ଗୋଟିଏ ଗାଆଁରେ ବହୁଲୋକଙ୍କର ଝାଡା ବାନ୍ତି ହେଉଥାଏ । କାହାକୁ ବା ଜ୍ୱର ଧରି ଛାଡୁ ନଥାଏ । ହଳଦିଆକାମ୍ଳ, ଟାଇଫଏଡ୍ ଇତ୍ୟାଦି ରୋଗ ଅତି ସାଘାଂତିକ ଅବସ୍ଥା କରି ଦେଇଥାଏ । ସରକାରୀ ସ୍ତରରୁ ଡାକ୍ତରମାନେ ଔଷଧ ଦେଇଥାଆନ୍ତି । ସେହି ସମୟରେ ଖରାପ ପାଣି ପିଇବାକୁ ତ ଡାକ୍ତରମାନେ ବାରଣ କରୁଥାଆନ୍ତି । ନିଜ ନିଜ ହାତ ସାବୁନ୍ରେ ଧୋଇବା ପାଇଁ କହୁଥାଆନ୍ତି । ଏପରିକି ସଫା ସୁତୁରା ରହିବା ପାଇଁ ମଧ୍ୟ ସତର୍କ କରୁଥାଆନ୍ତି । ସେ ଗାଁର ବିଦ୍ୟାଳୟଗୁଡିକୁ ଶିକ୍ଷା ସଚିବ ଚିଠି ପଠାଇ ନିୟମାବଳୀ ସାହାଯ୍ୟରେ ସମସ୍ତଙ୍କୁ ସତର୍କ କରାଉ ଥାଆନ୍ତି । ଏପଟେ ପ୍ରଧାନଶିକ୍ଷକମାନଙ୍କୁ ମଧ୍ୟ ପୂର୍ଣ୍ଣ ସଚେତନତା କରାଉଥାଆନ୍ତି । ପ୍ରକୃତ କଥା, ଏ ପଦକ୍ଷେପ କେତେ ମହତ ସିନା । ଶିକ୍ଷା ସଚିବଙ୍କ ଏପରି ପଦକ୍ଷେପ, ଏହାର ନିରାକରଣ ତା ପାଇଁ ଯେଉଁ ସଚେତନ କାର୍ଯ୍ୟକ୍ରମ ଯେ କୌଣସି ଶିକ୍ଷକ କିମ୍ବା ଜନତା ପ୍ରଶଂସା ନ କରି ଆଦୌ ରହିପାରିବ ନାହିଁ । କାରଣ “ଶରୀର ସୁସ୍ଥ ହିଁ ରୋଗରୁ ମୁକ୍ତି” । ତେଣୁ ରୋଗରୁ ମୁକ୍ତି ପାଇଁ ସଫା ସୁତୁରା ହେବା ପ୍ରତ୍ୟେକଙ୍କର ବଡ ଦାୟିତ୍ୱ । ସେ ବିଦ୍ୟାଳୟରୁ ପିଲାମାନେ ଶୃଙ୍ଖଳା, ଶିକ୍ଷା, ସହଯୋଗ, ସହାନୁଭୂତି, ସେବା ପରାୟଣତା, ପ୍ରତିଭା, କାର୍ଯ୍ୟଧାରା ଇତ୍ୟାଦି ଉତ୍ତମ ଭାବରେ ଶିଖିବା ପାଇଁ ଶିକ୍ଷକମାନଙ୍କୁ ତାଲିମ୍ ଦିଆଯାଉଛି । ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଉତ୍ତମ ସହଯୋଗ “ସର୍ବଶିକ୍ଷା କାର୍ଯ୍ୟକ୍ରମ”ର ଧାରାକୁ ସୁସଂହତି କରି ପ୍ରଗତି ସ୍ରୋତରେ ବୋହିନେଉଛି ।
ସେ ବିଦ୍ୟାଳୟଟି ଥାଏ ଗାଆଁର ଶେଷ ମୁଣ୍ଡରେ । ତାର ନାଁଟି ପାଟେଣି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ସେଠାରେ ମନ୍ଦିରଟିଏ ଦୁଇବର୍ଷ ହେଲା ନିର୍ମିତ ହୋଇଛି । ତାହା ଜଗନ୍ନାଥ ମନ୍ଦିର । ସେଠାକାର ନନା ଅତି ଉତ୍ତମ ଓ ଶିକ୍ଷିତ ଲୋକ । ସେ ଗାଁ ଟିରେ ମଧ୍ୟ ଉଚ୍ଚ ଶିକ୍ଷିତ ବ୍ୟକ୍ତିମାନେ ବାସ କରନ୍ତି । ସୁନାମ ଧନ୍ୟ ଭାଗିରଥି ଦାସ, ଯେ କି ଜଣେ ବଡ ଔପନ୍ୟାସିକ ଆଠ ଶହ ବହିର ନିର୍ମାତା ଏବଂ ବାଣୀପୁତ୍ର ଭାବେ ସେ ନାମିତ, ତାଙ୍କ ଘର ମଧ୍ୟ ଏହି ପାଟେଣି ଗାଁରେ । ସେଠାକାର ଲୋକମାନେ ଭାରି ପରିଶ୍ରମୀ ଏବଂ ସାହାଯ୍ୟକାରୀ । ତେଣୁ ସେ ବିଦ୍ୟାଳୟଟି ଅତି ଶାନ୍ତି ଓ ଶୃଙ୍ଖଳା ମଧ୍ୟରେ ତାର ସମସ୍ତ କାର୍ଯ୍ୟଧାରା ଚଳାଇଥାଏ । ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଭ୍ରମରବର ମୁଦୁଲି ଜଣେ ଦେବୋପମ ଲୋକ । ସେ ଅତ୍ୟନ୍ତ ମିଷ୍ଟଭାଷୀ ଏବଂ ଛାତ୍ର ବତ୍ସଳଭାବେ ପରିଚିତ । ସରକାରୀ ସ୍ତରରୁ ଆଗତ ପ୍ରତ୍ୟେକ କାର୍ଯ୍ୟକୁ ସେ ଠିକ୍ ଠିକ୍ ଭାବେ କରିଥାଆନ୍ତି । ସେଥିପାଇଁ ସେଠାକାର ଗ୍ରାମବାସୀମାନେ ତାଙ୍କୁ ବହୁ ସମ୍ମାନ ଦିଅନ୍ତି ଓ ଭଲ ବି ପାଆନ୍ତି ।