ସୋନପୁରର ରାଜା ଜଣେ ବଡ ହସଖୁସି ମିଜାଜର ଲୋକ ଥିଲେ । ପୁଣି ସେ ମଧ୍ୟ ଅତି ବୁଦ୍ଧିମାନ୍ ବି ଥିଲେ । ଥରେ ସେ ତାଙ୍କ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁମାନଙ୍କର ଯଶୋ ଲିପ୍ସା ନାହିଁ ସେମାନେ ସମସ୍ତେ କାଲି ଦରବାରକୁ ଆସିବେ । ସେମାନଙ୍କୁ ସମ୍ମାନ ଦିଆଯିବ ।
ସେଦିନ ସମ୍ମାନ ପାଇବା ଆଶାରେ କେତେ ଲୋକ ଆସିଥା’ନ୍ତି । ସେମାନଙ୍କୁ ଦେଖି ରାଜା ଥଟ୍ଟା କରି କହିଲେ, “ଆଚ୍ଛା ତାହେଲେ ତମେ ସବୁ ଏହି ସମ୍ମାନ ପାଇଁ ନିଜକୁ ଯୋଗ୍ୟ ବୋଲି ଭାବୁଛ? ତୁମର ଏହି ଭାବନା ଭ୍ରମପୂର୍ଣ୍ଣ । କାରଣ ତମେମାନେ ସମ୍ମାନ ଲାଭ ଆଶାରେ ଆସିଛ ଅର୍ଥାତ୍ ଯଶଲାଭ ପାଇଁ ମଧ୍ୟ । ତେଣୁ ଏ ସମ୍ମାନ ପାଇଁ ତମେମାନେ ଆଦୌ ଯୋଗ୍ୟ ନୁହଁ । ଏବେ ତୁମେମାନେ ଏଠୁ ଯାଇପାର ।”
ରାଜାଙ୍କ ଏପ୍ରକାର କଥାଶୁଣି ସେମାନଙ୍କ ମଧ୍ୟରୁ ପ୍ରମୋଦ ନାମକ ଏକ ଯୁବକ ଆଗକୁ ଆସି କହିଲା, “ମହାରାଜ, ଏଠାକୁ ଆସିଥିବା ଅନ୍ୟମାନେ ସମ୍ମାନ ପାଇଁ ଯୋଗ୍ୟ କି ନୁହେଁ ତା ତ ମୁଁ ଜାଣିନାହିଁ । କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭାବରେ ଯୋଗ୍ୟ । ମୋର ଯମା ଯଶ ଲିପ୍ସା ନାହିଁ ।”
ରାଜା କହିଲେ “କଥା ହେଉଛି କ’ଣ କି, ତମେ ଏଠାକୁ ସମ୍ମାନ ପାଇଁ ଆସିଛ ମାନେ ତ ତୁମ ଭିତରେ ଅବଶ୍ୟ ଯଶ ଲିପ୍ସା ରହିଛି!”
ପ୍ରମୋଦ କହିଲା, “ମହାରାଜ, ମୋ ଗ୍ରାମର ଉନ୍ନତି ପାଇଁ ମୁଁ ବହୁତ ପରିଶ୍ରମ କରିଛି । କେତେଥର ମୋ ଗ୍ରାମର ଲୋକମାନେ ମୋତେ ସମ୍ମାନ ଦେବାକୁ ମନସ୍ଥ କଲେ । କିନ୍ତୁ ଏସବୁ ମୁଁ ବାରମ୍ବାର ଭାଙ୍ଗି ଦେଇଛି । କାରଣ ଯଶ ଟିକିଏ ହେଲେ ବି ମୁଁ ଚାହେଁ ନାହିଁ । ଏବେ ଭଲ କାମ କରି ସମ୍ମାନ ଗ୍ରହଣ ନ କରିବାରୁ ମୋତେ ଆପେ ଆପେ ଯଶ ମିଳିଲା । ଏବେ ଯଦି ଆପଣଙ୍କ ସମ୍ମାନ ମୁଁ ସ୍ୱୀକାର ନ କରେ ତେବେ ମୋର ଯଶ ଆହୁରି ବଢିଯିବ ଯାହାକୁ ମୁଁ ତିଳେ ହେଲେ ମଧ୍ୟ ମୂଲ୍ୟ ଦିଏନାହିଁ । କୌତୁହଳବଶତଃ ମୁଁ ଏଠାକୁ ଆସିଥିଲି ।”
ରାଜା ତା’ କଥାରେ ଖୁବ୍ ଖୁସି ହୋଇ ତାକୁହିଁ ସମ୍ମାନ ଦେଲେ ଓ ଯଶ ଅର୍ଜନ ପାଇଁ ଆଶିର୍ବାଦ ବି ଦେଲେ ।