ଦ୍ରୌପଦୀଙ୍କ ସ୍ୱୟମ୍ବର ପାଇଁ ବିଭିନ୍ନ ରାଜ୍ୟରୁ ଅନେକ ରାଜା ଆସିଲେ । ସେମାନଙ୍କର ରହିବା ପାଇଁ ନୂତନ ଗୃହ ସବୁ ନିର୍ମାଣ କରାଗଲା । ଜଣେ କୁମ୍ଭାର ଘରେ ପାଣ୍ଡବମାନେ ମାତା କୁନ୍ତୀଙ୍କ ସହ ରହିଲେ । ସେଠାରେ ସେମାନେ ଭିକ୍ଷା କରି ପେଟ ପୋଷୁଥା’ନ୍ତି ।
ଦ୍ରୁପଦଙ୍କର ବୀର ଅର୍ଜୁନଙ୍କୁ ଜାମାତା ରୂପରେ ପାଇବାକୁ ଭାରି ଇଚ୍ଛା ଥିଲା । କିନ୍ତୁ ସେ ସେମାନଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ନିରାଶ ହୋଇ ନିଜ ମନ କଥା ମନରେ ରଖିଲେ । ସ୍ୱୟମ୍ବର ସକାଶେ ସେ ଏକ ସର୍ତ୍ତ ରଖିଥା’ନ୍ତି । ଏକ ସ୍ତମ୍ଭ ଉପରେ ଚକ୍ରଟି ଅହରହ ବୁଲୁଥାଏ । ଚକ୍ର ଉପରେ ଧାତୁରେ ମତ୍ସ୍ୟଟିଏ ଥାଏ । ସେ ସ୍ତମ୍ଭର ତଳେ ଜଳ । ଜଳକୁ ଚାହିଁ ଯିଏ ତୀର ବିନ୍ଧି ମତ୍ସ୍ୟର ଚକ୍ଷୁବିଦ୍ଧ କରିବ କେବଳ ସେହିଁ ଦ୍ରୌପଦୀଙ୍କୁ ବିବାହ କରିବ ।
ଏହି ସ୍ୱୟମ୍ବରରେ ଭାଗ ନେବାକୁ କର୍ଣ୍ଣ ଓ କୌରବମାନେ ମଧ୍ୟ ଆସିଥିଲେ । ସେମାନଙ୍କ ବ୍ୟତୀତ ଅନେକ ରାଜା, ଋଷିମୁନି, ବ୍ରାହ୍ମଣମାନେ ମଧ୍ୟ ସେଠାକୁ ଆସିଥିଲେ । ସମସ୍ତେ ଏହି ଉତ୍ସବ ଦେଖିବାକୁ ବଡ ଉତ୍ସାହର ସହିତ ଆସିଥାନ୍ତି । ଦ୍ରୁପଦ ସେ ସମସ୍ତିଙ୍କର ସ୍ୱାଗତ ସତ୍କାର କରୁଥା’ନ୍ତି ।
ନଗରୀର ପୂର୍ବଦିଗରେ ସ୍ୱୟମ୍ବର ମଣ୍ଡପ ସଜା ହୋଇଥିଲା । ବହୁ ଧନ ବ୍ୟୟ କରି ସେଠାରେ ନାନାପ୍ରକାର ସାଜସଜ୍ଜା ହୋଇଥିଲା । ମନୋରଞ୍ଜନ ପାଇଁ ମଧ୍ୟ ସେଠାରେ ନୃତ୍ୟଗୀତାଦିର ବ୍ୟବସ୍ଥା ହୋଇଥିଲା ।
ନିର୍ଦ୍ଧାରିତ ସମୟରେ ଦ୍ରୌପଦୀ ମଙ୍ଗଳ ସ୍ନାନ କରି ମାଲ୍ୟଅଳଙ୍କାର ଭୂଷିତା ହୋଇ ମଣ୍ଡପକୁ ବିଜେ କଲେ । ସେଠାରେ ପୁରୋହିତମାନେ ଯଜ୍ଞ କରୁଥିଲେ । ନାନା ପ୍ରକାର ମଙ୍ଗଳ ବାଦ୍ୟ ମଧ୍ୟ ସେଠାରେ ବାଜୁଥାଏ । ତା’ପରେ ଧୃଷ୍ଟଦ୍ୟୁମ୍ନ ତାଙ୍କ ଭଗ୍ନୀ ଦ୍ରୌପଦୀଙ୍କୁ ଧରି ସ୍ୱୟମ୍ବର ସଭା ମଧ୍ୟକୁ ଆସିଲେ । ସେଠାରେ ଥିବା ମାଛ ଓ ପାଣିକୁଣ୍ଡ ସହିତ ପାଂଚଟି ବାଣ ଓ ଧନୁ ରଖା ଯାଇଥିଲା । ସେ କହିଲେ, “ଯିଏ ଏହି ମତ୍ସ୍ୟଯନ୍ତ୍ରର ଆଖିକୁ ପାଂଚଶର ନେଇ ମାରି ପାରିବ କେବଳ ସେ ହିଁ ମୋ ଭଉଣୀକୁ ବିବାହ କରିବ । ଏବେ ଆପଣମାନେ ଜଣ ଜଣ କରି ଯାଇ ଚେଷ୍ଟା କରନ୍ତୁ ।”
ତା’ପରେ ସେ ଦ୍ରୌପଦୀଙ୍କୁ କହିଲେ, “ମୁଁ ଏବେ ସମସ୍ତ ରାଜାଙ୍କର ପରିଚୟ ଦେଉଛି ।” ସେଠାରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ଶଲ୍ୟ, ବିରାଟ, ଶକୁନି, ଅଶ୍ୱତ୍ଥାମା, ଅକ୍ରୁର, ଶାମ୍ବ, ପ୍ରଦ୍ୟୁମ୍ନ, କୃଷ୍ଣ ବଳରାମ, କୃତବର୍ମା, ଅନିରୁଦ୍ଧ, ସୁଶର୍ମା, ଶିଶୁପାଳ, ଚିତ୍ରାଙ୍ଗଦ, ଭଗବତ, ପୌଣ୍ଡୁକ, ଦୁର୍ଯ୍ୟୋଧନ ଆଦି ଏକ ଶତ କୌରବ ଥିଲେ । ଶ୍ରୀକୃଷ୍ଣ ଦେଖିଲେ ବ୍ରାହ୍ମଣମାନଙ୍କ ମଧ୍ୟରେ ପଂଚୁ ପାଣ୍ଡବ ବସିଛନ୍ତି । ଏକଥା ସିଏ ଅତି ନିମ୍ନସ୍ୱରରେ ବଳରାମଙ୍କୁ କହିଦେଲେ ।
ଏହାପରେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ସମସ୍ତ ରାଜକୁମାରମାନଙ୍କୁ ମତ୍ସ୍ୟଯନ୍ତ୍ର ମଣ୍ଡପକୁ ଡକା ହେଲା । ତତ୍ପଶ୍ଚାତ୍ ସେଠାକୁ ଜଣ ଜଣ କରି ଯାଉଥାନ୍ତି ଓ ଅସଫଳ ହୋଇ ଫେରୁଥାନ୍ତି । ବହୁସମୟ ପରେ କର୍ଣ୍ଣ ସେଠାକୁ ଗଲେ । ତାଙ୍କୁ ଦେଖି କୃଷ୍ଣ ଦ୍ରୌପଦୀଙ୍କୁ କିଛି ଠାରି ଦେବାରୁ ସେ କହିଲେ, “ମୁଁ ଏକ ସୂତପୁତ୍ରକୁ କଦାପି ମଧ୍ୟ ବିବାହ କରି ପାରିବି ନାହିଁ ।” ଏଥିରେ କର୍ଣ୍ଣ ଅପମାନିତବୋଧ କରି ଫେରିଯାଇ ନିଜ ସ୍ଥାନରେ ବସିଲେ । ତା’ପରେ ଜଣେ ଦୁଇଜଣ ରାଜା ଚେଷ୍ଟା କରି ମଧ୍ୟ ବିଫଳ ହେଲେ ।