ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପି ଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ବି ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରି ସମୟରେ ଏହି ଭୟାନକ ଶ୍ମଶାନରେ ଆପଣଙ୍କ କର୍ମଠତା ଦେଖି ମୁଁ ଆଉ ପ୍ରଶଂସା ନକରି ରହିପାରୁନାହିଁ । ଆପଣ ଏସବୁ କେଉଁ ମହତ୍ ଲକ୍ଷ୍ୟ ନେଇ କରୁଛନ୍ତି ମୁଁ ତ ତାହା ଜାଣିପାରୁନାହିଁ । ମଣିଷର କର୍ତ୍ତବ୍ୟ ଲକ୍ଷ୍ୟସିଦ୍ଧି । ତଥାପି କେବେ କେବେ କେହି ଦୁର୍ବଳ ମୁହୂର୍ତ୍ତରେ ନିଜର କର୍ତ୍ତବ୍ୟ ମଧ୍ୟ ଭୁଲିଯାଏ । ଏ ସମ୍ପର୍କରେ ମୁଁ ରାଜକୁମାରୀ ସୁନନ୍ଦାଙ୍କ କାହାଣୀ କହୁଛି ମନଦେଇ ତାହା ଶୁଣ, ଶ୍ରମଭାର ଲାଘବ ହେବ ।”
ବେତାଳ କହିଲା, “ରାଜକୁମାରୀ ସୁନନ୍ଦା ଥିଲେ କୌସାମ୍ବୀ ରାଜ୍ୟର ରାଜା ଧୀରସିଂହଙ୍କର ଏକମାତ୍ର ସନ୍ତାନ । ରାଜା ପୁତ୍ର ଭଳି ତାଙ୍କୁ ଯଥେଷ୍ଟ ସ୍ନେହ କରୁଥିଲେ, ତେଣୁ ଶସ୍ତ୍ର ଶିକ୍ଷା ଓ ଶାସ୍ତ୍ର ଶିକ୍ଷା ତାଙ୍କୁ ପିଲାଦିନରୁ ଦିଆଯାଇଥିଲା । ତା’ଛଡା ରାଜା ଶାସନକାର୍ଯ୍ୟ ବୁଝିବାବେଳେ ମଧ୍ୟ ସୁନନ୍ଦା ତାଙ୍କ ସହିତ ରହି ସେସବୁ ଶିକ୍ଷା କରୁଥିଲେ । ସେ ମଧ୍ୟ ବେଳେ ବେଳେ ରାଜାଙ୍କ ସହିତ ଶୀକାର କରିବାକୁ ଯାଉଥିଲେ । କେବେ କେବେ ସେ ଜଣେ ସଖୀ ଓ ଜଣେ ଦେହରକ୍ଷୀକୁ ନେଇ ଶୀକାର କରିବାକୁ ଯାଉଥିଲେ । ସୁନନ୍ଦା ଥରେ ଏକା ଶୀକାର କରିବାକୁ ଯିବେ ବୋଲି ଭାବିଲେ । ଯିବା ପୂର୍ବରୁ ସେ କେବଳ ନିଜ ସଖୀକୁ କହିଗଲେ ।”
କୌସାମ୍ବୀ ରାଜ୍ୟର ନିକଟରେହିଁ ଜଙ୍ଗଲ ଥିଲା । ସାରା ଦିନ ବୁଲି ବୁଲି ବନର ସୌନ୍ଦର୍ଯ୍ୟ ଓ ପଶୁପକ୍ଷୀକୁ ନିରୀକ୍ଷଣ କରୁ କରୁ କେତେବେଳେ ଯେ ସୂର୍ଯ୍ୟ ଅସ୍ତ ହେବାକୁ ବସିଲେଣି ତାହା ସେ ଜାଣିପାରିଲେ ନାହିଁ । ସମୟ ବିଷୟରେ ସଚେତନ ହୋଇ ସେ ଚମକି ପଡିଲେ । କାରଣ ବୁଲୁ ବୁଲୁ ସେ ଜଙ୍ଗଲର ଅପର ପଟକୁ ଚାଲି ଆସିଛନ୍ତି, ଏବେ ସମଗ୍ର ଜଙ୍ଗଲ ଭିତର ଦେଇ ଫେରିଯିବା ଅସମ୍ଭବ । କ୍ରମେ ଅନ୍ଧାର ହୋଇ ଆସିଲାଣି । ସେତିକିବେଳେ ପଛରୁ କେହି କହିଲା, “କିଏ ଆପଣ?”
ଶବ୍ଦ ଯୁଆଡୁ ଆସୁଥିଲା ସେଆଡକୁ ଚାହିଁ ସୁନନ୍ଦା ଦେଖିଲେ ଘନ ଜଙ୍ଗଲ ଭିତରୁ ଜଣେ ବ୍ୟକ୍ତି ବାହାରି ଆସିଲେ । ତାଙ୍କ ମୁହଁର ନିଶଦାଢୀ ଓ ଲମ୍ବା ଜଟା ଛଡା ଆଉ କିଛି ହେଲେବି ଅନ୍ଧାରରେ ଦିଶୁ ନଥିଲା । ଏହି ଘନ ଜଙ୍ଗଲରେ କିଏ ଏ ବ୍ୟକ୍ତି? ଏହିପରିଭାବେ ସୁନନ୍ଦାଙ୍କର ମନ ମଧ୍ୟରେ ନାନା ପ୍ରଶ୍ନ ଆସିଲା । ତେବେ ହଠାତ୍ ସେ ନିଜ ବୁଦ୍ଧିଖର୍ଚ୍ଚ କରି କହିଲେ, “ମୁଁ ଜଣେ ସିପାହୀ । ରାଜକୁମାରୀଙ୍କ ଆଜ୍ଞା ଅନୁସାରେ ମୁଁ ଏଠାକୁ ଦେଖିବାକୁ ଆସିଥିଲି କି ଏହି ସ୍ଥାନ ଶୀକାର ପାଇଁ ଉପଯୁକ୍ତ ନା ନୁହେଁ । କିନ୍ତୁ ମୁଁ ରାସ୍ତା ଭୁଲି ଯାଇଛି । ଜାଣିପାରେ କି ଆପଣ କିଏ?”
ସେ କହିଲେ, “ମୁଁ କିଏ ବୋଲି ଜାଣିଲେ ଆପଣଙ୍କ ସମସ୍ୟାର ସମାଧାନ ହେବନାହିଁ । ଆଜି ରାତି ପାଇଁ ଆପଣ ମୋର ଅତିଥି ହୋଇ ପାରନ୍ତି । କାଲି ସକାଳେ ପଛେ ଏଠୁ ଚାଲିଯିବେ । ମୁଁ କାଲି ରାଜଧାନୀକୁ ଯାଉଥିବା ରାସ୍ତା ବତାଇ ଦେବି ।” ଏତିକି କହି ସେ ଅଦୂରରେ ଥିବା କୁଡିଆ ଆଡକୁ ଚାଲିବାକୁ ଲାଗିଲେ ।
ସୁନନ୍ଦା ମନ ମଧ୍ୟରେ ଟିକିଏ ଭୟ ପାଇଥିଲେ ମଧ୍ୟ ଅନନ୍ୟୋପାୟ ହୋଇ ଘୋଡାକୁ ଧରି ତାଙ୍କର ଅନୁଗମନ କଲେ । ସେ କୁଟୀର ଭିତରେ ପ୍ରବେଶ କରି ହାତରେ ଗୋଟିଏ ମଶାଲ ଧରି ବାହାରି ଆସିଲେ । ସେ ଆଲୋକରେ ତାଙ୍କ ମୁଖମଣ୍ଡଳ ଆହୁରି ତେଜଷ୍ମାନ୍ ଦିଶୁଥିଲା ଓ ବୀରତ୍ୱ ଫୁଟି ଉଠୁଥିଲା । ସୁନନ୍ଦା ବିସ୍ମିତ ହେଲେ ।
ସୁନନ୍ଦା ତାଙ୍କୁ ଅପଲକ ନେତ୍ରରେ ଚାହିଁ ରହିଥିବାର ଦେଖି ସେ କହିଲେ, “ପ୍ରଭାତ ହେବାକୁ ତ ଏବେ ଅନେକ ସମୟ ବାକି, ରାଜକୁମାରୀ ଆପଣ ଘୋଡାକୁ ଏହିଠାରେ ରଖି କୁଟୀର ଭିତରକୁ ଆସନ୍ତୁ ।”
ସୁନନ୍ଦା ଚମକି ପଡି କହିଲେ “ରାଜକୁମାରୀ? ଆପଣ ଏ କ’ଣ କହୁଛନ୍ତି?”
କିନ୍ତୁ ସେହି ବ୍ୟକ୍ତି ସ୍ପଷ୍ଟ ଓ ଦୃଢ ସ୍ୱରରେ କହିଲେ, “ରାଜକୁମାରୀ, ବର୍ତ୍ତମାନ ପରିସ୍ଥିତିରେ ଆମେ ପରସ୍ପର ଭିତରେ କିଛି ଲୁଚାଇବା ବା ଠକିବା ଆଦୌ ଉଚିତ୍ ନୁହେଁ । ଆସନ୍ତୁ ମୋର ଆତିଥ୍ୟ ସ୍ୱୀକାର କରନ୍ତୁ ।”