ଏକଦା ଗୋଟିଏ ଦେଶର ରାଜକୁମାର ନିଜର ବିବାହ ପାଇଁ ରାଜକୁମାରୀଟିଏ ଖୋଜି ଆଣିବାକୁ ଇଚ୍ଛାକରି ବିଭିନ୍ନ ଦେଶ ଭ୍ରମଣରେ ବାହାରିଲେ । ସେ ଏମିତି ଏକ ରାଜକୁମାରୀ ଚାହୁଁଥିଲେ ଯେ, ଯାହାର କି ପ୍ରକୃତ ରାଜକୁମାରୀର ଗୁଣ ଥିବ । ସେ ବିଭିନ୍ନ ଦେଶ ବୁଲିଲେ ମଧ୍ୟ ଏମିତି ଜଣେ ରାଜକୁମାରୀର ସଂଧାନ ପାଇଲେ ନାହିଁ । ତେଣୁ ଶେଷରେ ସେ ନିରୁତ୍ସାହିତ ହୋଇ ଫେରିଲେ କାରଣ ସେ ଜଣେ ପ୍ରକୃତ ରାଜକୁମାରୀର ଗୁଣଥିବା ଏକ ପତ୍ନୀ ଚାହୁଁଥିଲା ।
ହଠାତ୍ ଦିନେ ରାତ୍ରୀରେ ଭୟଙ୍କର ଝଡ ତୋଫାନ ହେଲା । ପ୍ରଚଣ୍ଡ ବର୍ଷାସହ ଘଡଘଡି ମାରିଲା ଏବଂ ବିଜୁଳି ଆଲୋକରେ ଚାରିଆଡେ ଝଲସି ଉଠିଲା ଏବଂ ବର୍ଷାଜଳ ପ୍ରବଳ ବେଗରେ ପ୍ରବାହିତ ହେବାକୁ ଲାଗିଲା । ଏହା ସମସ୍ତଙ୍କ ମନରେ ଭୀଷଣ ଭୟ ସଂଚାର କଲା । ଏହି ଝଡ ତୋଫାନ ସମୟରେ ରାଜ ପ୍ରାସାଦର ଫାଟକ ନିକଟରେ କିଏ ଜଣେ ଠକ୍ ଠକ୍ କଲା ଏବଂ ନିଜେ ବୃଦ୍ଧ ରାଜା ଫାଟକ ଖୋଲି ଦେଲେ । ଖୋଲିଦେଇ ସେ ଦେଖିଲେ, ଫାଟକ ବାହାରେ ରାଜକୁମାରୀ ଭଳି ଦେଖାଯାଉଥିବା ଜଣେ ଝିଅ ଅତି ଦୟନୀୟ ଭାବରେ ଠିଆ ହୋଇଛି । ତାର ମୁଣ୍ଡରୁ ଓ ପୋଷାକରୁ ବର୍ଷାପାଣି ଧାରଧାର ହୋଇ ବହି ଯାଉଛି । ଝିଅଟିର ପରିଚୟ ପଚାରିବାରୁ ସେ କହିଲା ସେ ଜଣେ ରାଜକୁମାରୀ ।
ତାପରେ ରାଜା ସେ ଝିଅଟିକୁ ରାଜପ୍ରସାଦକୁ ଆଣିଲେ ଓ ବୃଦ୍ଧା ରାଣୀଙ୍କୁ କହିଲେ ଝିଅଟି ଜଣେ ରାଜକୁମାରୀ । ରାଣୀ ଝିଅଟିକୁ ନୂଆ ପୋଷାକ ପ୍ରଭୃତି ଦେଇ ତାକୁ ଖାଇବାକୁ ଦେଲେ । ଝିଅଟି ଖାଇ ସାରିବାପରେ ରାଣୀ ସେ ଝିଅଟିର ଶୋଇବାପାଇଁ ବ୍ୟବସ୍ଥା କଲେ । ରାଣୀ ସେ ଝିଅର ଶୋଇବା ଶେଯ ତଳେ ଗୋଟିଏ ଶିମ୍ବମଞ୍ଜି ରଖିଦେଲେ । ତାପରେ ସେ ମଞ୍ଜି ଉପରେ କୋଡିଏଟି ଗଦି ଓ ତା ପରେପରେ ବତକ ପରରେ ତିଆରି କୋଡିଏଟି ରେଜେଇ ପକେଇ ଦେଇ ଝିଅଟିକୁ ସେଇ ଶେଯରେ ଶୋଇବାକୁ କହିଲେ । ଝିଅଟି ସେଇ ଶେଯରେ ସେ ରାତିରେ ଶୋଇଲା ।
ତା ପରଦିନ ସକାଳେ ରାଣୀ ସେ ଝିଅଟିକୁ ରାତିର ଶୋଇବା ଶେଯ ସମ୍ପର୍କରେ ପଚାରିଲେ । ତହୁଁ ସେ ଝିଅଟି ଉତ୍ତର ଦେଲା ‘ଶେଯଟି ସେତେ ଉନ୍ନତ ନଥିଲା । ରାତିରେ ଖୁବ୍ କମ୍ ସମୟ ପାଇଁ ତାକୁ ନିଦ ହୋଇଛି । ମୋ ଶେଯ ତଳେ ଯେମିତି ଏକ କଠିନ ପଦାର୍ଥ ଥିଲା ଯାହା ମୋ ଦେହରେ ନୋଳା ବସେଇ ଦେଇଛି । ସେଇ କଠିନ ପଦାର୍ଥଟି ମୋତେ ବହୁତ କଷ୍ଟ ଦେଇଛି ।
ରାଜା ଆଉ ରାଣୀ ଏ କଥାଶୁଣି ନିଶ୍ଚିତ ହେଲେ ଯେ ସେ ଜଣେ ପ୍ରକୃତରେ ରାଜକୁମାରୀ କାରଣ କୋଡିଏଟି ଗଦି ଓ କୋଡିଏଟି ରେଜେଇ ତଳେ ଥିବା ଶିମ୍ବମଞ୍ଜିର କଠିନତାକୁ ସେ ଅନୁଭବ କରିପାରିଛି ।
ଏପରି ଜଣେ ସୁକୁମାରୀ ରାଜକୁମାରୀକୁ ରାଜା ଓ ରାଣୀ ତାଙ୍କର ପୁତ୍ରକୁ ବିଭା ଦେଲେ । ସେଇ ଶିମ୍ବମଞ୍ଜିଟିକୁ ନେଇ ରାଜପ୍ରାସାଦର ଯାଦୁ ଘରେ ସାଇତି ରଖିଲେ । ଯଦି ସେଇ ଶିମ୍ବମଞ୍ଜିଟିକୁ କେହି ଚୋରି କରିନଥିବ ତେବେ ତାହା ଏପର୍ଯ୍ୟନ୍ତ ମଧ୍ୟ ସେଠି ଥିବ ।