରୁ ନାହିଁ । ମୁଁ ପୁଣି ଏଠାରେ ରହିଲେ ଆମେ ପାଖାପାଖି ହୋଇ ରହି ପାରନ୍ତେ । ତୁମେ ପତ୍ର ଲେଖି ଦିଅ, ତେବେ ମୁଁ ସହର ଯାଇ ତାଙ୍କଠାରୁ ଜାଗାଜମି କିଣି ଦିଅନ୍ତି । ବାସ୍, ଏତିକିଟା ସହାୟତା ତୁମେ କ’ଣ ମୋର କରିପାରିବ ନାହିଁ?”
ଭରତ ପତ୍ର ଲେଖିବା ପାଇଁ ଅସମ୍ମତ ହୋଇ କହିଲା, “ତୁମେ ମୋର ସ୍ତ୍ରୀର ନିଜ ଭାଇ । ମୋ ଘର ଏତେ ବଡ ଯେ ଚାରିଜଣ ପରିବାର ମଧ୍ୟ ଏକ ସହିତ ସେଠାରେ ରହି ପାରିବେ । ତୁମେ ଅଲଗା ଜାଗା କିଣିବାର ଆବଶ୍ୟକତା କ’ଣ? ମୁଁ କ’ଣ ତୁମକୁ ଏଠି ଅଲଗା ରହିବାକୁ ଦେବି? ଏବେ ଆସିଯାଅ ମୋ ଘରେ ମୋ ସହିତ ରୁହ ।”