ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ୍ତ୍ରର ପ୍ରଭାବ

ମଧୁପୁର ଗ୍ରାମରେ ବିନୟ ନାମକ ଜଣେ ଯୁବକ ଥାଏ । ବୟସରେ ସେ ଯୁବକ ହେଲେ କ’ଣ ହେବ ଦେଖିବାକୁ ସେ ଠିକ୍ ବୁଢା ଭଳି, ହାତଗୋଡ ସରୁ, ବେକ ପାଖରୁ ନଇଁ ପଡିଛି । ରୋଗୀଣାଟିଏ ପରି ସେ ଲାଗେ । ଅଳ୍ପ ଛୋଟେଇ ଛୋଟେଇ ସେ ଚାଲେ, ତାକୁ ଦେଖିଲେ ମନେହେବ ଖାଇବାକୁ ନ ପାଇ ସେ ଏଡେ କଷ୍ଟରେ ଅଛି । ଦୁନିଆରେ ତା’ର ନିଜର ବୋଲି ଆଉ କେହିବି ନାହିଁ । ଲୋକେ ତା’ଠାରୁ ଦୂରେଇ ରହନ୍ତି । ଜନ୍ମ ହେଉ ହେଉ ତା’ର ମା’ ମଲା । ସାତବର୍ଷର ସେ ହୋଇଥିଲା ବାପା ମଲା । ମାମୁଁ ଦୟା ଦେଖାଇ କେବେ କେମିତି ତାକୁ ଥରେ ଖାଇବାକୁ ଦିଅନ୍ତି । ଜମିବାଡି ବୋଲି ଯାହା ପୈତୃକ ସମ୍ପତ୍ତି ତା’ର ଥିଲା ସେସବୁ ମାମୁଁ ତାଙ୍କ ନାମରେ କରିନେଲେ ଭାବିଲେ ଖାଇବାକୁ ନପାଇ ରୋଗଣା ହୋଇ ମରିଗଲେ ତ ତାଙ୍କ ରାସ୍ତାର କଂଟା ଯିବ । ଗ୍ରାମର ବଡ ଭଦ୍ରଲୋକମାନେ ମଧ୍ୟ କେହି ଏ ବିଷୟରେ କିଛିବି ନ୍ୟାୟ ଦେଲେ ନାହିଁ । ଏଣୁ ବିନୟ ବଡ କଷ୍ଟରେ ପ୍ରାୟ ଭିକ ମାଗି ଚଳୁଥାଏ ।

                କେହି କେହି ଦୟାକରି ବଳକା ରୁଟିଖଣ୍ଡେ ବା ତରକାରୀ ଟିକିଏ ତାକୁ ଦିଅନ୍ତି । ସାରା ଗାଁ ଭିତରେ ପାର୍ବତୀଦେବୀ ବୋଲି ଜଣେ ବୁଢୀ ଥା’ନ୍ତି, ସେ ତା’ ଉପରେ ସଦା ସର୍ବଦା ଦୟା ରଖିଥା’ନ୍ତି । ଦିନେ ବିନୟର ଅବସ୍ଥା ଦେଖି ପାର୍ବତୀଙ୍କର ମନରେ ଖୁବ୍ ଦୟା ଆସିଲା, ସେ ତାକୁ କହିଲେ, “ପୁଅ, ତୋ ବାପାର ଜମିଜମାଗୁଡା ତ ତୋର ମାମୁଁ ମାଗଣା ଖାଉଛି । ତୁ ତାକୁ ଯାଇ କହ ଅଧେ ସେ ନେଉ ଆଉ ଅଧେ ତତେ ସେ ଦେଉ । ତୁ ଅନ୍ତତଃ ଭୋକରେ ଯମା ରହନ୍ତୁ ନାହିଁ ।” ଏବେ ବିନୟ ବଡ ହୋଇଗଲାଣି ଜାଣିଲାଣି ତା’ ବାପାର ସମ୍ପତ୍ତି ମାମୁଁ ଅନ୍ୟାୟରେ ଖାଉଛି ।

ବିନୟ ମାମୁଁ ପାଖକୁ ଯାଇ କହିଲା, “ମାମୁଁ, ଏଡେ ବଡ ଦୁନିଆରେ ମୋର ନିଜର ବୋଲି ତମଛଡା ଆଉ କିଏ ଅଛି । ଗାଁର ସମସ୍ତେ କହୁଛନ୍ତି ମୋ ବାପ ମଲାବେଳେ ତୁମକୁ ମୋ ଦାଇତ୍ତ୍ଵ ଦେଇ ଯାଇଥିଲା । ମୋ ବାପର କିଛି ଜମି ମଧ୍ୟ ଥିବାର ମୁଁ ଶୁଣିଛି । ମୋତେ ସେଥିରୁ ଅଧେ ଦେଲେ ହୁଅନ୍ତା ନାହିଁ । ମୁଁ ଅନ୍ତତଃ ଭୋକ ଉପାସରେ ସମୟ କଟାନ୍ତି ନାହିଁ ।

ଏହାଶୁଣି ମାମୁଁ ରାଗରେ ଲାଲ୍ ହୋଇଯାଇ ଭଣଜାକୁ ଧମକ ଦେଇ କହିଲେ, “ଆଉ ଥରେ ଏମିତି କଥା କହିବୁ ତ ଦେଖିବୁ, କ’ଣ ଭାବିଛୁ ମୁଁ ତୋ ବାପର ଜମିଜମା ନେଇ ତୋତେ ପଇସା ଦେଇନି । ଏସବୁ କଥା ତୁ କାହା ସାହସରେ କହୁଛୁ କାହା ଶିଖାଣିଆରେ ପଡିଛୁ? ଛୋଟ ବେଳରୁ ମୋରି ପାଖରେ ମଣିଷ ହୋଇ ଆଜି ଏଡେ ସାହସ?”

ବିନୟ ନାଚାର ହୋଇ ସେଠାରୁ ଯାଇ ଗ୍ରାମ ସରପଞ୍ଚଙ୍କ ପାଖରେ ଅଭିଯୋଗ କରି କହିଲା, “ସରପଞ୍ଚ ମହାଶୟ, ଆପଣ ତ ଏ ଗାଁର ଲୋକ ନିଶ୍ଚୟ ଜାଣିଥିବେ ଯେ ମୋ ବାପର କିଛି ଜମି ମୋ ମାମୁଁଙ୍କ ପାଖରେ ଅଛି । ଆପଣ ନ୍ୟାୟବନ୍ତ ବ୍ୟକ୍ତି । ଯଦି ଥରେ ମାମୁଁଙ୍କୁ ଡାକି କହନ୍ତେ ଓ ସେ ରାଜି ହୋଇ ସେଥିରୁ ଅଧେ ଜମି ଦିଅନ୍ତେ ତେବେ ମୁଁ ଉପାସରେ ରହନ୍ତି ନାହିଁ । ଏତିକି ଦୟା କରନ୍ତୁ । ଆପଣଙ୍କ ପାଖକୁ ମୁଁ ବଡ ଆଶା ନେଇ ଆସିଛି ।”

ସରପଞ୍ଚ ମାମୁଁକୁ ଡକାଇଲେ । ମାମୁଁ ଅଳ୍ପ କିଛି ଲାଞ୍ଚ ସରପଞ୍ଚକୁ ଧରାଇ ଦେଲେ ଓ କହିଲେ, “ମହାଶୟ, ଏତେଦିନ ହେବ ଯୁଆଡେ ଯାହା ବୁଲି ବୁଲି ମାଗି ଖାଇଲେ ମଧ୍ୟ ସେ ଆମ ଘରକୁ ଆସି ଖିଆପିଆ କରେ । ତା’ର ଭଲମନ୍ଦ ପୁଣି ମୁହିଁ ତ ଦେଖାଶୁଣା କରେ? ଏଇଟା ରୋଗୀଣାଟା ଆଜ୍ଞା ଏଠିସେଠି ଖାଇ କ୍ରମେ ଆହୁରି ଦୁର୍ବଳ ହୋଇ କେବେ କେଉଁଠି ପଡି ମରିଯିବ । ଜମି ନେଇ ଇଏ କ’ଣ କରିବ? ବଞ୍ଚିଥିବା ଦିନତକ ଏମିତି କଟିଯିବ ।”

ସରପଞ୍ଚ ଲାଞ୍ଚ ଖାଇସାରିବା ପରେ ବିନୟକୁ ଭିତରକୁ ଡାକିନେଇ କହିଲେ, “ତୁ କେଉଁ ଜମିବାଡି କଥା କହୁଛୁ? ମୁଁ ତ ଦେଖିଲି ସେସବୁ ତୋ ମାମୁଁ ନାମରେ ଅଛି । ଆଉ କେବେ ଏସବୁ କଥା କହିବୁ ତ ମୁଁ ତୋତେ ସିଧା ଏ ଗାଁରୁ ବାହାର କରିଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ