ଗଡ ମଧୁପୂର ବୋଲି ଖଣ୍ଡିଏ ରାଜ୍ୟ । ସେହି ରାଜ୍ୟଟି ଆକାରରେ ବେଶି ବଡ ନ ହେଲେ ମଧ୍ୟ ଏତେ ଛୋଟ ବି ନୁହେଁ । ରାଜା ଶ୍ରୀ ବିଶ୍ୱଜିତ ସିଂହ ସେଠାରେ ରାଜପଣ କରନ୍ତି । ସେ ପୁଣି ପ୍ରବଳ ପ୍ରତାପୀ । ତେଣୁ ସେ ବହୁତ ସୈନ୍ୟ ସାମନ୍ତ ନିଜ ସଙ୍ଗେ ରଖିଥାନ୍ତି । ଯୁଦ୍ଧ କାର୍ଯ୍ୟ ପଡିଲେ ମାତି ଉଠନ୍ତି ସେମାନେ ଠିକ୍ ଭୀମସେନ ପରି । ତାଙ୍କ ନାଁ ଶୁଣିଲେ ଅନ୍ୟାନ୍ୟ ରାଜ୍ୟର ରାଜାମାନେ କରପତ୍ର ଯୋଡନ୍ତି । ଭୟରେ ତାଙ୍କୁ କେହି କେବେବି ସାନ ରାଜା ବୋଲି କହିବାକୁ ସାହସ କରନ୍ତିନି । ଏହି କାରଣରୁ ସଭା ସମିତିରେ ତାଙ୍କର ଆସନ ବଡବଡିଆଙ୍କ ସାଙ୍ଗରେ ରହେ ।
ସେହି ରାଜା ଶ୍ରୀ ବିଶ୍ୱଜିତ ସିଂହଙ୍କର ସାତ ରାଣୀ । ସମସ୍ତେ ବଡ ବଡ ରାଜାଙ୍କ ଝିଅ । ସେମାନେ ସମସ୍ତେ ଏହି ରାଜାଙ୍କୁ ବିଭା ହେଲାବେଳେ ତାଙ୍କ ସାଥିରେ ଅଜସ୍ର ଜାନିଯୌତୁକମାନ ଆଣିଥିଲେ । ରାଜା ବି ସମସ୍ତ ରାଣୀଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି । ପ୍ରତି ରାଣୀଙ୍କ ଲାଗି ଅଲଗା ଅଲଗା ଉଆସ ତୋଳାଇ ଦେଇ ଥାଆନ୍ତି । ତେଣୁ ସେହି ରାଣୀ ମାନଙ୍କ ମଧ୍ୟରେ କେହି କାହାର ସୀମାକୁ ଆସନ୍ତିନି । ସମସ୍ତେ ଚଳନ୍ତି ନିଜ ନିଜ ଉଆସରେ । ରାଜା ତାଙ୍କ ପ୍ରତି ରାଣୀଙ୍କ ଲାଗି ଅଲଗା ଅଲଗା ଦାସୀ ପରିବାରୀ, ଅଲଗା ଅଲଗା ବ୍ୟବସ୍ଥା, ସବୁ କିଛି ଅଲଗା ଅଲଗା କରିଥାନ୍ତି ।
ସେଠାକାର ସମସ୍ତ ରାଣୀମାନେ ଖୁବ୍ ବିଳାସ ବ୍ୟସନରେ ଥିଲେ ମଧ୍ୟ ସେମାନେ ଆଦୌ କିଛି କାମର ନୁହଁନ୍ତି । ଛଅ ରାଣୀ ବସିଥାନ୍ତି ବନ୍ଧ୍ୟା ହୋଇ । ସେହି ରାଜାଙ୍କ ଏକମାତ୍ର ଚତୁର୍ଥ ରାଣୀଙ୍କ ଗର୍ଭରୁ ଜନ୍ମ ହୋଇଥାଏ ଗୋଟିଏ ଝିଅ । ସେହି ଝିଅଟିର ନାମ ବିଚିତ୍ରା । ପିଲାଟି ଦିନରୁ ସେ ଥାଏ ତା’ର ମାମୁଁ ଘରେ । ବିଚିତ୍ରାର ମାମୁଁ ଘର ଆଠମଲ୍ଲିକ୍ । ସେହି ଆଠମଲ୍ଲିକ୍ର ରାଜା ଥାଆନ୍ତି କନକକିଶୋର ଦେବ । ସେ ଥିଲେ ଭାରି ଧାର୍ମିକ, ସତ୍ୟବାଦୀ ଏବଂ ନ୍ୟାୟବାନ । ତାଙ୍କର ଗୋଟିଏ ମାତ୍ର ରାଣୀ ଥାଆନ୍ତି । ସେହି ରାଣୀଙ୍କ ନାମ ଶଶୀପ୍ରଭା ଦେବୀ । ମହୁରୀ ରାଜ୍ୟର ଜେମା ସେ । ବିଭାହୋଇ ଆସିବା ପରେ ସେ ଗୋଟିଏ ମାତ୍ର ଝିଅ ଜନ୍ମ କରିଥିଲେ, ବାସ୍ ସେତିକି ।
ଶଶୀ ପ୍ରଭା ଦେବୀଙ୍କ ଝିଅଟିର ନାମ ସିପ୍ରା । ସେ ଖୁବ୍ ହସକୁଡୀ, ଖୁବ୍ ବିଚକ୍ଷଣ ଓ ବୁଦ୍ଧିମତୀ ମଧ୍ୟ । ସିପ୍ରା ନିଜ କଥାବାର୍ତ୍ତା, ଚାଲିଚଳନରେ ସମସ୍ତଙ୍କୁ ଖୁବ୍ ଆକୃଷ୍ଟ କରେ । ସେ ଭଲ ପଢେ, ସବୁ ପାଠ ମନେ ରଖେ । ସିପ୍ରାର ଲେଖାଲେଖି ଦେଖିଲେ ସମସ୍ତେ ବହୁତ ପ୍ରସନ୍ନ ହୋଇ ଯାଆନ୍ତି । କାହିଁକି ନା ସିପ୍ରାର ଅକ୍ଷର ଗୁଡିକ ଠିକ୍ ମୁକ୍ତା ପରି ଗୋଲ୍ । ତା ଖାତାପତ୍ର କି ତା ବହିପତ୍ରରେ ଟିକିଏ ହେଲେବି ମଳି କେବେବି ଲାଗେନି । ସେ ଠିକ୍ ସମୟରେ ପଢିବାକୁ ଯାଏ । ରଜାଝିଅ ପରି ତା’ର ଛଳ ଚାତୁରୀ ନଥାଏ କି ତାର ବଡଲୋକିଆଣୀ ଢଙ୍ଗ ବି ନଥାଏ । ସେ ସିପ୍ରା ସମସ୍ତଙ୍କ ସାଙ୍ଗରେ ମିଶେ । ସମସ୍ତଙ୍କୁ ମିଠା ମିଠା କଥା ବି କହେ । ତେଣୁ ସାନଠୁଁ ବଡ ସମସ୍ତେ ସିପ୍ରାକୁ ଖୁବ୍ ଭଲ ପାଆନ୍ତି । ଏହି କାରଣରୁ ସେହି ନଗରର ଅନେକ ଝିଅ ସିପ୍ରା ସାଙ୍ଗରେ ସାଙ୍ଗ ହୁଅନ୍ତି ।