ଅନେକ ପୂର୍ବ କାଳର କଥା । ଚୀନ୍ର ଗୋଟିଏ ଗାଁରେ ବାଙ୍ଗ୍ ନାମକ ଗରୀବ ଚାଷୀଟିଏ ରହୁଥାଏ । ତା’ର ଆଉ ଏ ଦୁନିଆରେ ନିଜର ବୋଲି କେହିବି ନଥାଏ, ଉତ୍ତରାଧିକାରୀ ଭାବରେ ସେ ତା’ ବାପର ମାତ୍ର ଦେଢ ଏକର ଜମି ପାଇଥାଏ । ସେହି ଜମିରେ ସେ ଅନେକ ଫଳ ଚାଷ କରେ । ନିଜେ ଖାଏ ଓ ବଳକା ଫଳ ବିକି ପଇସା ଜମା କରିଥାଏ ।
ତା’ ଜମିକୁ ଲାଗି କିଛି ଅନାବାଦୀ ଜମି ପଡିଆ ପଡିଥାଏ । ଇତିମଧ୍ୟରେ ସେ ଜଣେ ଭଲ ଚାଷୀ ଭାବରେ ପ୍ରମାଣିତ ହେଲାଣି । ତା’ର ମନହେଲା ଯଦି ଅନବାଦୀ ଜମିଟି ସେ କିଣି ପାରନ୍ତା ତେବେ ତା’ର ଫଳ ବ୍ୟବସାୟ ବହୁତ ବଢିଯା’ନ୍ତା ।
ଜମିଟି ସେହି ଗାଁର କୌଣସି ବ୍ୟବସାୟୀର ଥିଲା । ସେ ବ୍ୟବସାୟୀ ଜଣକ ଖୁବ୍ ଧନୀ ଥିଲା । ଲୋକମାନଙ୍କୁ ସୁଧରେ ଟଙ୍କା କରଜ ଦେଇ ସେ ବଡ ଲୋକ ହୋଇ ଯାଇଥିଲା । କାହାକୁ କରଜ ଦେବାବେଳେ ତା’ଠାରୁ ସେ ଏହି ଜମିଟି ବନ୍ଧକ ଭାବରେ ରଖିଥିଲା ।
ଦିନେ ବାଙ୍ଗ୍ ତା’ ପାଖକୁ ଯାଇ ଜମି କିଣିବାର ଇଚ୍ଛା ପ୍ରକାଶ କଲା । ଅନାବାଦୀ ଜମି ପ୍ରତି ବାଙ୍ଗ୍ର ଏତେ ଆଗ୍ରହ ଦେଖି ସେ ବହୁତ ଦାମ୍ କହିଲା । ମାତ୍ର ସେତେବେଳେ ବାଙ୍ଗ୍ର ଏତେ ଧନ ନଥିଲା । ତେଣୁ ସେ ଅଧା ଦାମ୍ ଦେଇପାରିଲା । କିନ୍ତୁ ଜମି ଶୀଘ୍ର କିଣିଲେ ସେ ଫସଲ କରିବ । ତେଣୁ ବାଧ୍ୟ ହୋଇ ସେ ଋଣପତ୍ର ଲେଖିଦେଲା ଓ ସେହି ଜମିକୁ ତା’ ନାମରେ ଲେଖିଦେବାକୁ ସେ କହିଲା । ବ୍ୟବସାୟୀ କହିଲା ସେ ଯେବେ ସମୁଦାୟ ଟଙ୍କା ଦେବ ସେବେ ଯାଇ ଜମିର ମାଲିକାନା ସତ୍ୱ ତା’ ନାମରେ ଲେଖା ହେବ । ଜମି ପାଇବାର ଆନନ୍ଦରେ ବାଙ୍ଗ୍ ନାଚି ନାଚି ଘରକୁ ଫେରିଲା ।
କିଛିଦିନ ପରେ; ଦିନେ ବ୍ୟବସାୟୀ କୌତୁହଳୀ ହୋଇ ବାଙ୍ଗ୍ର ଜମି ଦେଖିବାକୁ ଗଲା; କ’ଣ କିମିତି ଫସଲ କରିଛି ତାହା ଦେଖିବାକୁ । ସେହି ସମୟରେ ତ ବାଙ୍ଗ୍ ସେଠାରେ ହଳ କରୁଥିଲା । ହଳ କରୁ କରୁ ହଳର ଅଗ୍ରଭାଗ କୌଣସି ଜିନିଷରେ ଯାଇ ବାଜିଲା । ବାଙ୍ଗ୍ ହଳ ବନ୍ଦ କରି କୋଦାଳ ନେଇ ସେହି ସ୍ଥାନକୁ ଖୋଳିଲା । ବ୍ୟବସାୟୀ ସେଠାରେ ପହଁଚି ବାଙ୍ଗ୍ର କାର୍ଯ୍ୟକର୍ମ ସବୁ ନିରୀକ୍ଷଣ କରୁଥାଏ । ବାଙ୍ଗ୍ ଟିକିଏ ମଧ୍ୟ ଉତ୍ତେଜିତ ନ ହୋଇ ମାଟି ଭିତରୁ ହାତ ପୁରାଇ ଦୁଇଟି ସୁନାର କଳସ ଆଣିଲା । ସେତେବେଳେ ଚୀନା ଲୋକଙ୍କର ବିଶ୍ୱାସ ଥିଲା ଯେ ଭାଗ୍ୟଦେବୀ ଯାହା ଉପରେ ପ୍ରସନ୍ନ ହେବେ ସେ ସୁନାର କଳସ ପାଇବ । ଏକଥା ବାଙ୍ଗ୍ ଜାଣି ନଥିଲା କିନ୍ତୁ ସେ ବ୍ୟବସାୟୀ ଜଣକ ଏ ବିଷୟରେ ବେଶ୍ ଭଲଭାବେ ଜାଣିଥିଲା । ତେଣୁ ସେ କଳସ ଦୁଇଟିକୁ ନେବ ବୋଲି କହିଲା । ମାତ୍ର ସେ ବାଙ୍ଗ୍ ଛାଡିଲା ନାହିଁ । ତା’ପରେ ସେ ଦୁହେଁ ବିଚାରାଳୟକୁ ଗଲେ ।
ବାଙ୍ଗ୍ ବିଚାରପତିଙ୍କୁ କହିଲା କି ସେ ସେହି ଅନାବାଦୀ ଜମି ବ୍ୟବସାୟୀଠାରୁ କିଣି ଚାଷ କରିବା ସମୟରେ କଳସ ଦୁଇଟି ପାଇଛି, ତେଣୁ ତାହା ତା’ର ।
କିନ୍ତୁ ବ୍ୟବସାୟୀ କହିଲା, “ମହାଶୟ, ଏ ବ୍ୟକ୍ତି ମହା ଠକ । ବାସ୍ତବରେ ଏ ଅନାବାଦୀ ଭୂମି ମୋରହିଁ । ତାହା ତ ମୁଁ କାହାକୁ ହେଲେବି ବିକିନାହିଁ । ମୁଁ ନିଜେହିଁ ଏ ବର୍ଷ ଏ ଜମିକୁ ଆବାଦ୍ କରିବାକୁ ଚାହିଁଥିଲି । ସେଥିପାଇଁ ହଳ କରିବାକୁ ମୁଁ ବାଙ୍ଗ୍କୁ କହିଥିଲି । ଭାଗ୍ୟ ଦେବତା ସୁବର୍ଣ୍ଣକଳସ ରୂପରେ ମୋ ଘରକୁ ଆସୁଛନ୍ତି । ବାଙ୍ଗ୍ ଅତିମାତ୍ରାରେ ମିଥ୍ୟା ଓ ଲୋଭର ବଶବର୍ତ୍ତୀ ହୋଇ ଏପରି ମିଛ କହୁଛି । ତା’ର ଏ ଜମି ଉପରେ କୌଣସି ଅଧିକାର ନାହିଁ ।”