ପାରସ୍ୟ ଦେଶରେ ହୁସେନ ନାମକ ଏକ ଗରୀବ ଲୋକ ରହୁଥାଏ । ଅଳ୍ପ କିଛି ଜିନିଷ ବିକ୍ରିକରି ସେ ତା’ ପେଟ ପୋଷେ । ଦିନେ ତା’ର ସ୍ତ୍ରୀ ସ୍ନାନ କରିବା ପାଇଁ ସେ ନଗରୀର ସ୍ନାନାଗାରକୁ ଗଲା । ଠିକ୍ ସେଇ ସମୟରେ ଜଣେ ଧନୀ ସ୍ତ୍ରୀ ଆସି ପହଁଚି ଜଗୁଆଳୀକୁ କହିଲେ, “ଏହିକ୍ଷଣି ମୁଁ ସ୍ନାନ କରିବି, ତେଣୁ ସମଗ୍ର ସ୍ନାନାଗାର ଖାଲି କରିବା ଦରକାର ।”
“ଯେ ଆଜ୍ଞା” କହି ଜଗୁଆଳୀଟି ଅନ୍ୟାନ୍ୟ ସ୍ତ୍ରୀ ଲୋକମାନଙ୍କୁ କିଛି ସମୟ ପାଇଁ ସେଠାରୁ ବାହାର କରିଦେଲା ।
ହୁସେନ୍ର ସ୍ତ୍ରୀ ହାଲିମା ଏସବୁ ଦେଖି ଅତ୍ୟନ୍ତ ରାଗିଯାଇ ସେ ଜଗୁଆଳୀକୁ ପଚାରିଲା, “ଇଏ ଏମିତି କେଉଁ ମହାରାଣୀ କି? ଯାହାଙ୍କ ପାଇଁ ଆମ ସମସ୍ତଙ୍କୁ ଏତେ ସମୟ ବାହାରେ ଅପେକ୍ଷା କରିବାକୁ ପଡିବ?”
ତହୁଁ ସେ ଜଗୁଆଳୀ କହିଲା “ତମେ କ’ଣ ଜାଣିନ ସେ କିଏ? ସେ ପରା ରାଜଜ୍ୟୋତିଷଙ୍କ ପତ୍ନୀ!”
ହାଲିମା ଏଥର ବିରକ୍ତ ହୋଇ ଘରକୁ ଫେରି ଆସି ହୁସେନ୍କୁ କହିଲା, “ତମେ କେଉଁଥିକୁ ବି ଯୋଗ୍ୟ ନୁହଁ, ତମେ ନିହାତି ଏକ ସାଧାରଣ ଜ୍ୟୋତିଷ ବି ଯଦି ହୋଇପାରନ୍ତ ତେବେ ଅନ୍ତତଃ ସମାଜରେ ମୋର କିଛିଟା ପ୍ରତିପତି ବଢିଯା’ନ୍ତା ।”
ସ୍ତ୍ରୀ କଥା ଶୁଣି ହୁସେନ୍ କହିଲା “ମୁଁ ତ ଜାତକ କରିବା ଜାଣିନି । ଗ୍ରହନକ୍ଷତ୍ରଙ୍କ ଗତିବିଧି ବି ଜାଣେନି । ଆଉ ଜ୍ୟୋତିଷ ହେବି କିପରି?”
ତା’ପରେ ସେ ହାଲିମା ଧମକ ଦେଲା “ସେସବୁ ମୁଁ କିଛି ଜାଣେନାହିଁ । ତମେ କାଲିଠାରୁ ଜ୍ୟୋତିଷ ନ ହେବ ତ ମନେରଖ ତୁମ ସହିତ ମୋର କୌଣସି ସଂପର୍କ ଆଉ ରହିବ ନାହିଁ; ଅତେବ ମୁଁ ମୋ ବାପଘରକୁ ପଳାଇବି ।”
ହାଲିମା’ର ପ୍ରସ୍ତାବ ଏଡିଦେବାର ସାହସ ହୁସେନ୍ର ନଥିଲା । ହାଲିମାର ଆଦେଶରେ ସେ କିଛି ଜ୍ୟୋତିଷ ବହି ଧରି ଯାଇ ସ୍ନାନାଗାରର ସାମ୍ନାରେ ରାସ୍ତା ଉପରେ ବସିଲା ।