ଉପସ୍ଥିତ ବୁଦ୍ଧିରେ ଗୋପାଳ ଧୂରନ୍ଧର । ରାଜାଙ୍କ ଠାରୁ ପ୍ରଜା ଯାଏଁ ସମସ୍ତେ ସେକଥା ଜାଣନ୍ତି । ରାଜା, ପ୍ରଜା, ଜମିଦାର ସମସ୍ତେ ତାଙ୍କ ପାଖରେ ଠକି ଯାଆନ୍ତି । ହେଲେ କେହି ହେଲେ ତାଙ୍କୁ ଠକାଇ ପାରନ୍ତି ନାହିଁ ।
ସବୁ ଲୋକ ସମାନ ନାହାଁନ୍ତି । କେତେ ଲୋକ ଗୋପାଳଙ୍କ ଉପରେ ଖୁସି ହୁଅନ୍ତି । କିନ୍ତୁ ବହୁତ ଲୋକ ଗୋପାଳଙ୍କ ଉପରେ ରାଗନ୍ତି । ସହ୍ୟ କରି ପାରନ୍ତି ନାହିଁ । ଏମିତି ବି କିଛି ଲୋକ ଅଛନ୍ତି, ଗୋପାଳକୁ କେମିତି ପାନେ ଦେବେ ସେଇ ଚେଷ୍ଟାରେ ରହି ଥାନ୍ତି ।
ଦିନକର କଥା । ଗୋପାଳ ପରିଷ୍କାର ଲୁଗାପଟା ପିନ୍ଧି ରାଜ ଦରବାରକୁ ବାହାରି ଥାନ୍ତି । ଦଳେ ଲୋକ ବାଟରେ ଗୋପାଳଙ୍କୁ ଦେଖି ସହ୍ୟ କରି ପାରିଲେ ନାହିଁ । ଅପଦସ୍ତ କରିବା ପାଇଁ ଭାବିଲେ । ସେମାନଙ୍କ ମଧ୍ୟରୁ ଜଣେ ଲୋକ ଦେହ ସାରା କାଦୁଅ ଗୁଡିଏ ବୋଳି ହୋଇ ଗଲା । ଦୌଡି ଦୌଡି ଆସି ଗୋପାଳଙ୍କୁ ଜାବୁଡି ଧରି ମିଛଟାରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ।
– ମା’ ଲୋ ତୁ କୁଆଡେ ଗଲୁ । ହେ ଭାଇ, ମୋ ମା ମରି ଗଲା ଏବେ ମୁଁ କ’ଣ କରିବି । ମୋତେ କିଛି ବୁଦ୍ଧି ଦିଶୁ ନାହିଁ ।