ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୁବନ ସୁନ୍ଦରୀ

ରାଜା ବର୍ଦ୍ଧନ ଫ୍ରିଜିୟା ଦେଶର ଟ୍ରୟ ନଗରୀରେ ଥା’ନ୍ତି । ତାଙ୍କ ରାଣୀଙ୍କର ପିଲାପିଲି ହେବାର ଥାଏ । ସେ ଦିନେ ସ୍ୱପ୍ନ ଦେଖିଲେ ତାଙ୍କ ପେଟରୁ ଏକ ଉଲ୍କା ଜନ୍ମ ହେଲା ଓ ତାହା ସାରା ଟ୍ରୟ ନଗରୀକୁ ଜାଳିପୋଡି ଭସ୍ମସାତ କରିଦେଲା । ସେ ଚିତ୍କାର କରି ନିଦରୁ ଉଠି ପଡିଲେ ଓ ରାଜାଙ୍କୁ ନିଜ ସ୍ୱପ୍ନ ବିଷୟରେ କହିଲେ ।

      ବର୍ଦ୍ଧନଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ ହେଉଛି ଭବିଷ୍ୟତ ବକ୍ତା । ରାଜା ତାକୁ ପଚାରିଲେ ଏହି ସ୍ୱପ୍ନର ଅର୍ଥ କ’ଣ ହୋଇପାରେ । ତା’ପରେ ଦରବାରରେ ଥିବା ବଡ ବଡ ଜ୍ୟୋତିଷଙ୍କୁ ମଧ୍ୟ ସ୍ୱପ୍ନର ଅର୍ଥ ବିଷୟରେ ରାଜା ପ୍ରଶ୍ନ ପଚାରିଲେ । ସେମାନେ କହିଲେ ଯେ ଜନ୍ମହେବାକୁ ଯାଉଥିବା ପିଲା ଯୋଗୁଁ ଟ୍ରୟ ନଗରୀ ଧ୍ୱଂସ ହେବ । ତେଣୁ ଉତ୍ତମ ହେବ, ଜନ୍ମ ହେବା ମାତ୍ରେ ତାକୁ ମାରି ଦିଆଯାଉ ।

      ଦିନେ ସଂଧ୍ୟା ପରେ ରାଣୀ ପିଲାଟିଏ ଜନ୍ମ ଦେଲେ । ରାଜା ସେହି ପିଲାଟିକୁ ନେଇ ତାଙ୍କ ମେଷପାଳକ ହାତରେ ଦେଇ କହିଲେ, “ଏହାକୁ ପର୍ବତ ଉପରୁ ଫିଙ୍ଗି ଦେବ ।” ଏହାପରେ ସେ ସେହି ପିଲାକୁ ନେଇଗଲା ।

      କିନ୍ତୁ ଏତେ ସୁନ୍ଦର ଛୁଆକୁ ମାରି ଦେବାକୁ ତା’ର ଇଚ୍ଛା ହେଲା ନାହିଁ । ରାଜାଙ୍କ ଆଜ୍ଞା ପାଳନ କରିବାକୁ ତ ହେବ । ତେଣୁ ସେହି ପର୍ବତ ଉପରେ ସେ ଛୁଆକୁ ଶୁଆଇ ଦେଇ ଚାଲି ଆସିଲା । କିନ୍ତୁ ଯାହାକୁ ଭଗବାନ ରକ୍ଷା କରିବେ ତାକୁ କିଏ ବା’ ମାରି ପାରିବ? କେଉଁଠୁ ଭାଲୁଟିଏ ଆସି ତାକୁ ଦୁଧ ଖୁଆଇ ପାଳିଲା ।

      ପାଞ୍ଚଦିନ ପରେ ମେଷପାଳକ ଯାଇ ଦେଖିଲା ଯେ ସେହି ପିଲାଟିକୁ ଭାଲୁ ପାଳୁଛି, ପିଲାଟି ସମ୍ପୂର୍ଣ୍ଣ ସୁରକ୍ଷିତ । ସେ ବୁଝିଲା ଏହା ଭଗବାନଙ୍କର ମାୟା । ତେଣୁ ଭାଲୁ ବଣକୁ ଯିବାବେଳେ ସେ ସେହି ଛୁଆଟିକୁ ଧରି ନିଜ ଘରକୁ ଚାଲି ଆସିଲା । ଛୁଆଟି ଅତି ସୁନ୍ଦର ଥିଲା, ତେଣୁ ସେ ତା’ର ନାମ ମୋହନ ରଖିଲା ।

      ମୋହନ କ୍ରମେ ବଡ ହେଲା । ପିଲାଦିନରୁହିଁ ସେ ସୁନ୍ଦର, ଗୁଣବାନ୍ ଓ ବଳବାନ୍ ଥିଲା । ଥରେ ବାଳକ ଅବସ୍ଥାରେ ତାଙ୍କ ପଶୁ ଚୋରି କରୁଥିବା ଏକ ବଡ ଚୋର ଦଳକୁ ଧରି ଜବତ କରି ପଶୁମାନଙ୍କୁ ସେ ଉଦ୍ଧାର କଲା । ବଳଦମାନଙ୍କର ଲଢାଇ ସେ କରାଉଥାଏ । ପ୍ରାୟତଃ ତା’ରି ବଳଦ ଜିତେ । ତେବେ ସେତେବେଳେ ଯିଏ ଜିତେ ତା’ର ସିଂଘରେ ଫୁଲମାଳ ବନ୍ଧା ହୁଏ । ସେ ଜଣେ ସାଧାରଣ ମେଷ ପାଳକ ହୋଇଥିଲେ ମଧ୍ୟ ତା’ର ପାଳକ ପିତା ଜାଣୁଥିଲା ଯେ ସେ ଜଣେ ଯୋଗଜନ୍ମା । ଦିନକୁ ଦିନ ତା’ର ରୂପ, ଗୁଣ, ବିକଶିତ ହେଲା । ସ୍ୱର୍ଗରେ ଦେବତାମାନେ ମଧ୍ୟ ମୋହନ ବିଷୟରେ ଆଲୋଚନା କରନ୍ତି । ହୁଏତ ଦେବତାମାନଙ୍କର କୌଣସି ଇଚ୍ଛାକୁ ଫଳବତୀ କରିବାକୁ ତା’ର ଜନ୍ମ । ମୋହନ ତା’ର ଦୈନନ୍ଦିନ କାମ କରି ବଡ ଆନନ୍ଦରେ ଥାଏ । ସେ ସାରା ଗ୍ରାମର ନୟନ ପିତୁଳା ଥିଲା । ସମସ୍ତିଙ୍କର ସେ ଆଦରର ପାତ୍ର । ସମସ୍ତେ ତାକୁ ନିଜର ପୁଅ ପରି ଖୁବ୍ ଭଲ ପାଆନ୍ତି ।

ଏଡା ପର୍ବତ ଉପରେ ମୋହନ ଯେତେବେଳେ ମେଣ୍ଢା ଚରାଉଥାଏ, ସେତେବେଳେ ଦେବଲୋକରେ ଏକ ବିଚିତ୍ର ଘଟଣା ଘଟିଲା । ସେଠାରେ ଗୋଟିଏ ବିବାହ ଉତ୍ସବ ହେଉଥିଲା । କଳହପ୍ରିୟ ନାମକ ଜଣେ ଦେବତା ସେଠାରେ ସୁବର୍ଣ୍ଣର ଫଳଟିଏ ପକାଇ ଦେଲେ । ସେଥିରେ ଲେଖାଥିଲା, “ଯିଏ ସର୍ବଶ୍ରେଷ୍ଠ ସୁନ୍ଦରୀ କେବଳ ସେହିଁ ଏହି ଫଳର ଅଧିକାରୀ ।” ସେହି ଉତ୍ସବରେ ତିନିଜଣ କିନ୍ନରୀ ଅତି ସୁନ୍ଦରୀ ଥିଲେ; ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ ସେକଥା ଜାଣିବା ବଡ କଷ୍ଟ । ସେମାନେ ଥିଲେ ଭୂକନ୍ୟା, ବୁଦ୍ଧିମତି ଓ କାମିନୀ । ସେଠାରେ ଉପସ୍ଥିତ ଥିବା ଦେବତାମାନେ କିଛି ହେଲେବି ନିର୍ଣ୍ଣୟ କରି ପାରିଲେ ନାହିଁ । ତେଣୁ ସେହି ତିନିଜଣଯାକ ଇନ୍ଦ୍ରଙ୍କ ନିକଟକୁ ଯାଇ ତାଙ୍କୁ ପ୍ରଶ୍ନ କଲେ ଯେ ସେମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ସୁନ୍ଦରୀ କିଏ?

ଏଣେ ଇନ୍ଦ୍ର ମହା ଅଡୁଆରେ ପଡିଲେ । ଇନ୍ଦ୍ର ଶେଷକୁ କହିଲେ, “ମୁଁ ତ ତୁମ ପ୍ରଶ୍ନର କୌଣସି ସଠିକ୍ ସିଦ୍ଧାନ୍ତରେ ପହଁଚି ପାରୁନାହିଁ କିନ୍ତୁ ଏଡା ପର୍ବତ ଉପରେ ଥିବା ମେଷପାଳକ ମୋହନ ତୁମ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ପାରିବ । ସେ ବହୁତ ଚତୁର ଓ ତା’ର ଦୈବୀ ଶକ୍ତି ଅଛି । ତୁମେମାନେ ସେହିଠାକୁ ଯାଇ ନିଜର ଇଚ୍ଛା ତାକୁ ଜଣାଇବ । ସେ ଚାହିଁଲେ ତୁମ ସମସ୍ୟାର ସମାଧାନ କରିପାରିବ ।”

ତିନିଜଣ କିନ୍ନରୀ ଏଡା ପର୍ବତ ଖୋଜି ଖୋଜି ଯାଇ ମୋହନ ପାଖରେ ପହଁଚି ତାକୁ କହିଲେ, “ମୋହନ, ଆମ ତିନିଜଣଙ୍କ ମଧ୍ୟରେ ଯିଏ ସର୍ବଶ୍ରେଷ୍ଠ ସୁନ୍ଦରୀ, ସେହିଁ ଏହି ଫଳଟି ପାଇବ; ଏକଥା ତୁମେ କହିପାରିବ ବୋଲି ଇନ୍ଦ୍ର ଆମମାନଙ୍କୁ ତୁମ ନିକଟକୁ ପଠାଇଛନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ