ରାମପୁରରେ ଶଙ୍କର ଜଣେ ଛୋଟ ବ୍ୟବସାୟୀ । ଘରେ ତା’ର ମା’ । ପିଲା ହେବାକୁ ସ୍ତ୍ରୀ ବାପଘର ଯାଇଥିଲା । ଶଙ୍କର ସେଦିନ ଶଶୁର ଘରୁ ଫେରୁଥାଏ; ଦୂରରୁ ଦେଖିଲା ତାଙ୍କ ଘର ସାମ୍ନାରେ ଏକ ଘୋଡାଗାଡି ଲାଗିଛି । ସେଥିରେ ନାନା ରକମର ନାଲିନେଳି କନା ଓ ଜରି ଲାଗିଥାଏ । ତା’ର ମା’ ଅତିଥିଙ୍କୁ ବନ୍ଦେଇ ଦେବାକୁ ଗାଡିପର୍ଯ୍ୟନ୍ତ ଆସିଲେ । ସେହି ଗାଡିରେ ଜଣେ ଧନୀ ମହିଳା ବସିଥିଲେ ।
ଶଙ୍କର ଘରେ ପହଁଚିବା ବେଳକୁ ସେ ଗାଡି ସେଠାରୁ ଚାଲିଗଲାଣି । ଘରେ ପ୍ରବେଶ କରୁକରୁ ମା’ ପଚାରିଲେ, “ପୁଅ, ବୋହୁର ଦେହ ଠିକ୍ ଅଛି ତ? ପିଲାଟି କାହାପରି ହୋଇଛି?”
ଶଙ୍କର ପଚାରିଲା “ସମସ୍ତେ ଭଲରେ ଅଛନ୍ତି । ମନେ ହେଲା କେହି ଜଣେ ଧନୀ ମହିଳା ଆମ ଘରକୁ ଆସିଥିଲେ । ସେ କିଏ? ମୁଁ ତ କାହିଁ ତାଙ୍କୁ କେବେବି ଦେଖିନାହିଁ?”
ମା’ କହିଲେ “ତୁ ତାକୁ ଜାଣିବୁ ନାହିଁ । ସେ ମୋର ପିଲାଦିନର ସାଙ୍ଗ । ମୋର ଭଲ ମନ୍ଦ ବିଷୟରେ ଜାଣିବାକୁ ସେ ଏଠାକୁ ଆସିଥିଲା ।”
ଶଙ୍କର ପଚାରିଲା “କାହିଁ ତମେ ତ କେବେବି ଏକଥା କହିନାହଁ ଯେ ତୁମର ଜଣେ ସାଥୀ ଏତେ ଧନୀ ବୋଲି?”
ମା’ କହିଲେ “ଆଗେ ଏମାନେ ମଧ୍ୟବିତ ଥିଲେ । ଏବେ ଯଥେଷ୍ଟ ପଇସା ରୋଜଗାର କରିବାରୁ ଏମାନେ ଧନୀ ହୋଇଛନ୍ତି । ତୋ ବାପାଙ୍କ ମୃତ୍ୟୁ ପରେ ଆମେ କେତେ କଷ୍ଟରେ ଚଳିଛୁ? କିନ୍ତୁ ଭଗବାନଙ୍କ କୃପାରୁ ଏବେ ଆମେ ମଧ୍ୟ ଭଲରେ ଚଳୁଛୁ । ବେଶି ଧନୀ ନହେଲେ କ’ଣ ହେଲା?”
ଶଙ୍କର ମାତ୍ର ଆଠବର୍ଷର ହୋଇଥିଲା, ତା’ର ବାପା ମରିଯାଇଛନ୍ତି । ଘର ଚାରିପାଖରେ ନଡିଆ ବଗିଚା ଥିଲା । ନଡିଆ ବିକ୍ରି କରି ପାଠ ପଢି କ୍ରମେ ଛୋଟ ବ୍ୟବସାୟ କରି ସେମାନେ ଏବେ ବେଶ୍ ଭଲରେ ଚଳନ୍ତି । ମା’ ମଧ୍ୟ ସିଲେଇ କରି ରୋଜଗାର କରେ । ଦୁଃଖର ଦିନ କୌଣସି ମତେ କଟିଗଲା ।
ଶଙ୍କର ପାଦ ଧୋଇ ପିଣ୍ଢା ଉପରକୁ ଆସି ପଚାରିଲା, “ଆଚ୍ଛା ମା, ତୁମର ଓ ତୁମ ସାଙ୍ଗର କ’ଣ କଥାବାର୍ତ୍ତା ହେଲା?”
ମା’ କହିଲେ “ଆରେ ମୁଁ ତୋତେ କହିନି କି? ତା’ର ଏକମାତ୍ର ପୁତ୍ରର ବିବାହ ଏଇ ସପ୍ତାହକ ମଧ୍ୟରେ ହେବ । ତା’ର ଇଚ୍ଛା ଯେ ବିବାହର ଚାରିଦିନ ଆଗରୁ ଆମେ ସେଠାକୁ ଯାଆନ୍ତେ ।”
ଶଙ୍କର କିଛି ସମୟ ଚିନ୍ତା କରି କହିଲା, “ସେ ତୁମର ସାଥି ହୋଇପାରେ । କିନ୍ତୁ ତିନିଚାରିଦିନ ଆଗରୁ ଗଲେ ତାଙ୍କ ପାଇଁ ଓ ଆମପାଇଁ ଅସୁବିଧା ଜନକ ହେବ । ଆମେ ପୂର୍ବଦିନ ଯାଇ ପରଦିନହିଁ ସେଠାରୁ ଫେରି ଆସିବା ।”
ଶଙ୍କରର ମା’ ବାଧ୍ୟ ହୋଇ ତା’କଥାରେ ସମ୍ମତ ହେଲେ । ପରେ ସେ କିଛି ନୂଆ ଲୁଗା ଆଣି ପୁଅକୁ କହିଲେ, “ଦେଖିଲୁ, ଏଇସବୁ ଲୁଗା ମୁଁ ବର ପାଇଁ କିଣିଛି । କେମିତି ଲାଗୁଛି?”
ଶଙ୍କର ଟିକିଏ ଅସନ୍ତୁଷ୍ଟ ଭାବ ଦେଖାଇ କହିଲା, “ହଁ ଲୁଗା ତ ଭଲ ହୋଇଛି । ତୁମକୁ ସହରକୁ ନେଇ ଡାକ୍ତର ପରୀକ୍ଷା କରି ଚିକିତ୍ସା କରାଇବା ପାଇଁ ଯେଉଁ ଟଙ୍କା ଥିଲା, ସେଇଥିରୁ ଖର୍ଚ୍ଚ କରି ପକାଇଛ, ସେତିକି ମୋତେ ଯାହା ଅସୁବିଧା ଲାଗୁଛି ।” ତା’ର ମା’ ସବୁ ଶୁଣି ଚୁପ୍ ରହିଲେ ।