ଗାଁ କଡ ଦେଇ ବହିଯାଇଛି ନଈଟିଏ । ଆଉ ସେହି ନଈର ଦୁଇ କୂଳରେ ବଡ ବଡ ବର, ଓସ୍ତ ଗଛ, ବାଉଁଶ ବୁଦା ସେମାନଙ୍କର ଡାଳପତ୍ର ସବୁ ମେଲେଇ ହୋଇ ନଈ ଉପରକୁ ନଇଁ ପଡିଥାଆନ୍ତି ।
ସେଠାରେ ଥାଏ ଗୋଟିଏ ତେନ୍ତୁଳିଗଛ । ବହୁଦିନର ପୁରୁଣା ସେହି ଗଛଟି । ଶାଖା ପ୍ରଶାଖା ତା’ର ସବୁ ମୋଟା ଶୋଟା । ସେଇ ତେନ୍ତୁଳି ଗଛକୁ ଲାଗି ରହିଛି ଗୋଟିଏ ଡେଙ୍ଗା ତାଳ ଗଛ । ସେଇ ତାଳ ଗଛ ଅଗରେ ଗୋଟିଏ ଗୁଣ୍ଡୁଚିମୂଷା ବସା କରି ରହିଥାଏ । ତାର ଛୋଟ ଛୋଟ ଛୁଆମାନେ ମା’ ସାଙ୍ଗରେ ତଳକୁ ଓହ୍ଲେଇ ଆସନ୍ତି । ଧାନଚାଉଳ, ଫଳ, ମଞ୍ଜି ଯାହା ମିଳେ ତାକୁ ଟୁକୁରୁ ଟୁକୁରୁ କରି ଖାଇ ଦିଅନ୍ତି । ଅନ୍ୟ କାହାର ଛାଇ ପଡିଲା ମାତ୍ରେ ତରବର ହୋଇ ସେମାନେ ଗଛ ଉପରକୁ ଚଢି ଯାଆନ୍ତି ।
ତେନ୍ତୁଳି ଗଛ ଡାଳରେ ଗୋଟିଏ କୂଆ ଅଣ୍ଡା ଦେଇଥାଏ । ସେ ସକାଳୁ ଉଠି କାଆ କାଆ ରାବି ଗାଁ ଭିତରକୁ ଚାଲିଯାଏ ଓ ସେଠାରୁ କିଛି ଖାଦ୍ୟ ଖାଇ ଦେଇ ଫେରିଆସି ଗଛ ଉପରେ ଗୋଟେ ଚକର କାଟି ନିଜ ବସାକୁ ଅନାଏ । ଦେଖେ ତା ଅଣ୍ଡା ଦୁଇଟି ନିରାପଦ ଅଛି ନା ନାହିଁ? ଯେତେବେଳେ ଦେଖେ କେହି କୁଆଡେ ନାହାଁନ୍ତି, ସେ ପୁଣି ଉଡିଯାଏ ଆଉ କେଉଁ ଗାଁକୁ ।
ଦିନେ ଗୋଟିଏ ମାଙ୍କଡ ଖାଦ୍ୟ ଖାଇବା ପାଇଁ ଆସି ସେହି ତେନ୍ତୁଳି ଗଛ ଗୁଡାକୁ ଖାଲି କଡ ମଡ କରି ଚୋବାଇଲା । ତାପରେ ସେ ମାଙ୍କଡ ଗଛର ଏ ଡାଳରୁ ସେ ଡାଳକୁ ହୁଁ ହାଁ କରି ଡେଇଁବାକୁ ଲାଗିଲା । ଫଳରେ ସେ ଗଛର ଡାଳଗୁଡା ଦୋହଲୁଥାଏ । କୁଆ ତେନ୍ତୁଳି ଗଛରେ ନବସି ଅନ୍ୟଗଛରେ ବସି ମାଙ୍କଡକୁ ଚାହିଁଥାଏ । ଆଉ ବାରମ୍ବାର କହୁଥାଏ “ମାଙ୍କଡଭାଇ ସେ ଗଛରେ କାଠିକୁଟାରେ ତିଆରି ମୋ ବସା ଅଛି ।