ବ୍ରହ୍ମାଙ୍କ ପୁତ୍ର ଭୃଗୁ ଥିଲେ ଜଣେ ମହତ୍ ଋଷି । ଥରେ ଅନ୍ୟ ଋଷିମାନେ ତାଙ୍କୁ ପଚାରିଲେ, “ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର, ଏମାନଙ୍କ ଭିତରୁ କାହାକୁ ମୋଟେ ରଗାଇବା ସମ୍ଭବପୁର ନୁହେଁ?” ତା’ପରେ ଭୃଗୁ ଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ବାହାରିଲେ ।
ପ୍ରଥମେ ଭୃଗୁ ଯାଇ ବ୍ରହ୍ମା ଓ ଶିବଙ୍କ ପ୍ରତି ଅସମ୍ମାନଜନକ ବ୍ୟବହାର କଲେ । ସୁତରାଂ ସେ ଦୁଇ ମହାନ୍ ଦେବ ବିରକ୍ତିର ଲକ୍ଷଣ ପ୍ରକାଶ କଲେ । ତା’ପରେ ଭୃଗୁ ଯାଇ ବିଷ୍ଣୁଙ୍କ ପାଖରେ ପହଁଚିଲେ । ସେତେବେଳେ ବିଷ୍ଣୁ ତ ଶୋଇଥିଲେ । “ସୃଷ୍ଟି ସଂଚାଳନ କାମ ମୁଣ୍ଡ ଉପରେ ଥାଉଁ ଥାଉଁ କେଉଁ ସାହସରେ ତମେ ଏଠି ଶୋଇଛ?” ଏପରି କହି ଭୃଗୁ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଲେ ।
ଏଡେ ଭୀଷଣ ଅପମାନଜନକ କାମଟିଏ କରି ଭୃଗୁ ନିଜେ ଶଙ୍କି ଯାଇ ଅପେକ୍ଷା କରୁଥାନ୍ତି । ବିଷ୍ଣୁ କେମିତି କ୍ରୁଦ୍ଧ ହୋଇ ତାଙ୍କ ପ୍ରତି କିପରି ବ୍ୟବହାର କରିବେ, ସେ ତାହା ଜାଣିବାକୁ ଉତ୍କଣ୍ଠିତ ହେବା ତ ସ୍ୱାଭାବିକ ଥିଲା ।
“ତମ ପାଦରେ କଷ୍ଟ ହେଲା ନାହିଁ ତ?” ବିଷ୍ଣୁ ଚଟାପଟ ଉଠି ବସି ଅତି ମଧୁର ଭାବରେ ଏହି ପ୍ରଶ୍ନ ପଚାରିଲେ । ସେତିକି ନୁହେଁ, ସେ ନିଜ ବକ୍ଷରେ ସେ ପାଦଚିହ୍ନ ଚିରଦିନ ପାଇଁ ଧାରଣ କରି ରଖିଲେ । ଏହାକୁ କୁହାଯାଏ ଶ୍ରୀବତ୍ସ ଚିହ୍ନ । ଏହା ଭକ୍ତ ପ୍ରତି ବିଷ୍ଣୁଙ୍କ ସଂପୂର୍ଣ୍ଣ ଅପରିବର୍ତ୍ତନୀୟ ପ୍ରେମର ପ୍ରତୀକ ।
ବିଷ୍ଣୁଙ୍କର ଏହି ବ୍ୟବହାର ନମ୍ରତାର ଚରମ ପରାକାଷ୍ଠା ହିସାବରେ ଅମର ରହିଛି ।