କୃଷ୍ଣ ପ୍ରସାଦ ଗାଁରେ ନରିଆ ବୋଲି ଚାଷୀଟିଏ ଥାଏ । ନିଇତି ଦୁଃଖ କରି ସେ ତା ପେଟ ପୋଷେ । ଛଣ ଛାଉଣୀ ଘର ହିଁ ତା’ର ସ୍ୱର୍ଗ, ଟହୁ ବାସନର ପଖାଳ ତା’ ପାଇଁ ଅମୃତ ସମାନ । କର୍ମ ହିଁ ତାର ଆନନ୍ଦ । ହେଲେ ଏ ସବୁ ସୁଖ ଭିତରେ ବି ଥାଏ ତାର ଗୋଟିଏ ଦୁଃଖ । ଘରେ ଅଳି କରିବାକୁ ତାର ତ ପିଲାଟିଏ ବି ନାଇଁ । ସବୁ ସୁଖ ଭିତରେ ଏଇ ବକଟେ ଦୁଃଖ ତାକୁ ଯେମିତି ପାହାଡ ପରି ଲାଗେ । ଅଥଚ ନରିଆ ସେଇ ଦୁଃଖକୁ ମନେ ମନେ ଉପଶମ କରି ପକାଏ । କାରଣ ସେ ଥାଏ ଭଗବତ ପ୍ରେମୀ ଓ ଈଶ୍ୱର ବିଶ୍ୱାସୀ । ନିଇତି ସକାଳେ ସେ ତା ଗ୍ରାମ ଦେବତୀ ମା’ ରାମଚଣ୍ଡୀଙ୍କ ପାଖରେ ବସି ନିଜର ସମସ୍ତ ଗୁହାରି ଜଣାଏ । ସାରା ଗାଁ ଲୋକଙ୍କର ସରାଗ ବି ଏଇ ନରିଆ ଉପରେ ହିଁ ଥାଏ ।
କଥାରେ ପରା ଅଛି ଲୋକେ ଯାହା ଉପରେ ସନ୍ତୋଷ ହୁଅନ୍ତି ଈଶ୍ୱର ମଧ୍ୟ ତାକୁ ଶ୍ରଦ୍ଧା ଓ ଆଶିଷ ଉଭୟ ଦେଇଥାନ୍ତି । ନରିଆର ମନକଥା ସେ ଗ୍ରାମ ଦେବତୀ ମା’ରାମଚଣ୍ଡୀ ଠିକ୍ ଜାଣିଲେ । ଦିନେ ରାତିରେ ସ୍ୱପ୍ନରେ ନରିଆ ପାଖକୁ ଯାଇ ମା’ରାମଚଣ୍ଡୀ କହିଲେ – ‘ନରିଆ ! ମୁଁ ତୋର ଭକ୍ତିରେ ଅତ୍ୟନ୍ତ ତୃପ୍ତ ହୋଇଛି, ତୋର କ’ଣ ମାଗିବାର ଅଛି ମାଗ ।’ ତହୁଁ ସେ ନରିଆ କହିଲା ମୋର ସନ୍ତାନଟିଏ ନିହାତି ଲୋଡା । ମା’ ତତକ୍ଷଣାତ୍ କହିଲେ ତଥାସ୍ତୁ । ହେଲେ ନରିଆ ବିଧାନ ଦୃଷ୍ଟିରୁ ତୁମକୁ ଦୁଇଟି ଭିତରୁ କୋଉ ଗୋଟିଏ ହିଁ ଗ୍ରହଣ କରିବାକୁ ପଡିବ । ତାହା ହେଲା ଗୋଟିଏ ସନ୍ତାନ ହେବ ଦୀର୍ଘାୟୁ ଓ ବଳିଷ୍ଠ ଓ ଅନ୍ୟଟି ହେବ ଅଳ୍ପାୟୁ ଓ ଯଶମାନ । ତାହେଲେ ଏବେ ତୁମେ କୁହ ନରିଆ କେଉଁ ସନ୍ତାନଟି ତୁମକୁ ଦରକାର? ନରିଆ ତ ଥିଲା ଖୁବ୍ ଈଶ୍ୱର ବିଶ୍ୱାସୀ, ତେଣୁ ସେ କହିଲା ଦ୍ୱିତୀୟଟି ହିଁ ମୋର ଦରକାର । ତାପରେ ମା’ ଏପରି କଥା ଶୁଣି ଟିକେ ହସି ଦେଇ କହିଲେ ତଥାସ୍ତୁ ।