ହରିପୁର ନାମକ ଏକ ଗ୍ରାମରେ ଶିବଶଙ୍କର ଜନ୍ମ ଗ୍ରହଣ କରିଥିଲା । ତା’ର ପଢାପଢି ଶେଷ ହେବା ପରେ ସେ ସହରରେ ଏକ ସରକାରୀ ଚାକିରୀ ପାଇ ସେହିଠାରେ ହିଁ ରହିଲା । ଅନୁରାଧା ସହିତ ତା’ର ବିବାହ ହେଲା; ତାଙ୍କ ଘର ପଡୋଶୀ ଗ୍ରାମରେ ଥିଲା ।
ସହରରେ ଘରଭଡା ନେଇ ସେମାନେ ରହିଲେ । ନୂଆଘର ବାନ୍ଧିବାକୁ ପଡିବ ବୋଲି ଅନୁରାଧା ଗ୍ରାମରୁ ସବୁ ପ୍ରକାର ଜିନିଷ ସାଙ୍ଗରେ ଆଣିଥାଏ । ଶିବ ତାକୁ କହିଲା, “ରାତିରେ ରାନ୍ଧିବାକୁ ପଡିବ ନାହିଁ, କାହିଁକିନା ଜଣେ ସାଙ୍ଗ ଆମ ଦୁଇଜଣଙ୍କୁ ଖାଇବାକୁ ଡାକିଛି, ତେଣୁ ଯାହା ଘର ସଜାଡିବାର କଥା ସଜାଡି ନିଅ । କାଲିର ରନ୍ଧା ରନ୍ଧି ପାଇଁ ଆଜିଠାରୁ ସବୁ ସଜାଡି ରଖ ।”
ଶିବର ଘରେ ତିନିଟି ବଖରା ଥିଲା । ପ୍ରଥମଟି ଅନୁରାଧା ଡ୍ରଇଂରୁମ୍ ପରି ସଜାଇଲା । ଦ୍ୱିତୀୟଟି ଶୋଇବା ଘର । ଆଉ ତୃତୀୟଟି ରୋଷେଇ ଘର । ଏହିପରି ଭାବେ ସେ ଦିନଯାକ କଷ୍ଟ କରି ଘର ସଜାଇଲା । ସଂଧ୍ୟା ବେଳକୁ ସ୍ନାନ କରି ଭଲ ଶାଢୀଟିଏ ପିନ୍ଧି ବସି ସେ ଚାମେଲିର ହାର ଗୁନ୍ଥୁଥାଏ । ଠିକ୍ ସେତିକିବେଳେ ଝରକା ଦେଇ ଘର ଭିତରକୁ ମାଙ୍କଡଟିଏ, ଡେଇଁ ଆସିଲା ଏଥିରେ ଅନୁରାଧା ଚମକି ପଡି ହଠାତ୍ ଚିତ୍କାର କରିବାକୁ ଯାଉଥିଲା । ସଙ୍ଗେ ସଙ୍ଗେ ଦେଖାଗଲା ଯେ ସେ ମାଙ୍କଡ ଭୂତୁଣୀର ରୂପ ନେଇଛି । ଏସବୁ ଘଟଣା ଦେଖି ସେ ଅନୁରାଧା ଭାରି ଆଶ୍ଚର୍ଯ୍ୟ ହେଲା । ଭୂତୁଣୀ ରାଗିଯାଇ କହିଲା, “ଡରୁଛ କାହିଁକି? ମୁଁ ତ ଜଣେ ରାକ୍ଷସୀ ନୁହେଁ । ଶୁଣ, ପଚିଶ ବର୍ଷ ପୂର୍ବରୁ ମୁଁ ମୋର ସବୁ ସମ୍ପତ୍ତି ବିକ୍ରି କରି ଏହି ଘରଟି କିଣିଥିଲି । କିନ୍ତୁ ମୋର ସ୍ୱାମୀ ଜୁଆଖେଳି ଓ ମଦ ଖାଇ ବହୁତ କରଜ କରିପକାଇଲେ ଓ ଋଣ ପରିଶୋଧ କରିବାପାଇଁ ଘରଟି ଶେଷରେ ବିକ୍ରି ହୋଇଗଲା । ସାରା ଘରର କାମ ମୋ ଇଚ୍ଛା ଅନୁସାରେ ହେବା ଦରକାର ।” ଏତିକି କହି ସେ ଏକ ଚଉକିରେ ଯାଇ ବସିପଡିଲା ।
ଏଣେ ଅନୁରାଧା ଭୟରେ ସେହି ଗୋଟିଏ ସ୍ଥାନରେ ଠିଆ ହୋଇଥାଏ । ଭୂତୁଣୀ ଟିକିଏ ରାଗିଯାଇ ତାକୁ ପୁଣି କହିଲା, “ଖୁଂଟଟା ପରି ସେଠାରେ କ’ଣ ଠିଆ ହୋଇଛୁ । ଘରକୁ କେହି ଅତିଥି ଆସିଲେ ତାଙ୍କୁ କିପରି ସତ୍କାର କରିବାକୁ ହେବ ତା’ ତୁ ଭୁଲିଗଲୁ ନା କ’ଣ? ଯା, ମୋ ପାଇଁ କିଛି ଜଳଖିଆ ନେଇ ଆସ ।”
ତା’ପରେ ଅନୁରାଧା ଥରିଥରି ରୋଷେଇ ଘରକୁ ଗଲା ଓ ସେଠୁ କିଛି ଖାଦ୍ୟ ଧରି ଲେଉଟି ଆସିଲା । ଭୂତୁଣୀ ସବୁକିଛି ଆରାମରେ ଖାଇଲା ଓ ସାରାଘର ଆଖି ବୁଲାଇ ଦେଖିନେଲା ଓ କହିଲା, “ଓଃ ଏଇଟା ଘର ନା ଶ୍ମଶାନ? ଭଲ ଭାବରେ ଜିନିଷ ସବୁ ସଜାଇ ରଖିବାକୁ ତତେ କ’ଣ ଆସେ ନାହିଁ? ମୁଁ ଯେପରି କହୁଛି ତୁ ଏବେ ଠିକ୍ ସେପରି କର ।”
ଭୂତ ପ୍ରଥମ ଘରେ ରୋଷେଇ ଜିନିଷ ରଖିବାକୁ କହିଲା । ସେଠାରେ ପଲଙ୍କ ଆଦି ରଖିବାକୁ ସେ ଆଦେଶ ଦେଲା । ଅନୁରାଧା ସେପରି କରିବାକୁ ଟିକିଏ ଥତମତ ହେବାରୁ ଭୂତୁଣୀ ପୁଣି ରାଗିଯାଇ କହିଲା, “ମୋତେ ଯାହା ଭାବିଛୁ ମୁଁ କିନ୍ତୁ ତାହା ନୁହେଁ । ମୋ କଥା ଅନୁସାରେ କାମ ନକଲେ, ମୁଁ ତତେ ଭଲକରି ଶାସ୍ତି ଦେବି । କ’ଣ ବୁଝିଲୁ?”