ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତୁଣୀର ସର୍ତ୍ତ

ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଗଛଲତା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ସେ ତାକୁ କାନ୍ଧରେ ପକାଇ ସେହି ଶୂନଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ ଜଣକ କହିଲା, “ରାଜା! ତୁମେ ଯେଉଁ ସିଦ୍ଧି ଆଶାରେ ଏଭଳି କାମ ହାତକୁ ନେଇଛ, ସେ ସିଦ୍ଧି ତୁମକୁ ମିଳିବ ବୋଲି ତମେ ନିଶ୍ଚିତ କି? କାରଣ ଅନେକ ସମୟରେ ସିଦ୍ଧି ମିଳିବା ନିମନ୍ତେ ପ୍ରୟାସ କରି ଲୋକେ ସିଦ୍ଧି ପାଆନ୍ତି ନାହିଁ, ଅଥଚ କିଛି ନକରି ମଧ୍ୟ ଜଣେ ଜଣେ ସିଦ୍ଧି ପାଇଯାନ୍ତି । ମୋ କଥାଟିର ତାତ୍ପର୍ଯ୍ୟ ବୁଝାଇଦେବା ନିମନ୍ତେ ମୁଁ ତୁମକୁ ଗୋଟିଏ କାହାଣୀ କହୁଛି, ମନଦେଇ ତାହା ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏହାପରେ ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । ତମାଳଶିରୀ ନାମକ ଗ୍ରାମରେ ହରିଶର୍ମା ନାମକ ଜଣେ ବିଶିଷ୍ଟ ସଙ୍ଗୀତଜ୍ଞ ଥିଲେ । ମଧୁର ସଙ୍ଗୀତ ପରିବେଷଣରେ ତାଙ୍କର ସମକକ୍ଷ ସେ ରାଜ୍ୟରେ ବୋଧହୁଏ ଆଉ କେହି ମଧ୍ୟ ନଥିଲେ ।

                ହରିଶର୍ମା ଅନେକ ଦିନ ରାଜସଭାରେ ରହି ବୃଦ୍ଧ ବୟସରେ ଗାଁକୁ ଫେରି ଆସିଲେ । ତାଙ୍କର ପୁଅ ନଥିଲେ । ତେବେ ତାଙ୍କର ତିନିଜଣ ଝିଅ ଥିଲେ ଓ ସେହି ଝିଅମାନଙ୍କର ଚାରି ପୁଅ ଥିଲେ । ମଧ୍ୟେ ମଧ୍ୟେ ଗାଁକୁ ଆସିବା ଅବସରରେ, ଅଥବା ନାତିମାନେ ସହରକୁ ଯାଇ ତାଙ୍କ ପାଖରେ କିଛି କିଛି ଦିନ ରହୁଥିବା ବେଳେ ସେ ସେମାନଙ୍କୁ ଗୀତ ଶିଖାଉଥିଲେ । ତା’ଛଡା ତାଙ୍କର ଜଣେ ଯୋଗ୍ୟ ଶିଷ୍ୟଙ୍କ ପାଖରୁ ମଧ୍ୟ ଏ ଚାରି ନାତିଯାକ ଗୀତ ଶିଖିଥିଲେ । ବର୍ତ୍ତମାନ ହରିଶାସ୍ତ୍ରୀ ସେ ଚାରିଜଣଙ୍କ ଭିତରୁ ଜଣକୁ ଭଲ ଭାବରେ ଗୀତ ଶିଖାଇ ସଙ୍ଗୀତ ଜଗତରେ ତାଙ୍କର ଦାୟାଦ ରୂପେ ଛାଡିଯିବାକୁ ମନସ୍ଥ କଲେ ।

                ସେ ଚାରି ନାତିଙ୍କୁ ଡକାଇଲେ । ଦେଖିଲେ ପ୍ରତ୍ୟେକେ ଊଣା ଅଧିକେ ସମାନ ଭାବରେ ଗୀତ ବୋଲି ପାରୁଛନ୍ତି । ସମସ୍ତଙ୍କ ଶିକ୍ଷା ଦୀକ୍ଷା, ସ୍ମୃତି ଶକ୍ତି ମଧ୍ୟ ପ୍ରାୟ ସମାନ । ସେ କାହାକୁ ମନୋନୀତ କରିବେ, ସେକଥା ଚିନ୍ତା କରୁଛନ୍ତି, ସେତିକିବେଳେ ତାଙ୍କର ଜଣେ ବାଲ୍ୟବନ୍ଧୁ ପଣ୍ଡିତ ଅଭୟଦେବ ସହରରୁ ଘରକୁ ଲେଉଟିବା ବାଟରେ ତାଙ୍କର ଅତିଥି ହେଲେ । ଅଭୟଦେବ ଯେପରି ପଣ୍ଡିତ, ଠିକ୍ ସେହିପରି ସେ ବି ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି । ସେ ଗୋଟାଏ ଅଦ୍ଭୁତ କଥା କହିଲେ; ତାଙ୍କ କାକାଙ୍କର ଗୋଟିଏ ବଡ ଘର ସେ ଉତ୍ତରାଧିକାରୀ ସୂତ୍ରେ ପାଇଥିଲେ । କିନ୍ତୁ ସେ ଘରେ ଗୋଟିଏ ଭୂତୁଣୀ ଆସି ରାତିରେ ଗୀତ ବୋଲିବାର ଶୁଣାଯାଉଛି । ପଣ୍ଡିତେ ସେ ଭୂତୁଣୀକୁ ଭେଟିଲେ । ଭୂତୁଣୀ କହିଲା, “ଗୀତ ବୋଲୁ ବୋଲୁ ଯେଉଁଦିନ ତା’ର ସନ୍ତୋଷ ଆସିଯିବ, ସେହିଦିନ ସେ ଘର ଛାଡି ଚାଲିଯିବ । ଏହାହିଁ ତା’ର ସର୍ତ୍ତ । କିନ୍ତୁ ତା’ର ସନ୍ତୋଷ କେବେଯେ ଆସିବ ସେକଥା କିଏ ଜାଣେ? ପଣ୍ଡିତେ ବଡ ସମସ୍ୟାରେ ପଡିଥାନ୍ତି ।

                ଏକଥା ଶୁଣି ହରିଶାସ୍ତ୍ରୀଙ୍କ ନାତିମାନେ ବଡ ଉତ୍ସାହରେ କହିଲେ, “ଆମକୁ ସୁଯୋଗ ମିଳିଲେ ଆମେ ହୁଏତ ତା’ର ସନ୍ତୋଷ ବିଧାନ କରିପାରିବୁ ।” ଏହା ଶୁଣି ସେ ପଣ୍ଡିତେ ଭାରି ଖୁସି ହେଲେ । ଶାସ୍ତ୍ରୀ ମଧ୍ୟ କହିଲେ, “ଆଚ୍ଛା ହେଉ, ଯାଇ ଚେଷ୍ଟା କର । ଉଭୟ ଶାସ୍ତ୍ରୀ ଓ ଅଭୟଦେବ ଦେହ-କୀଳା ମନ୍ତ୍ର ଜାଣିଥିଲେ । ଯୁବକମାନଙ୍କୁ ସେମାନେ ସେ ମନ୍ତ୍ର ଶିଖାଇ ଦେଲେ । ପଣ୍ଡିତଙ୍କ ଘର ମାଡି ବସିଥିବା ଭୂତୁଣୀ ଅବଶ୍ୟ ଖରାପ ନୁହେଁ, ତଥାପି ଦେହକୀଳା ମନ୍ତ୍ର ପଢିଥିଲେ ଭୂତ ଭୂତୁଣୀମାନେ ଇଚ୍ଛାକଲେ ବି ମଣିଷଙ୍କ କିଛିବି ଅନିଷ୍ଟ କରିପାରିବେ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ