ବାରାଣସୀ ସହରରେ ‘ଏକାଗ୍ରତ’ ନାମକ ଏକ ବ୍ୟକ୍ତି ବାସ କରୁଥିଲା । ପ୍ରତିଦିନ ଗଂଗାନଦୀର ଜଳ ମାଟିରେ ଭରି ସେ ଲୋକମାନଙ୍କ ଘରେ ଦିଏ । ସେଥିରୁ ଯାହା ପାଏ ତା’ର ଗୁଜୁରାଣ ମେଂଟାଏ । ଦରିଦ୍ର ହେଲେ କ’ଣ ହେଲା ସେ କେବେ ସେଥିପାଇଁ ମନ କଷ୍ଟ କରେ ନାହିଁ । ସବୁ ସମୟରେ ଖୁସି ଥାଏ । ସମସ୍ତଙ୍କର ସେବା କରିବାକୁ ନିଜର ଧର୍ମ ବୋଲି ଭାବୁଥାଏ । ରାଜାଙ୍କର ମହଲରେ ମଧ୍ୟ ଏକାଗ୍ରତ ଯେତେବେଳେ ପାଣିର ଦରକାର ଥାଏ, ନେଇ ଦେଇ ଆସେ ।
ଦିନକର କଥା । ଏକାଗ୍ରତ ପାଣି ମାଠିଆ ଧରି ନଦୀ ଘାଟରୁ ଉପରକୁ ଉଠୁଥାଏ, ହଠାତ୍ ସେ ଦେଖିଲା ଗୋଟିଏ ଚାନ୍ଦିରୂପାର ଟଙ୍କା ରାସ୍ତା ଉପରେ ପଡିଛି । ଚାନ୍ଦି ରୂପାର ଟଙ୍କା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । କାହିଁକି ନା ସେ ତା’ ଜୀବନରେ ଆଜି ପର୍ଯ୍ୟନ୍ତ କେବେ ଏଭଳି ଟଙ୍କା ଦେଖିନଥିଲା । ସେ ତ’ ଏତେ ଗରୀବ ଥିଲା ଯେ ରହିବାକୁ ତା’ର ଭଲ ଘରଟିଏ ନଥିଲା, କି ପିନ୍ଧିବାକୁ ଭଲ ଧୋତି ଖଣ୍ଡେ ମଧ୍ୟ ନଥିଲା । ଖାଇବା କଥା ଛାଡ, ଓଳିଏ ଖାଇଲେ ଓଳିଏ ଓପାସ । ସେ ପୁଣି ତା’ ଜୀବନରେ ରୂପା ଟଙ୍କା ପାଇବ । ଏହିପରି କଥା ଭାବି ସେ ପାଣି ମାଠିଆକୁ କାନ୍ଧ ଉପରୁ ତଳେ ରଖିଲା । ପଇସାଟିକୁ ଗୋଟାଇ ଆଣି ଦେଖିଲା । ମନେ ମନେ ଭାବିଲା ଏ ଚାନ୍ଦି ଟଙ୍କାଟିକୁ ନେଇ ରଖିବି କେଉଁଠି? ହଠାତ୍ ତା’ ମନକୁ ଏକ ଉପାୟ ଆସିଲା । ସେ ମନେ ମନେ ଠିକ୍ କଲା ରାଜ ମହଲର ଉତ୍ତର ରେ ଯେଉଁ ପୁରୁଣା ଦୁର୍ଗ ଅଛି ତାହାର ପାଚେରୀ ତ’ ଭାଙ୍ଗୀ ରୁଜି ଗଲାଣି । ସେହି ଇଟା ଫାଙ୍କରେ ଏହାକୁ ରଖିଲେ ଏହା ସୁରକ୍ଷିତ ରହିବ । ସଂଗେ ସଂଗେ ସେ ଦୂର୍ଗ ଆଡକୁ ଚାଲିଲା । ସେଠାରେ ପହଁଚିବା ପରେ ଗୋଟାଏ ଇଟା ଫାଙ୍କରେ ଟଙ୍କାଟିକୁ ରଖିଲା । ଏହାପରେ ତଳୁ ଗଣି ଆସିଲା । କେତୋଟି ଇଟା ଥାକ ପରେ ତାର ଗୁପ୍ତଧନ ଅଛି । ତାକୁ ଠିକ୍ ଦଶଟି ଥାକ ପରେ ସେ ରଖିଥିଲା ।