ପାଖନ ପୁର ଗାଁ ପାଖରେ ଗୋଟିଏ ବଡ ପୋଖରୀ ଥିଲା । ଗାଁଠାରୁ ସେହି ପୋଖରୀଟି ପ୍ରାୟ ପାଂଚ ଶହ ମିଟର ଦୂର ହେବ । ପୋଖରୀଟି ଦେଖିବାକୁ ଖୁବ୍ ପୁରାତନ । କାହିଁ କେଉଁ କାଳରୁ ସେ ପୋଖରୀ ଟାକୁ କିଏ ଖୋଳି ଥିଲା । ପଚାରିଲେ ଗାଁର ପୁରୁଣା ଲୋକ କେଇଟା କୁହନ୍ତି ତାଙ୍କ ଗୋସେଇଁ ବାପା ଏହି ପୋଖରୀ ଖୋଳା ଦେଖି ନଥିଲେ କିନ୍ତୁ ସେତେବେଳେ ରାଜା ରାଜୁଡା ଶାସନ କାଳରେ କୁଆଡେ ଏହି ପୋଖରୀ ଖୋଳା ଯାଇଥିଲା ବୋଲି ଗୋସେଇଁ ବାପା, ବାପାଙ୍କୁ କହନ୍ତି । ସେ କୁଆଡେ ଏ କଥା ତାଙ୍କ ଗୋସେଇଁ ବାପାଙ୍କ ଠାରୁ ଶୁଣି ଥିଲେ । ରାଜା ଗୋତି ଖଟାଇ ଏହି ପୋଖରୀ ଖୋଳି ଥିଲେ । ସେତେବେଳେ କୁଆଡେ ଏହି ପୋଖରୀର ଜଳ ଏହି ଗ୍ରାମର ଗ୍ରାମବାସୀ ମାନେ ବ୍ୟବହାର କରୁ ଥିଲେ ।
ପୋଖରୀଟା ଏଇ ପାଂଚ ସାତ ବର୍ଷ ତଳେ ଭଲ ଥିଲା । କୁଆଡୁ ଥିଲେ ସେ ଭୂତ ଗୁଡାକ ଆସି ଏହି ପୋଖରୀରେ ପହଁଚି ଗଲେ । ସେଇଠୁ ଆଉ କେହି ସିଆଡେ ଯାଉ ନାହାଁନ୍ତି । କି ଏକୁଟିଆ ସେପଟେ କେହି ଯାଆନ୍ତି ନାହିଁ । ଦିନେ ପିଲା ମାନେ ପୋଖରୀ କୂଳରେ ଖେଳୁ ଖେଳୁ ପାଣି ଭିତରକୁ ଚାଲି ଗଲେ । ପହଁରି ପହଁରି ଯେତେ ଡାକିଲେ ବି ଭୂତ ତାଙ୍କ ଗୋଡକୁ ଟାଣି ନେଲା । ପିଲା ଦୁଇଟା ଅନ୍ୟ କୌଣସି ଉପାୟ ନପାଇ ସେହି ପୋଖରୀ ପାଣିରେ ବୁଡି ଗଲେ । ଆଉ ଗୋଟିଏ ଈଶ୍ୱରଙ୍କ ଦୟାରୁ କୂଳରେ ଆସି ଲାଗି ଗଲା । ସେ ଦୌଡି ଆସି ଗାଁରେ ଏହି ସବୁ କଥା କହିଲା । ଗାଁ ଲୋକେ ଏହି ସବୁ କଥା ଶୁଣି ଦୌଡି ଗଲେ ସେହି ପୋଖରୀ କୂଳକୁ । ସେତେ ବେଳକୁ ପୋଖରୀ ପାଣିଟା ସମାନ ଦିଶୁ ଥିଲା । ପାଖ ବର ଗଛରେ ପିଟି ହୋଇ ପବନ ସଁ ସଁ ଶବ୍ଦ କରୁ ଥିଲା । ସତେ ଯେପରି ପୋଖରୀଟା କିଛି ଜାଣି ନାହିଁ ।
ପିଲା ଦୁଇଟାଙ୍କର ମାଆ ଆର୍ତ୍ତ ଚିତ୍କାର କରି କାନ୍ଦି କାନ୍ଦି ଲୋଟି ଗଲେ ସେହି ପୋଖରୀ କୂଳରେ । ମୁଣ୍ଡ ବାଡେଇ ସେମାନେ ଦୁହେଁ ରକ୍ତ ସ୍ନାନ ହେଲେ । ସେମାନେ ତାଙ୍କର ରକ୍ତ ଟୁକୁଡାକୁ ଖୋଜୁ ଥିଲେ । ତାଙ୍କ ହୃଦୟକୁ କିଛି ଫଳ ମିଳିଲାନି । ଦୁଇଟା ସାହାସିଆ ଟୋକା ଆସି ଡେଇଁ ପଡିଲେ ପାଣିଙ୍କୁ ସେମାନଙ୍କୁ ଖୋଜିବାକୁ । ଦଉଡି ଦୁଇଟା ବର ଗଛ ମୂଳରେ ବାନ୍ଧି ଅନ୍ୟ ମୁଣ୍ଡକୁ ନିଜେ ନିଜ ଅଂଟାରେ ବାନ୍ଧି ଦେଲେ । ସେଠି ଦୁଇ ଚାରି ଜଣଙ୍କୁ କହି ସେଇ ଦୁହେଁ ଡେଇଁ ପଡିଲେ ପୋଖରୀକୁ । କାରଣ ପୋଖରୀଟା ପ୍ରାୟ ପାଂଚ ପୁରୁଷ ଗଭୀର ହେବ । ପାଣି ତଳେ ଖୋଜି ଖୋଜି ଉପରକୁ ଉଠି ଶେଷରେ ସେମାନେ ନିରାଶ ହେଲେ । ବଳ କମି ଯିବାରୁ ସେମାନେ ପାଣି ଭିତରୁ ଉପରକୁ ଉଠି ଆସିଲେ । ପର ଦିନ ସକାଳେ ଖବର ମିଳିଲାଯେ ମରି ଭାସୁଛନ୍ତି ସେହି ପିଲା ଦୁଇଟା ।