ପାଟପୁରରେ ନୀଳାମ୍ବର ନାମକ ଜଣେ ବ୍ୟକ୍ତି ଥାଏ । ତା’ର ପରିବାର ବୋଲି ସ୍ତ୍ରୀ କନକ ଓ ପୁଅ ଝିଅ ଦୁଇଟି । ତା’ଘରେ ଦୁଇଟି ଦୁଧିଆଳୀ ମଇଁଷି ଆଉ କିଛି ଜମି ନେଇ ସେ ଦୁଃଖକଷ୍ଟରେ ଚଳୁଥାଏ । ଥରେ ଏପରି ଅକାଳ ପଡିଲା ଯେ ବର୍ଷା ନହେବାରୁ ଧାନ ନଷ୍ଟ ହେଲା । ପୁଣି ଭଲ ଘାସପତ୍ର ଖାଇବାକୁ ନପାଇ ମଇଁଷି ଦୁଇଟି ମଧ୍ୟ ହଠାତ୍ ମରିଗଲେ । ଏଣେ ଘର ଚଳାଇବାକୁ ତାକୁ ବହୁତ କଷ୍ଟ ପଡିଲା ।
ଦିନେ ରାତିରେ ପିଲାମାନେ ଶୋଇଯିବା ପରେ ନୀଳାମ୍ବର କନକକୁ କହିଲା, “ଦେଖ, ଆଜି ରାତି ପାହିବା ପୂର୍ବରୁ ମୁଁ ସହରକୁ ଚାଲିଯିବି । ଘରେ ଯେଉଁ ସୁନାମୁଦି ଓ ଚୁଡି ସବୁ ଅଛି ତାହା ମୋତେ ଦିଅ, ସେସବୁ ସହରରେ ବିକି ମୁଁ କିଛି ଟଙ୍କା ନେଇ ବ୍ୟବସାୟ କରିବି । ବ୍ୟବସାୟରେ ଲାଭ ହେଲେ ମୁଁ କ୍ରମେ କ୍ରମେ ବ୍ୟବସାୟଟିକୁ ବଡ ଧରଣର କରିବି । ସେତିକିଦିନ ତମେ କୌଣସି ମତେ କଷ୍ଟ ସହି ଏଇଠି ପଡିଥାଅ । ଲାଭ ବେଶି ହେଲେ ମୁଁ ଘର କିଣିବି ଓ ତୁମମାନଙ୍କୁ ନେଇ ସହରରେ ରଖିବି ।”
ଏକଥା ଶୁଣି କନକ ଦୁଃଖ କରି କହିଲା, “ଦେଖ, ତୁମେ ସହରକୁ ଚାଲିଯିବା ପରେ ଏ ପିଲା ଦି’ଟାଙ୍କୁ ଧରି ଏକୁଟିଆ ଏଠି ମୁଁ କିପରି ଚଳିବି? ଏପରି ଅସମ୍ଭବ କଥା ତୁମେ ଆଉ କୁହନା ।”
ତା’ପରେ ନୀଳାମ୍ବର ତା’ସ୍ତ୍ରୀକୁ ବୁଝାଇ କହିଲା “ଏପରି କୁହନାହିଁ । ସହରରେ ମୁଁ ସମସ୍ତ ବନ୍ଦୋବସ୍ତ କରି ତୁମକୁ ଓ ପିଲାମାନଙ୍କୁ ଏଠାରୁ ନେଇଯିବି । ସେପର୍ଯ୍ୟନ୍ତ ତୁମକୁ ଏଇଠାରେହିଁ ରହିବାକୁ ହେବ ।”
କନକ କହିଲା “ମୋର ବିଶ୍ୱାସ ହେଉନାହିଁ ଯେ ଦିନେ ତମେ ସହରରେ ବ୍ୟବସାୟ କରି ପଇସା ଲାଭ କରି ଆମକୁ ନେଇ ସେଠାରେ ରହିବ । ତମର ତ ବ୍ୟବସାୟ ବୁଦ୍ଧି ଆଦୌ ନାହିଁ । ଅନ୍ୟମାନେ ତୁମ ପଇସା ସବୁ ଠକିନେବେ । ତା’ପରେ ଆମ ଅବସ୍ଥା ଆହୁରି ଖରାପ ହେବ । ଏଣୁ ଭାବିଚିନ୍ତି କାର୍ଯ୍ୟ କର ।”
ସ୍ତ୍ରୀର ଏଭଳି କଥା ଶୁଣି ନୀଳାମ୍ବର କହିଲା “ଆଶ୍ଚର୍ଯ୍ୟ କଥା ତ । ମୁଁ କଷ୍ଟକରି ସହରରେ ଏକା ରହି ତୁମମାନଙ୍କ ପାଇଁ ଖଟିବି । ଆଉ ତୁମେ ଏଠି କିଛିଦିନ ଏକା ରହିପାରିବ ନାହିଁ? ମୁଁ ଗୋଟାଏ କାମ ଆରମ୍ଭ କରିବାକୁ ଯାଉଛି ହେଲେ ତୁମେ ମୋତେ ଉତ୍ସାହ ଦେବା ପରିବର୍ତ୍ତେ ନିରୁତ୍ସାହିତ କରୁଛ? ତୁମେ ମୋତେ ସାହସ ଦେବ ସିନା; ମାତ୍ର ତା’ ନ କରି ଓଲଟା ତମେ ମୋତେ ଭୟର ଔଷଧ ପିଆଉଛ?”