ଦେବଗିରିରେ ଜଣେ ଗୃହସ୍ଥଙ୍କର ଦୁଇପୁତ୍ର ଥିଲେ । ବଡ ପୁଅ ବାପାଙ୍କ ନିର୍ଦ୍ଧେଶରେ ଜମିବାଡି ଦେଖାଶୁଣା କରିବାରେ ଖୁବ୍ ମନ ଦେଇଥାଏ । କିନ୍ତୁ ସାନ ଭାଇ ସୋମଦେବର ପାଠ ପଢିବାକୁ ତୀବ୍ର ଇଚ୍ଛା । ବାପା ଓ ବଡ ଭାଇ କହିଲେ କି ସେ ପାଠ ପଢୁ, କିନ୍ତୁ ଦେବଗିରିରେ ରହି ପଢୁ । କିନ୍ତୁ ସୋମଦେବର ଏକା ଜିଦି ସେ ଭୁବନେଶ୍ୱରରେ ଥିବା ବିଖ୍ୟାତ ପଣ୍ଡିତ ପଦ୍ମନାଭ ମିଶ୍ରଙ୍କ ଶିଷ୍ୟତ୍ୱ ଗ୍ରହଣ କରିବ ।
କାଳେ ଏଥିରେ ଘରେ କେହି ବାଧା ଦେବେ, କେବଳ ସେଇଥିପାଇଁ ସେ ଦିନେ କାହାକୁ କିଛି ନକହି ଭୁବନେଶ୍ୱର ଅଭିମୁଖେ ବାହାରି ପଡିଲା । ସେ ପୁଣି ବେଶ୍ ଅଭିମାନୀ ପିଲା । କାହାକୁ କିଛି ଖାଇବାକୁ ମାଗେ ନାହିଁ । ଫଳରେ ତୃତୀୟ ଦିନ ସେ ଗୋଟିଏ ଗାଁ ଭିତର ଦେଇ ଯାଉ ଯାଉ ଚେତା ହରାଇ ପଡିଗଲା । ପାଖ ଘର ଭିତରୁ ଜଣେ ବୃଦ୍ଧ ଆସି ତା’ ମୁହଁରେ ପାଣି ଦେଲେ ଓ ସେ ପ୍ରକୃତିସ୍ଥ ହେବା ଉତାରୁ ତାକୁ ନିଜ ଘର ଭିତରକୁ ସେ ନେଇଗଲେ ଓ ତାକୁ କିଛି ଖାଇବାକୁ ପିଇବାକୁ ମଧ୍ୟ ଦେଲେ ।
ପଣ୍ଡିତ ପଦ୍ମନାଭଙ୍କ ପାଖରେ ପଢିବା ନିମନ୍ତେ ସେ ଭୁବନେଶ୍ୱର ଯାଉଛି ବୋଲି ଶୁଣି ସେହି ବୃଦ୍ଧ ଜଣକ କହିଲେ, “କିନ୍ତୁ ପଣ୍ଡିତ ପଦ୍ମନାଭ ତ ଭୁବନେଶ୍ୱରରେ ଆଉ ନାହାଁନ୍ତି! ସେ ତାଙ୍କ ବିଦ୍ୟାଳୟର ଦାଇତ୍ତ୍ଵ ଅନ୍ୟମାନଙ୍କୁ ଦେଇ ନିଜ ଗାଁରେ କାଳ କାଟୁଛନ୍ତି ।”
ଏକଥା ଶୁଣି ସୋମଦେବ ପ୍ରାୟ କାନ୍ଦି ପକାଇଲା ।
ସେ କହିଲା “ମୁଁ ତେବେ କାହିଁକି ଆଉ ଜୀବନଧାରଣ କରି ରହିବି? ତେଣେ ଘରେ ବାପା ମାଆଙ୍କ ମନରେ ବହୁତ ଉତ୍କଣ୍ଠା ସୃଷ୍ଟି କରି ପଳାଇ ଆସିଲି । ଦେଖିବା ବେଳକୁ ପଣ୍ଡିତ ପଦ୍ମନାଭଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାର ଯୋଗ ମୋ ଭାଗ୍ୟରେ ନାହିଁ । ମୁଁ ଏବେ କୁଆଡେ ଯିବି? ବରଂ ମୁଁ ସେମିତି ରାସ୍ତାରେ ପଡି ମରି ଯାଇଥାନ୍ତି । ହେ ମହାଭାଗ! ଆପଣ ଆଉ କାହିଁକି ମୋତେ ପ୍ରାଣଦାନ ଦେଲେ?”
ବୃଦ୍ଧ ସେଉଠୁ ହସି ନିଜ ପରିଚୟ ଦେଲେ । ସେ ହେଲେ ଖୋଦ୍ ପଣ୍ଡିତ ପଦ୍ମନାଭ । ସୋମଦେବର ଏଭଳି ଆଗ୍ରହରେ ସେ ଏଡେ ମୁଗ୍ଧ ହୋଇଥାନ୍ତି ଯେ ସେ ତାକୁ ନିଜ ଘରେ ରଖି ଶିକ୍ଷା ଦେବାକୁ ରାଜି ହେଲେ ।
ଏଣେ ସୋମଦେବର ଆନନ୍ଦ କହିଲେ ନ ସରେ । ତା’ପରେ ସେ ଗଭୀର ମନ ଧ୍ୟାନ ଦେଇ ପଢିଲା ଓ ଦୀର୍ଘ ପାଞ୍ଚବର୍ଷର ବିଦ୍ୟା ମାତ୍ର ତିନିବର୍ଷରେ ଆୟତ୍ତ କଲା ।