ଜମିଦାର ଜୟସିଂହ ସେଦିନ ତାଙ୍କ ଉଦ୍ୟାନରେ ବୁଲୁଥିଲେ । ଠିକ୍ ସେତିକିବେଳେ କେତେକ ପ୍ରଜା ସେମାନଙ୍କ ଗୁହାରି ଶୁଣାଇବାକୁ ଆସିଲେ । ସେମାନଙ୍କ ମୁଖପାତ୍ର ଶ୍ୟାମସୁନ୍ଦର ଜମିଦାରଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା କହିଲେ ।
ଜମିଦାର ସେ ବିଷୟରେ ତାଙ୍କ ରାୟ ଦେବା ପୂର୍ବରୁ ନିଜେ ପିନ୍ଧିଥିବା ଗୋଟିଏ ମୁଦି ପ୍ରତି ଶ୍ୟାମସୁନ୍ଦରଙ୍କ ଦୃଷ୍ଟି ଆକର୍ଷଣ କରି ପଚାରିଲେ, “ଏ ମୁଦି ମୋର ଶୋଭା ବଢାଉଛି ନା ନାହିଁ?”
ଶ୍ୟାମସୁନ୍ଦର ରୋକ୍ଠୋକ୍ କହିଦେଲେ “ନା, ହଜୁର!”
ଏହା ଶୁଣି ସେଠାରୁ ଅଳ୍ପ ଦୂରରେ ଥିବା ପ୍ରଜାମାନେ ପ୍ରମାଦ ଗଣିଲେ । ଭାବିଲେ ବୃଥାରେ ଶ୍ୟାମସୁନ୍ଦର ଜମିଦାରଙ୍କୁ କାହିଁକି ଅସନ୍ତୁଷ୍ଟ କରୁଛନ୍ତି?
ଜମିଦାର କହିଲେ “ତାହେଲେ ତମେ କ’ଣ କହୁଛ? ଏ ମୁଦି ବହୁତ ମୂଲ୍ୟବାନ୍ । ଏହା ବିଶେଷ ଭାବରେ ପ୍ରସ୍ତୁତ ହୋଇଛି!” ଏହିକଥା କହିବାବେଳେ ତାଙ୍କ କଣ୍ଠଶ୍ୱରରେ ବିରକ୍ତି ମିଶିଥିଲା ।
ଶ୍ୟାମସୁନ୍ଦର ଜମିଦାରଙ୍କୁ ବୁଝାଇ କହିଲେ “ହଜୁର୍! ମୁଦି ଆପଣଙ୍କ ଶୋଭା ବଢାଉ ନାହିଁ, ବରଂ ଆପଣ ଏହି ମୁଦିର ଶୋଭା ବଢାଉଛନ୍ତି । ଅର୍ଥାତ୍ ଏହି ମୁଦି ଆପଣଙ୍କ ହାତରେ ରହି ଗୌରବାନ୍ୱିତ!”
ଏହା ଶୁଣି ସେ ଜମିଦାରଙ୍କ ମୁହଁରେ ଏଥର ହସ ଫୁଟିଲା । ତା’ପରେ ପ୍ରଜାଙ୍କ ସମସ୍ୟାର ସମାଧାନ କରିଦେବାକୁ ସେ ଆଉ ଅଧିକ ସମୟ ନେଇ ନଥିଲେ ।