ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୁଲିଯିବାର ମନ୍ତ୍ର

କାଶୀନାଥ ଏକ ଧନୀ ଚାଷୀ ଥିଲା । କରଜ ଦେବାରେ ଓ ନିଷ୍ଠୁର ଭାବରେ ସେତକ ଆଦାୟ କରିବାରେ ସେ ଖୁବ୍ ପାରଙ୍ଗମ ଥିଲା । ଦିନେ ସେ ତା’ର ଚାରିବନ୍ଧୁଙ୍କ ସହିତ ଅତି ଆରାମ୍ରେ ବାଡି ହଲେଇ ହଲେଇ ରାସ୍ତାରେ ଯାଉଥିଲା । ସେତେବେଳେ ଜୀବନର ମିଠାଇ ଦୋକାନରୁ ଲଡୁର ବାସନା ଆସିଲା । ସେ ଚାରିବନ୍ଧୁଙ୍କୁ ଧରି ମିଠାଇ ଦୋକାନରେ ପ୍ରବେଶ କରି କହିଲା, “ରେ ଜୀବନ, ତୋ ମିଠାଇର ବାସନା ମୋତେ ଦୂରରୁ ଏଠାକୁ ଟାଣି ଆଣିଲା । ଭାବିଲି, ଯାଏ ଦେଖେ ସ୍ୱାଦଟା କିପରି?”

                ଜୀବନ ବଡ ନମ୍ର ଭାବରେ କହିଲା, “ଖାଇକରି ଦେଖନ୍ତୁ, ନିଜେ ଜାଣିପାରିବେ ଯେ ମିଠାଇର ସ୍ୱାଦ କିପରି?”

                କାଶୀନାଥ ଗୋଟିଏ ପରେ ଗୋଟିଏ ମିଠାଇ ଖାଇଚାଲିଲା ଓ ନିଜ ବନ୍ଧୁମାନଙ୍କୁ ମଧ୍ୟ ଖୁଆଇଲା । ମିଠାଇ ସବୁର ମୂଲ୍ୟ କେତେ ସେଥି ପ୍ରତି ତାର ଆଦୌ ଖିଆଲ ନଥାଏ । ଖାଇବା ପୂର୍ବରୁ ମନେ ମନେ ସେ ଭାବିଥାଏ ଯେ ସବୁଖାଇ ଚାଲିଯିବ ହେଲେ କାଣୀ କଉଡିଟିଏ ସୁଦ୍ଧା ସେ ଦୋକାନୀକୁ ଦେବ ନାହିଁ । ଖାଇସାରିବା ପରେ କାଶୀନାଥ କହିଲା, “ଏ ମିଠାଇ ତ ସେମିତି କିଛି ଅସାଧାରଣ ନୁହେଁ, ତେବେ ବେଶ୍ ଭଲ ।” ତା’ପରେ ଜୀବନକୁ ଚାହିଁ ସେ କହିଲା, “ଛାଡ, ଏବେ କହ ମୋତେ ଏଥିପାଇଁ କେତେ ମୂଲ୍ୟ ଦେବାକୁ ହେବ ।” ଜୀବନ ଖାତାରେ ହିସାବ କରି କହିଲା, “ସମୁଦାୟ ମିଠାଇର ଦାମ୍ ପଚିଶ ଟଙ୍କା ।”

                ଏହାପରେ ସେ କାଶୀନାଥ କିଛି ସମୟ ନିଜ ପକେଟ୍ ଅଣ୍ଡାଳିଲା ଓ କହିଲା, “ଯାଃ ମୋର ସ୍ମରଣ ଶକ୍ତି କାମ କରୁନାହିଁ ନା କ’ଣ? ଦେଖିଲୁ ଜୀବନ କ’ଣ ହେଲା? ପଇସା ଅନ୍ୟ କୁର୍ତ୍ତା ପକେଟ୍ରେ, ଆଉ ମୁଁ ଅନ୍ୟ ଗୋଟିଏ କୁର୍ତ୍ତା ପିନ୍ଧି ଆସିଛି । ସବୁବେଳେ ତ ଏମିତି ମୁଁ ଭୁଲିଯାଉଛି । ଏହା କି ଲଜ୍ଜାର କଥା । ମିଠାଇ ଖାଇଲୁ ଅଥଚ ଟଙ୍କା ଖୋଜା ଚାଲିଛି । ଛାଡ, ଟଙ୍କା ନାହିଁ ବୋଲି କ’ଣ ବା ଏମିତି ମହାଭାରତଟା ଅଶୁଦ୍ଧ ହୋଇଗଲା କି? ଏଇଠି ତ ଆମ ଘର । କାଲି ଦେଇ ଦେବି ନାହିଁ କି? ପୁଣି ବୁଲି ବାହାରିଲେ ମନେ କରିଦେବୁ ତ ତୋ ଟଙ୍କା ମୁଁ ଶୁଝିଦେବି ।”

                ଜୀବନ ତା’ର କୌଶଳ ଠିକ୍ ବୁଝି ପାରିଲା । ବଡ ନମ୍ର ଭାବରେ ସେ କହିଲେ, “ବାବୁ, ମୁଁ ମଧ୍ୟ ଭୁଲାପଣରେ ଠିକ୍ ଆପଣଙ୍କ ପରି । ତେଣୁ ମୁଁ ଏଇ କାନ୍ଥରେ ବଡ ଅକ୍ଷରରେ ଲେଖି ଦେଉଛି । ଆପଣ ବା ମୁଁ ଯିଏ ଏହାକୁ ଦେଖିବ ତା’ର ସଙ୍ଗେ ସଙ୍ଗେ ମନେ ପଡିବ ।” ତା’ପରେ ସେ ଲେଖିବାକୁ ଗଲା । ଏକଥା ଦେଖି କାଶୀନାଥ ଏଥର ବଡ ଅଡୁଆରେ ପଡିଲେ । କହିଲେ, “ଆରେ ଜୀବନ, ଏଡେ ବଡ ଅକ୍ଷରରେ ମୋର ନାମ ଓ ପଇସା ତୁ ଲେଖୁଛୁ? ଯିଏ ତୋ ଦୋକାନକୁ ଆସିବ ଦେଖିବ; ଏସବୁ କି ଲଜ୍ଜାର କଥା ହେବ?”

                ଜୀବନ ଆପଣା ମୁହଁରେ ପଶ୍ଚାତାପ କରିବାର ଭାବ ଦେଖାଇ କହିଲା, “ବାବୁ, ଆପଣ ଠିକ୍ କଥା କହିଲେ, ମୁଁ ତ ଏ କଥା କେବେବି ଭାବି ନଥିଲି ତେବେ ଆପଣ ମୋ ଟଙ୍କାଟା ଦେଇଦେଲେ ମୁଁ ଆପଣଙ୍କ ନାମଟା ଲିଭାଇ ଦେବି ନାହିଁକି? ନହେଲେ ଆପଣ ଆପଣଙ୍କ ରେଶମୀ ଚାଦରଟା ଏଇଠି ଟଙ୍ଗାଇ ଦେଇ ଯାଇଥା’ନ୍ତୁ ଯେ ମୁଁ ଏହାକୁ ଦେଖି ମନେ କରିବି କିମ୍ବା ଆପଣଙ୍କ କାନ୍ଧ ଖାଲି ଲାଗିଲେ ଆପଣ ବି ମନେ କରିବେ । ଅଧୁନା ଆମ ଦୁହିଁଙ୍କ ପାଇଁ ଏହାହିଁ ପ୍ରକୃଷ୍ଟ ପନ୍ଥା ।” କାଶୀନାଥଙ୍କ ଅବସ୍ଥା ଏବେ ବଡ ଅସୁବିଧାଜନକ ହୋଇ ଉଠିଲା । ଯେଉଁ ଭଳି ଭାବରେ କଲେ ମଧ୍ୟ ତାହା ଅତ୍ୟନ୍ତ ଲଜ୍ଜାଜନକ ହେବ । କାଶୀନାଥ ଏଥର ମାନିଗଲେ ଯେ ତାଙ୍କର ଭୁଲା ପଣିଆ ମନ୍ତ୍ର ଜୀବନ ପାଖରେ କୌଣସି କାମ କରିବ ନାହିଁ । ତେଣୁ ସେ ଜୀବନକୁ ସମସ୍ତ ପଇସା ଦେଇ ଦେଇ ସେଠାରୁ ଝଟ୍କରି ବାହାରି ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ