ବହୁ ବର୍ଷ ତଳର କଥା । ଗୋଟିଏ କେଉଟ ପୁଅ ନଦୀମାନଙ୍କରୁ ବିଭିନ୍ନ ପ୍ରକାରର ମାଛ ଧରି ବଜାରରେ ବିକି ଦୁଇ ପଇସା ଭଲ ରୋଜଗାର କରେ । ଦିନେ ଯମ ମହାରାଜ ପୃଥିବୀ ଭ୍ରମଣରେ ଆସି ଗୋଟିଏ ନଈ ନିକଟରେ ପହଁଚିଲେ । ନଈରେ ସେ କେଉଟ ପୁଅ ମାଛ ମାରୁଥିବାର ଦେଖି ତାଙ୍କର ତଥା ସେ ଯମରାଜାଙ୍କର ହଠାତ୍ ବହୁତ ରାଗ ହେଲା । ଭାବିଲେ କେତେ ହିଂସ୍ର ଏ ପିଲାଟା । ହୃଦୟରେ ତା’ର ଟିକେ ବି ଦୟା ଭାବନା ନାହିଁ । ଏ ପିଲାଟିକୁ ଉଚିତ୍ ଶାସ୍ତି ମିଳିବା ଦରକାର ।
ତାପରେ ଯମ ମହାରାଜ ନିଜର ବେଶ ବଦଳାଇ ଏକ ସାଧୁ ବେଶରେ ଯାଇ ସେ କେଉଟ ପୁଅ ପାଖରେ ପହଁଚିଲେ । କହିଲେ – ‘ତୁମେ ବହୁତ ଅନ୍ୟାୟ କରୁଛ । ଟଙ୍କା ପାଇବା ପାଇଁ ତୁମେ ବହୁତ ଜୀବ ହତ୍ୟା କରୁଛ ।’ ସାଧୁଙ୍କ ଏପରି କଥା ଶୁଣି ସେ କେଉଟପୁଅ କହିଲା – ଏଥିରେ ମୋର ଦୋଷ ବା କ’ଣ? ଇଏ ତ ଆମର କୌଳିକ ବୃତି । ମୋ ଜେଜେ ବାପା ମାଛ ମାରୁଥିଲେ, ମୋ ବାପା ବି ମାରୁଥିଲେ, ଆଉ ଏବେ ମୁଁ ମାରୁଛି । ମାଛ ନ ମାରିଲେ ଆମେ ଖାଇବୁ କ’ଣ? ଆଉ ଚଳିବୁ ବା କିପରି? ତହୁଁ ସେ ସାଧୁ କହିଲେ – “ଅନ୍ୟ କିଛି ବ୍ୟବସାୟ କର ।” ମାତ୍ର ଏତେ ଜୀବହତ୍ୟାର ପାପରେ ଆଦୌ ଭାଗି ହୁଅ ନାହିଁ । ତୁମେ ତ ବହୁତ ପାପ କରିସାରିଲଣି । ଏକଥା ଶୁଣି ସେ କେଉଟ ପୁଅ ଅତ୍ୟନ୍ତ ରାଗିଗଲା ଓ କହିଲା – “ମୁଁ ମୋ ବୃତି କେବେବି ଛାଡି ପାରିବିନି । ତୁମର ଯାହା ବି କରିବା କଥା କର” । ଏକଥା ଶୁଣି ସେ ସାଧୁ ବି ହଠାତ୍ ରାଗିଗଲେ । କହିଲେ – ତୁ ଆଜିଠାରୁ ମାଛ ହୋଇ ରହିବୁ । ତୁ ଯେମିତି ମାଛକୁ ହତ୍ୟା କରୁଛୁ ତତେ ବି ସେମିତି ଆଉ କିଏ ମାରିବ । ତେବେ ଯାଇ ଜାଣିବୁ କଷ୍ଟ ଯନ୍ତ୍ରଣା କ’ଣ । ଏତିକି କହି ସେ ସାଧୁ ପିଲାଟିକୁ ମାଛ କରିଦେଲେ । ତାପରେ ସେ କେଉଟ ପୁଅ ବି ମାଛ ପାଲଟିଗଲା । ନଈରେ ଅନ୍ୟ ମାଛ ମାନଙ୍କ ସହିତ ସେ ବି ରହିବାକୁ ଲାଗିଲା ।